ଜାଡ଼ରେ ଥରୁଛି ଓଡ଼ିଶାର ଦାର୍ଜିଲିଂ

ଜାଡ଼ରେ ଥରୁଛି ଓଡ଼ିଶାର ଦାର୍ଜିଲିଂ

ଘୁ.ଉଦୟଗିରି ପାରଦ ୫.୬
୧୦ ଡିଗ୍ରୀ ତଳେ ୬ ସହର

ଘୁ.ଉଦୟଗିରି : କିଛି ଦିନର ବ୍ୟବଧାନ ପରେ ପୁଣି ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିକୁ ଫେରିଛି ହାଡ଼ଭଙ୍ଗା ଶୀତ । ପ୍ରବଳ ଜାଡ଼ରେ ଥରୁଛି ସାରା ଅଞ୍ଚଳ । ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଗତକାଲି ପାରଦ ୧୦.୪ଡିଗ୍ରୀ ଥିବା ବେଳେ ଆଜି ହଠାତ ୫.୬ ଡିଗ୍ରୀକୁ ଖସି ଆସିଛି । ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହୋଇଥିବା ବେଳେ ଡିସେମ୍ବର ମାସ ଆରମ୍ଭରେ ଶୀତ ତାର ପ୍ରକୋପ ଦେଖାଇବା ଆରମ୍ଭ କରିଛି । ଆଗାମୀ ଦିନରେ ତାପମାତ୍ରା ଆହୁରି ତଳ ମୁହାଁ ହେବା ଆଶଙ୍କା କରିଛି ପାଣିପାଗ ବିଭାଗ । ସଞ୍ଜ ନଇଁଲେ ତାପମାତ୍ରା ଖସିବା ସହ ଶୀତର ପ୍ରକୋପ ବଢିବା ସହ ରାତିରେ ଜାଡ ଆରମ୍ଭ ହୋଇଯାଉଛି । ଗତ ଗୁରୁବାର ପାରଦ ୯.୮ ଥିବା ବେଳେ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୧୦.୧ ଡିଗ୍ରୀରେ ପହଞ୍ଚି ଥିବା ରେକର୍ଡ କରିଥିଲା କୃଷି ବୈଷୟିକ ଗବେଷଣା କେନ୍ଦ୍ର ଓ ଭାରତୀୟ ପାଣିପାଗ ବିଭାଗ । ଆଜି ରାଜ୍ୟର ୬ଟି ସହର ୧୦ ଡିଗ୍ରୀ ତଳେ ରହିଛି । ଦାରିଙ୍ଗିବାଡି ୮, ରାଉରକେଲା ୮.୧, ଫୁଲବାଣୀ ୮.୫, ଝାରସୁଗୁଡା ୮.୬, କେନ୍ଦୁଝର ୯.୪, ଅନୁଗୁଳ ୯.୮ ଡିଗ୍ରୀ ରହିଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାଯାଇଛି ।


      ଲଘୁଚାପ, ଘୂର୍ଣ୍ଣିବଳୟ ଯୋଗୁ ବର୍ଷା ଏବଂ ପରବର୍ତ୍ତୀ ସମୟରେ ପାଗ ମେଘୁଆ କାରଣରୁ  ସପ୍ତାହ ହେଲା ଶୀତ କମିଯାଇ ଥିବା ବେଳେ କାଲି ଠାରୁ ପୁଣି ଅନୁଭୂତ ହୋଇଛି ପ୍ରବଳ ଶୀତ । କୋହଲା ପବନରେ ଦେହ କାଲୁଆ ହୋଇ ଯାଉଥିବା ବେଳେ ରାସ୍ତାକଡର ବ୍ୟବସାୟୀ, ଜଙ୍ଗଲ ଜାତ ସାମଗ୍ରୀ ସଂଗ୍ରହ କରି ପେଟ ପୋଷୁଥିବା ସ୍ଥାନୀୟ ଅଧିବାସୀ, ଅସହାୟ, କଚା ଘରେ ରହୁଥିବା ଲୋକଙ୍କ ପାଇଁ  ଶୀତ ଚିନ୍ତା ବଢାଇଛି । ଶୀତରୁ ରକ୍ଷା ପାଇବା ପାଇଁ ସକାଳ ଏବଂ ସନ୍ଧ୍ୟାରେ ଅଞ୍ଚଳ ବାସୀ ରାସ୍ତା କଡରେ ନିଆଁ ପାଖରେ ବସିବା ଦେଖିବାକୁ ମିଳିଛି ।