ମହୁମାଛି ଆକ୍ରମଣରେ ୩ ଆହତ
ଜୟପୁର,୨୨ା୯ : ଜୟପୁର ସହରର ଐତିହାସିକ ମନ୍ଦିର ମାଁ ଜଗତଜନନୀଙ୍କ ପ୍ରାଙ୍ଗଣରେ ମହୁମାଛି ଆକ୍ରମଣରେ ଅଗ୍ନିଶମ କର୍ମଚାରୀଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ମାଁ ଜଗତଜନନୀ ମନ୍ଦିର ଉପରେ ବାନା ବାନ୍ଧିବା ସମୟରେ ଏହି ଅଘଟଣ ଘଟିଛି । ଓଡ଼ିଶାର ଅତି ପୁରାତନ ମନ୍ଦିର ମାଁ ଜଗତଜନନୀଙ୍କ ପୀଠରେ ପ୍ରତି ବର୍ଷ ଚଳିତ ବର୍ଷ ମଧ୍ୟ ଆଶ୍ୱିନ ମାସରେ ନବ ରାତ୍ର ପାଳନ କରାଯାଉଛି । ଆଦିଶକ୍ତିଙ୍କ ଆଗମନ ନେଇ ସାରା ସହରରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ସକାଳ ସମୟରେ ସେବାୟତ ଲକ୍ଷ୍ମଣ ସୁନାମୀ ବାନା ବାନ୍ଧିବା ପାଇଁ ମନ୍ଦିର ଉପରକୁ ଯାଇଥିଲେ, କିନ୍ତୁ ସେଠାରେ ସେ ମହୁମାଛି ଆକ୍ରମଣ ଶିକାର ହୋଇ ଚେତା ହରେଇ ପଡ଼ିଥିଲେ । ଲକ୍ଷ୍ମଣଙ୍କୁ ଉଦ୍ଧାର କରିବାକୁ ଜାଇ ଆଉ ଜଣେ ବ୍ୟକ୍ତି ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଜୟପୁର ଦମକଳ ବାହିନୀକୁ ଖବର ଦେବାପରେ ଦମକଳବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଉଦ୍ଧାର ବେଳେ ଦମକଳବାହିନୀର କର୍ମଚାରୀ ବଳରାମ ବେହେରା ମଧ୍ୟ ମହୁମାଛିର ଶିକାର ହୋଇପଡ଼ିଥିଲେ । ଦୀର୍ଘ ତିନି ଘଣ୍ଟା ଧରି ଦମକଳ ବାହିନୀର ଉଦ୍ଧାର କାର୍ଯ୍ୟ ଲାଗି ରହିଥିଲା । ଏହି ଘଟଣାରେ ତିନି ଜଣ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜୟପୁରରେ ଭର୍ତ୍ତି କରାଯାଇଛି ।