ଡିସେମ୍ବର ୩୧ରୁ ଯୁବ ମହୋତ୍ସବ
ସାରସକଣା : ମୟୂରଭଞ୍ଜ ଜିଲ୍ଲା ତିନିରାଜ୍ୟ ସୀମାନ୍ତ ବମ୍ବେଛକ ବଜାର ଠାରେ ଯୁବ ମହୋତ୍ସବ ୨୦୨୫-୨୬ ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହରେ ଆୟୋଜିତ ହେବାନେଇ କମିଟି ତରଫରୁ ସୂଚନା ଦିଆଯାଇଛି । ଝାରପୋଖରୀଆ ବଜାର ସ୍ଥିତ ଝାରପୋଖରୀଆ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆଜି ଆନୁଷ୍ଠାନିକ ଭାବେ ସୀମାନ୍ତ ଯୁବ ସମିତି ଓ ଜାତୀୟ ଯୁବ ପ୍ରକଳ୍ପ ଆନୁକୂଲ୍ୟରେ ଯୁବ ମହୋତ୍ସବ ୨୦୨୫-୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସମିତିର ସଭାପତି ଅଧ୍ୟାପକ ଅଶୋକ କୁମାର ପୃଷ୍ଟିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଏନୱାଇପି ଜିଲ୍ଲା ସଭାପତି କୁଞ୍ଜ ବିହାରୀ ସେଠି, ବରିଷ୍ଠ ସଦସ୍ୟ ଶିଶିର କୁମାର ପଟ୍ଟନାୟକ, ପତଞ୍ଜଳି ନନ୍ଦ, ଅଶୋକ ମହାପାତ୍ର, ସମ୍ପାଦକ ଅଶ୍ୱନୀ ମହାନ୍ତ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଏନୱାଇପି ଜିଲ୍ଲା ସଂଯୋଜକ ତଥା ମହୋତ୍ସବର କାର୍ଯ୍ୟକାରୀ ସଭାପତି ମଳୟ ନାୟକ ସଭାର ଆଭିମୁଖ୍ୟ ବାବଦରେ ଆଲୋଚନା କରିବା ସହିତ, ହେବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସୂଚନା ପ୍ରଦାନ କରିଥିଲେ । ସେହିପରି ସମସ୍ତ ସଦସ୍ୟ ନିଜ ନିଜ ମତ ରଖିବା ସହିତ, ପୂର୍ବରୁ ହୋଇଥିବା ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବା ସହ ନୂତନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ମତ ରଖିଥିଲେ । ସେହପରି ଗୋଟିଏ ଦିନ ଶିଶୁ ମାନଙ୍କ ପାଇଁ, ଗୋଟିଏ ଦିନ ଗୁରୁଜନ ବରିଷ୍ଠ ନାଗରିକ ପାଇଁ ଏବଂ ଗୋଟେ ଦିନ ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଅନ୍ୟପକ୍ଷରେ ଓଡିଶା ସରକାରଙ୍କ ମନ୍ତ୍ରୀ, ଓଡ଼ିଆ ସିନେ ଜଗତର କଳାକାର ତଥା ସୁନାମଧନ୍ୟ ସଂଗୀତକାର ମାନଙ୍କୁ ଏଥର ମହୋତ୍ସବରେ ସାମିଲ କରିବା ସହିତ ସ୍ଥାନୀୟ ଯୁବକ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗୀତା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି କମିଟି ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।