ବିଜେଡ଼ି ଛାଡ଼ିଲେ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ
ନବୀନ ନିବାସରେ ନେତାଙ୍କ ତନାଘନା
ଭଦ୍ରକ : ଦୁଇଦିନ ଭିତରେ ଭଦ୍ରକର ୪ ବ୍ଳକ ଅଧ୍ୟକ୍ଷ ବିଜେଡ଼ି ଛାଡ଼ି ଦେଇଛନ୍ତି । ଯାହା ଏବେ ଭଦ୍ରକ ରାଜନୀତିରେ କମ୍ପନ ସୃଷ୍ଟିକରିଛି । ନୂଆପଡ଼ା ଉପନିର୍ବାଚନ ପରେପରେ ଭଦ୍ରକ ବିଜେଡ଼ିରେ ଏଭଳି ସ୍ଥିତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବି ଚିନ୍ତାରେ ପକାଇଦେଇଛି । ଯେଉଁଥିପାଇଁ ଆଜି ଭଦ୍ରକର କିଛି ନେତାଙ୍କ ସହ ନବୀନ ନିବାସରେ ଆଲୋଚନା ହୋଇଥିବା ଜାଣିବାକୁ ମିଳିଛି । ଭଦ୍ରକରେ ଭୁଷୁଡ଼ିବାରେ ଲାଗିଛି ବିଜେଡ଼ି । ଆଜି ଜିଲ୍ଲାର ଆଉ ଜଣେ ବ୍ଲକ ଅଧ୍ୟକ୍ଷ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ବାସୁଦେବପୁର ନିର୍ବାଚନମଣ୍ଡଳୀର ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁଙ୍କୁ ଇସ୍ତଫା ପତ୍ର ପଠାଇଥିବା ନେଇ ସୂଚନା ଦେଇଛନ୍ତି । ତେବେ ଦୁଇ ଦିନ ଭିତରେ ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତି ସେଠୀ, ବନ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଓ ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ ମଧ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇ ସାରିଛନ୍ତି। ତିନି ନେତା ନେତ୍ରୀ ଖୋଲା ଖୋଲି ଭାବେ ଗଣମାଧ୍ୟମରେ ମଧ୍ୟ ଲୋକଙ୍କ ପାଇଁ ଉନ୍ନତି କରିବାକୁ ହେଲେ ସରକାରଙ୍କ ସହିତ ରହିବାକୁ ପଡ଼ିବ କହି ସାରିଛନ୍ତି । ଅତଏବ ସେମାନେ ଶାସକ ଦଳ ବିଜେପିରେ ମିଶିବା ଏକ ପ୍ରକାର ଫାଇନାଲ ହୋଇଥିବା କୁହାଯାଉଛି । ତେବେ ଆଜି ସେହିଭଳି ବ୍ୟକ୍ତିଗତ କାରଣ ଦର୍ଶାଇ ଅଧ୍ୟକ୍ଷ ଶ୍ରୀ ବିଶ୍ୱାଳ ମଧ୍ୟ ଇସ୍ତଫା ଦେବା ପରେ ସାମାଜିକ ଗଣମାଧ୍ୟମଠାରୁ ସାଧାରଣ ଛକ ବଜାର ଗାଁ ଗାଁରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜେଡି ଏକ ପ୍ରକାର ଭଦ୍ରକରୁ ପୋଛି ହୋଇଯାଉଛି ବୋଲି କୁହାଯାଉଛି । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଜେପି ସମୁଦ୍ର । ଏଥିରେ ନଦୀମାନେ ମିଶିବେ । ମିଶ୍ରଣ ଏକ ପ୍ରକ୍ରିୟା । ଏହା ସବୁବେଳେ ଚାଲିଥାଏ । ଆମେ ୧୦ ପ୍ରତିଶତରୁ ବଢି ବଢି ୪୦ ପ୍ରତିଶତରେ ପହଞ୍ଚିଛୁ । ଯେଉଁମାନେ ଆମ ବିଚାରଧାରା, କାର୍ଯ୍ୟଶୈଳୀକୁ ଭଲ ପାଇବେ ଆମ ସହ ଆସି ମିଶିବେ । ଭଦ୍ରକ, ଭଣ୍ଡାରୀପୋଖରୀ ବ୍ଲକ ଅଧ୍ୟକ୍ଷା ଏବଂ ବନ୍ତ ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେବାପୂର୍ବରୁ ମୋ ସହ ଆଲୋଚନା କରିଥିଲେ ବୋଲି ମନମୋହନ କହିଛନ୍ତି । ଦିଲ୍ଲୀରୁ ଫେରିବା ପରେ ସେମାନେ ଆସି ଏ ନେଇ ଆଲୋଚନା କରିଥିଲେ । ୨୦୨୭ରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ହେବ । ତା’ପୂର୍ବରୁ ଯିଏ ବିଜେପିରେ ମିଶିବା ପାଇଁ ଚାହିଁବ ସିଏ ମିଶି ପାରିବ । ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସହ ଆଲୋଚନା ହୋଇଛି । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ମିଶ୍ରଣ କରାଯିବ ବୋଲି କହିଛନ୍ତି ମନମୋହନ ।