ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଯୋଗ ଦେବେ ୫ ଛାତ୍ରୀ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ବିଷମକଟକ ମିନିଷ୍ଟାଡିୟମରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ହଜାରିଡାଙ୍ଗ ଉଚ୍ଚ ବିଦ୍ୟାଳୟର ୫ଜଣ ଛାତ୍ରୀ ସଫଳତା ହାସଲ କରି ରାଜ୍ୟସ୍ତରରେ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି । ବିଷମକଟକ ବ୍ଲକର ଉର୍ଲାଜଡି ଗ୍ରାମର ଦୀପିକା ହିକକା(ଡିସ୍କସ ଥ୍ରୋ), ଘାଣ୍ଟିଖାଲର ଆସନ୍ତି ହିକକା(ହାଇଜମ୍ପ), ପୁରୁଣାପାଣି ଗ୍ରାମର ରାଜେଶ୍ୱରୀ ମୂଷିକା(ୱେଟ୍ ଲିଫ୍ଟିଙ୍ଗ), ରାମ୍ବୁ ଗ୍ରାମର ମାମାଲି ବିଡ଼ିକା ଓ ଲହରାଗୁଡ଼ି ଗ୍ରାମର ପପୁନି କାଣ୍ଡାମାକା(ଫୁଟବଲ) ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି ପାଞ୍ଚ ଜଣ ଛାତ୍ରୀ ପୂର୍ବରୁ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଲାଭ କରିଥିଲେ । ଆସନ୍ତା ନଭେମ୍ବର ୧୧ରେ ବାଲେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କ୍ରୀଡ଼ାରେ ନିଜ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ । ଛାତ୍ରୀମାନେ ଏହି ସଫଳତାର ଶ୍ରେୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ନେତାଜୀ ବେହେରା ଓ କ୍ରୀଡ଼ାଶିକ୍ଷକ ରବୀନ୍ଦ୍ର ୱାଡାକଙ୍କୁ ଦେଇଛନ୍ତି । ରାୟଗଡ଼ାବାସୀ ସେମାନଙ୍କ ସଫଳତାକୁ ପ୍ରଶଂସା କରିଛନ୍ତି ।