ଲୋକସଂସ୍କୃତିରୁ ଦୂରେଇଗଲେ ପରିଚୟ ସଂକଟ ସୃଷ୍ଟି ହେବ
ଭଦ୍ରକ : ଆଧୁନିକ କାଳରେ ଲୋକସମାଜ ଓ ଲୋକ ଜୀବନଧାରାର ଯେପରି ଦ୍ରୁତ ପରିବର୍ତ୍ତନ ପଥରେ ଗତି କରୁଛି, ତାହା ଲୋକସଂସ୍କୃତି ଉପରେ ପ୍ରଚଣ୍ଡ ପ୍ରହାର ପରି ମନେହେଉଛି । ବିଜ୍ଞାନର ଜୟଯାତ୍ରା ଓ ପ୍ରଯୁକ୍ତିକ ସଫଳତା ଆମର ଉନ୍ନତି ସୋପାନ ହୋଇଥିବା ବେଳେ ଯେଉଁ ଲୋକ ସଂସ୍କୃତି ଆମ ପାଇଁ ସମୃଦ୍ଧ ବୁନିଆଦି ତିଆରି କରିଥିଲା, ତାହାକୁ ଉଦ୍ଧାର କରି ପରପିଢ଼ିଙ୍କୁ ପରିଚିତ କରାଇବା ମଧ୍ୟ ଆମର ଦାୟିତ୍ୱ ହେବା ଉଚିତ ବୋଲି ତ୍ୟାଗଭୂମି ମହୋତ୍ସବର ସପ୍ତମ ସନ୍ଧ୍ୟାରେ ଅତିଥି ମତବ୍ୟକ୍ତ କରିଛନ୍ତି । ଭଦ୍ରକ ମାଟିରେ ଆଧୁନିକ ସାହିତ୍ୟର ଆଦି ସୂତ୍ରଧର କବିଶେଖର ଚିନ୍ତାମଣି ମହାନ୍ତିଙ୍କ ନାମରେ ନାମିତ ମଞ୍ଚରେ ତ୍ୟାଗଭୂମିର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ବିଶିଷ୍ଟ ଚିକିତ୍ସିତ ଡାକ୍ତର ରବୀନ୍ଦ୍ର କୁମାର ନାୟକ ପୌରୋହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା କୋରେଇ ବିଧାୟକ ଆକାଶ ଦାସନାୟକ "ଆଜିର ପଢ଼ି ଆମ ଉଚ୍ଚାଙ୍ଗ ସଂସ୍କୃତିଠାରୁ କ୍ରମଶଃ ଦୂରେଇଯିବା ଅତ୍ୟନ୍ତ କ୍ଷୋଭର ବିଷୟ । ପାରମ୍ପରିକ କଳା, ପର୍ବପର୍ବାଣୀ, ଗୀତ, ନୃତ୍ୟ ଓ ଲୋକକଥାର ଚର୍ଚ୍ଚା ଆଧୁନିକତା ନାମରେ ଆଜି କ୍ଷୀଣ ହୋଇଆସୁଛି । ନୂତନ ଡିଜିଟାଲ୍ ବ୍ୟବସ୍ଥାକୁ ସଂସ୍କୃତିର ନାମ ଦିଆଗଲାଣି । ନୂତନ ଆସ୍ୱାଦ ଜୀବନ ପାଇଁ ଆସୁ, ହେଲେ ଲୋକସଂସ୍କୃତି ପ୍ରତିସ୍ଥାପିନ ହେଉ" ବୋଲି ସେ ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁଶେଖର ମହାପାତ୍ର ଯୋଗଦେଇ "ଜନମାନସରେ ଟେକ୍ନୋଲୋଜି ନିର୍ଭରତା ବଢୁଛି ସତ, ହେଲେ ଆମ ପୁରୁଣା ପ୍ରଥା, ଜ୍ଞାନ ଓ ଲୋକପରମ୍ପରାର ସଂରକ୍ଷଣ ନହେଲେ ଆଧୁନିକ ଜୀବନ ବିଷମୟ ହୋଇଯିବ" ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରାପ୍ତ କବି ହୃଦାନନ୍ଦ ପାଣିଗ୍ରାହୀ ଯୋଗଦେଇଥିଲେ । ତ୍ୟାଗଭୂମି ପତ୍ରିକା ସମ୍ପାଦକ ଅଧ୍ୟାପକ ଡ. ବିଶ୍ୱରଂଜନ ଦାସ ମହୋତ୍ସବର ସୁଦୀର୍ଘ ସାଂସ୍କୃତିକ ଯାତ୍ରା ସମ୍ପର୍କରେ ସୂଚନା ଦେବା ସହ ସ୍ୱାଗତ ଅଭିଭାଷଣ ଓ ବିଷୟଭିତ୍ତିକ ସୂଚନା ପ୍ରଦାନ କରିଥିଲେ ।