ରାଜନଗର ଥାନା: ଭୂତ ସାକ୍ଷୀରେ ମାମଲା ରଦ୍ଦ ;୨୦୨୧ରେ ମରିଥିବା ଲୋକ ୨୦୨୪ରେ ହେଲେ ସାକ୍ଷୀ
ରାଜନଗର : ରାଜନଗର ଥାନାରେ ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ୨୦୨୧ମସିହା ଅପ୍ରେଲ ମାସ ୧୮ ତାରିଖରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ୨୦୨୩ ମସିହା ନଭେମ୍ବର ମାସ ୧୩ ତାରିଖରେ ରୁଜୁ ହୋଇଥିବା ମାମଲାରେ କିପରି ସାକ୍ଷ୍ୟ ଦେଲା ଏବଂ ୨୦୨୪ ମସିହା ଅଗଷ୍ଟ ୯ ତାରିଖରେ ଏହି ମାମଲା ଅପ୍ରମାଣିତ ହୋଇ ରଦ୍ଦ ହେବା ଘଟଣା ପୁଲିସ ପ୍ରଶାସନର ଖାମଖେୟାଲ ତଥା ଲାଞ୍ଚଖୋର ମନୋବୃତ୍ତିକୁ ପଦାରେ ପକାଇଛି । ସଂଗୃହିତ ତଥ୍ୟରୁ ଜଣାଯାଏ ଯେ, ଏହି ଥାନା ଅନ୍ତର୍ଗତ ବ୍ରାହ୍ମଣସାହି ପଞ୍ଚାୟତ ବିନ୍ଧା ନାଉକୋଣା ଗ୍ରାମରେ ଥିବା ନିଗମାନନ୍ଦ ଆଶ୍ରମର ସମ୍ପାଦକ କ୍ଷୀରୋଦ କୁମାର ମଲ୍ଲିକ ୨୦୨୩ ମସିହା ନଭେମ୍ବର ମାସ ୧୩ ତାରିଖରେ ଗୌରାଙ୍ଗ ବରାଳ ଆଶ୍ରମର ଭାଇ ମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଓ ଆଶ୍ରମରେ ତାଲା ପକାଇଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ରାଜନଗର ଥାନା ମକଦ୍ଦମା ନମ୍ବର ୬୩୨/୨୦୨୩ରେ ଦଫା ୪୪୭, ୧୮୮, ୫୦୬ରେ ମାମଲା ୠଜୁ କରିଥିଲା । ଏପରିକି ପୁଲିସ ଘଟଣାସ୍ଥଳରେ ପହଂଚି ଆଶ୍ରମର ତାଲା ଖୋଲିଥିଲା । ତଦନ୍ତକାରୀ ଅଫିସର ସବଇନସିପେକ୍ଟର ନାରାୟଣ ସାହୁ ତିନିଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତ୍ତିକରି ଘଟଣା ସପକ୍ଷରେ କୌଣସି ପ୍ରମାଣ ନଥିବାରୁ ମକଦ୍ଦମାକୁ ରଦ୍ଦ କରିବା ସହ ବନ୍ଦ କରିବାକୁ ମାନ୍ୟବର ନ୍ୟାୟାଳୟକୁ ଜଣାଇ ଥିଲେ । ସବୁଠାରୁ ତାତ୍ପର୍ଯ୍ୟର ବିଷୟ ହେଲା ସାକ୍ଷ୍ୟ ଦେଇଥିବା ବିନ୍ଧାନାଉକୋଣା ଗ୍ରାମର ସୁନାକର ପଢିହାରୀ ଏପ୍ରିଲ ୧୮ ତାରିଖ ୨୦୨୧ ମସିହାରେ ମୃତ୍ୟୁ ବରଣ କରିଥିବା ବେଳେ ମୃତ୍ୟୁର ୩୨ ମାସପରେ ୠଜୁ ହୋଇଥିବା ମାମଲାରେ ସାକ୍ଷ୍ୟ ଦେଲେ ଓ ତାହାକୁ ଗ୍ରହଣ କରି ସବଇନ୍ସପେକ୍ଟର ଶ୍ରୀ ସାହୁ ସଠିକ ତଦନ୍ତ ନକରି ନ୍ୟାୟାଳୟକୁ ଭ୍ରମାତ୍ମକ ତଥ୍ୟ ଦେଇ ମକଦ୍ଦମା ବନ୍ଦ କରିବାକୁ ରିପୋର୍ଟ ଦେଇଥିବା ଜଣାପଡିଛି । ଏ ସମ୍ପର୍କରେ ଜାଣିବା ପରେ ଅଭିଯୋଗକାରୀ କ୍ଷୀରୋଦ କୁମାର ମଲ୍ଲିକ କୋର୍ଟରେ ଆଉ ଏକ ମକଦ୍ଦମା ୠଜୁ କରି ପୁଲିସ ମୃତ ବ୍ୟକ୍ତିଙ୍କୁ ସାକ୍ଷୀ ଭାବେ ଦର୍ଶାଇ ମାମଲା ବନ୍ଦ କରିବା ଘଟଣାରେ ଉଦବେଗ ପ୍ରକାଶ କରିବା ସହ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି । ମଲା ଲୋକର ସାକ୍ଷ୍ୟ ଗ୍ରହଣ କରିଥିବା ତଦନ୍ତ କାରୀ ଅଧିକାରୀଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଦେଖିବାକୁ ବାକି ରହିଲା ।