ଅନାବନା ଗଛଲତାରେ ଭର୍ତ୍ତି ସରକାରୀ ବାସଗୃହ

ଖଣ୍ଡପଡ଼ା : ଖଣ୍ଡପଡ଼ା ସହରର ପୁରାତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରସ୍ଥିତ ସରକାରୀ ବାସଗୃହ ଗୁଡିକରେ କର୍ମଚାରୀ ଦିର୍ଘ ବର୍ଷ ଧରି ରହୁଥିବା ବେଳେ, ବାସଗୃହ ଛାତ ଉପର ଅନାବନା ଘାସ ଓ ଗଛଲତାରେ ଭର୍ତ୍ତିହୋଇ ରହିଥିବା ପରିଲକ୍ଷିତ ହେଉଛି ।ବର୍ଷାଦିନ ପୂର୍ବରୁ ବାସଗୃହ ଛାତ ଉପର ସଫା ପ୍ରତି ଦୃଷ୍ଟି ଦିଆଯାଇ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି ।ଗ୍ରୀଷ୍ମ ରୁତୁରେ ବାସଗୃହ ଗୁଡିକର ଛାତ ଉପରେ ଗ୍ରୀଷ୍ମ ଦାଉରୁ ରକ୍ଷା ନିମନ୍ତେ କର୍ମଚାରୀମାନେ ବିଡା ବିଡା ନଡା ପକାଇଥିବା ବେଳେ ପରବର୍ତ୍ତୀ ସମୟରେ ସେଗୁଡ଼ିକୁ ସେଠାରୁ ହଟା ନଯିବା ପରିତାପର ବିଷୟ । ପ୍ରକାଶଥାଉକି, ସରକାରୀ ବାସଗୃହର ଆନୁସଙ୍ଗିକ ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ପ୍ରତିବର୍ଷ ଖଣ୍ଡପଡ଼ା ପୂର୍ତ୍ତବିଭାଗ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଥିଲେ ହେଁ କର୍ମଚାରୀଙ୍କ ଦାୟୀତ୍ୱହୀନତା ଯୋଗୁଁ ସରକାରୀ ଅନୁଦାନ ଅର୍ଥ ପାଣିରେ ପଡିବା ସାର ହୋଇଛି । ଏଥିପ୍ରତି ପ୍ରଶାସନ, ସ୍ୱାସ୍ଥ୍ୟବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।