ପୁଣି ହାତୀ ନେଲା ଜୀବନ

ପୁଣି ହାତୀ ନେଲା ଜୀବନ
  • ରାତିରେ ଗାଁକୁ ଆସୁନି ଆମ୍ବୁଲାନ୍ସ
  • ଠପ୍‌ ହୋଇଗଲାଣି ଚାଷବାସ

ହିନ୍ଦୋଳ : ହାତୀ ଆକ୍ରମଣରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ବନ ବିଭାଗ। ଓଡ଼ିଶାର ହିନ୍ଦୋଳ ବ୍ଲକରେ ୨ ଶହରୁ ଅଧିକ ହାତୀ ଚଳପ୍ରଚଳ କରୁଥିବା ବେଳେ ପରିସ୍ଥିତି ଏମିତି ହେଲାଣି ଘରୁ ବାହାରିବାକୁ ଲୋକେ ନିରାପଦ ମଣୁନାହାନ୍ତି । ଗାଈଗୋରୁ ରାସ୍ତାରେ ବୁଲିବା ଭଳି ଜଙ୍ଗଲୀ ହାତୀ ବର୍ତ୍ତମାନ ଦିନ ଦିପହରେ ଗାଁ ଗାଁ ବୁଲିଲେଣି । ଯାହାଫଳରେ ଅଭିଭାବକମାନେ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ିବାକୁ ଭୟ କଲେଣି । ସେହିପରି ସାଧାରଣ ଲୋକଟି ନିକଟସ୍ଥ ଡାକ୍ତରଖାନା ଯିବାକୁ ସାହସ ଜୁଟାଇ ପାରୁନାହିଁ  । ଏପରିକି ସନ୍ଧ୍ୟାହେଲେ ଆମ୍ବୁଲାନ୍ସକୁ ଫୋନ କଲେ ମଧ୍ୟ ହାତୀ ଭୟ ଯୋଗୁଁ ଆମ୍ବୁଲାନ୍ସ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏପରି ସ୍ଥଳେ ହିନ୍ଦୋଳ ବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଲାଣି ।

ଜଙ୍ଗଲି ହାତୀଙ୍କ ଯୋଗୁଁ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହେବାକୁ ବସିଲାଣି । ଚଳିତ ବର୍ଷ ବିଳମ୍ବରେ ବର୍ଷା ହୋଇଥିଲେ ମଧ୍ୟ ଚାଷୀମାନେ ଧାର ଉଧାର କରି ଧାନ ଚାଷ କରିଥିବା ବେଳେ ପ୍ରତ୍ୟେକ ଦିନ ଏକର ଏକର ଜମିକୁ ହାତୀ ଦଳି ନଷ୍ଟ କରିବା ସହିତ ଧାନ ଫସଲକୁ ନଷ୍ଟ କରୁଛି । ଦୁଇ ମାସ ତଳେ ହିନ୍ଦୋଳ ବନାଞ୍ଚଳ ବାଘଧରିଆ ଗ୍ରାମରେ ଭୋର୍‌ ସମୟରେ ହାତୀ ଆକ୍ରମଣର ତିନି ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ସେହି ଘଟଣାର ସପ୍ତାହେ ନପୁରୁଣୁ ଟାଙ୍ଗିଶାଳ ଗ୍ରାମରେ ଜଣକର ମୃତ୍ୟୁ ହୋଇଥିବା ବେଳେ ସରପା ଗ୍ରାମରେ ଜଣଙ୍କର, ବେଡାପଡ଼ା ଗ୍ରାମରେ ଜଣକର ମୃତ୍ୟୁ ହୋଇଥିଲା । ସାନହିନ୍ଦୋଳ ଗ୍ରାମର ଜଣେ ବୃଦ୍ଧଙ୍କୁ ହାତୀ ଆକ୍ରମଣ କରିବାରୁ ଗତ ସପ୍ତାହେ ହେଲା କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏ ସମସ୍ତ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଗତକାଲି ଗାଲପଡ଼ାର ଭାନୁପଡା ଠାରେ ଜଣେ ଯୁବକଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ଆଜି ସକାଳେ ବାଲିମି ଗ୍ରାମର ନରୋତ୍ତମ ବେହେରାଙ୍କୁ ତାଙ୍କ ଘର ପାଖରେ ହାତୀ ଗୋଡେଇ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ଘଟାଇ ଦନ୍ତା ହାତୀଟି ଦୀର୍ଘ ସମୟ ଧରି ଘଟଣା ସ୍ଥଳରେ ଛିଡା ହୋଇ ରହିଥିବାରୁ ନରୋତ୍ତମଙ୍କୁ ଉଦ୍ଧାର କରିବା ପାଇଁ କେହି ସାହସ କରିପାରି ନଥିଲେ ।

ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚିବାରୁ ଉଭୟ କର୍ମଚାରୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ହାତୀକୁ ଘଉଡାଇବା ସହଜ ହୋଇଥିଲା । ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବା ସହ ପରିବାର ଲୋକ ମୃତ ଦେହକୁ ବାଲିମି ଛକରେ ରଖି ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାଖରେ ସହ ସହ ଗାଡ଼ି ମଟର ଅଟକି ରହିଥିଲା । ଖବର ପାଇ ବାଲିମି ଥାନାଧିକାରୀ, ହିନ୍ଦୋଳ ଭାରପ୍ରାପ୍ତ ରେଞ୍ଜର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ତୁରନ୍ତ ସହାୟତା ରାଶି ଯୋଗାଇ ଦେବା ସହ ହାତୀ ଦାଉରୁ ଗ୍ରାମକୁ ସୁରକ୍ଷା ଦେବା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହେବା ସହ ପରିସ୍ଥିତି ଶାନ୍ତ ପଡିଥିଲା ।