କଳିଙ୍ଗା ଘାଟିରେ ସତର୍କ ଘଣ୍ଟି

କଳିଙ୍ଗା ଘାଟିରେ ସତର୍କ ଘଣ୍ଟି

ଭୁବନେଶ୍ୱର : ଶୀତଦିନେ ଘାଟିଗୁଡିକରେ ସଡ଼କ ଦୁର୍ଘଟଣା ଚିନ୍ତାର କାରଣ ପାଲଟିଛି । ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପରୀକ୍ଷାମୂଳକ ଭାବେ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ସତର୍କ ଘଣ୍ଟିର ପଦକ୍ଷେପ ନେଇଛନ୍ତି । ଆଇଆଇଟି ଭୁବନେଶ୍ୱର ସହଭାଗିତାରେ ଘାଟିର ଉଭୟ ପାର୍ଶ୍ୱରେ ସାଇରନ୍‌ ଲଗାଯାଇଛି । କୌଣସି ପଟରୁ ଗାଡ଼ି ଆସୁଥିଲେ ସାଇରନ୍‌ ବାଜି ଏହା ସତର୍କ କରାଇବ । ଫଳରେ ଚାଳକ ସାବଧାନତାର ସହ ଘାଟିକୁ ପାର କରିବେ । ଶୀତଦିନେ କୁହୁଡ଼ି ଓ ପିକନିକ୍‌ ଯୋଗୁଁ ଦୁର୍ଘଟଣା ସଂଖ୍ୟା ବଢିଥାଏ । ଏହାକୁ ରୋକିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ବିଭିନ୍ନ ପଦକ୍ଷେପ ନେଇଛି । ଚାରି ମାସିଆ ସଡ଼କ ସୁରକ୍ଷା ପଦକ୍ଷେପ ଜରିଆରେ ସଚେତନତା ଓ ଏନଫୋର୍ସମେଣ୍ଟ ସହ ରାତିରେ ଡ୍ରାଇଭରଙ୍କୁ ସତେଜ ରଖିବାକୁ ଚା’ ବଣ୍ଟନ ବ୍ୟବସ୍ଥା ହୋଇଛି । ତେବେ ଘାଟିରେ ଦୁର୍ଘଟଣା ରୋକିବା ପାଇଁ ବୈଷୟିକ ଜ୍ଞାନ କୌଶଳର ସହାୟତ ନିଆଯାଇଛି । ଏଥିପାଇଁ ଆଇଆଇଟି ଭୁବନେଶ୍ୱରକୁ କାର୍ଯ୍ୟାଦେଶ ଦିଆଯାଇଥିଲା । ସେନସର ସହାୟତାରେ ସାଇରନ୍‌ ଘଣ୍ଟିର ବ୍ୟବସ୍ଥା କରାଯାଇଛି । ପ୍ରଥମେ ଏହା ପରୀକ୍ଷାମୂଳକ ଭାବେ ଲାଗୁ ହୋଇଛି । ଯଦି ଏହାର ସୁଫଳ ଅନୁଭୂତ ହେଲା, ତେବେ ଏହାକୁ ସ୍ଥାୟୀ ଭାବରେ ସଡ଼କ ବ୍ୟବହାରକାରୀଙ୍କ ହିତ ଦୃଷ୍ଟିରୁ ବ୍ୟବହାର କରାଯିବ । କେବଳ କଳିଙ୍ଗା ଘାଟି ନୁହେଁ, ଆଗକୁ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ୱାରା ଅନ୍ୟାନ୍ୟ ବ୍ଲାକସ୍ପଟ୍‌ (ଦୁର୍ଘଟଣାପ୍ରବଣ ସଡ଼କ)ରେ ବୈଷୟିକ ଜ୍ଞାନ କୌଶଳ ସହାୟତାରେ ଚାଳକଙ୍କୁ ସତର୍କ କରିବା ପାଇଁ ବିଭିନ୍ନ ପ୍ରୟାସ କରାଯିବ । ସେଥିପାଇଁ ଦେଶର ପ୍ରତିଷ୍ଠିତ ପ୍ରତିଷ୍ଠାନମାନଙ୍କର ସହଯୋଗ ନିଆଯାଉଛି ।