ଝିଅ ବାହା କଲେ ମିଳିବ ୫୧ ହଜାର ଟଙ୍କା
ଭୁବନେଶ୍ୱର : କନ୍ୟା ବିବାହ ପାଇଁ ସରକାର ଦେବେ ୫୧ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସିଧାସଳଖ ଯୁବତୀଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା । ବିବାହ କାର୍ଯ୍ୟ ପାଇଁ ମିଳିବ ୬ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କାର ଉପହାର ଦେବେ ସରକାର । ଉପହାରରେ ମିଳିବ ପାଉଞ୍ଜି, ଚୁଡି, ଝୁଣ୍ଟିଆ ଓ ବାସନ । ଏଥିପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ୍ ରଖିଛନ୍ତି ସରକାର । ଝିଅର ବୟସ ସର୍ବନିମ୍ନ ୧୮ରୁ ୩୫ ବର୍ଷ ଓ ପୁଅର ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ । ଦିବ୍ୟାଙ୍ଗ, ବିଧବା ଏବଂ ଏସସି-ଏସଟିଙ୍କୁ ମିଳିବ ଅଗ୍ରାଧିକାର । ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛି ମହିଳା ଓ ଶିଶୁ ବିକାଶ ବିଭାଗ ।
ଯେଉଁ ଯୁବତୀ ଓ ଯୁବକ ପ୍ରଥମଥର ପାଇଁ ବିବାହ କରିବେ ସେମାନଙ୍କୁ କେବଳ ଏହି ସୁବିଧା ମିଳିଛି । ସେହିପରି ବିଧବାଙ୍କ ପୁନଃ ବିବାହ କ୍ଷେତ୍ରରେ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯିବ । ଏହି ଯୋଜନା ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ୨୦୨୫-୨୬ ରୁ ୨୦୨୯-୩୦ ବର୍ଷ ପର୍ଯ୍ୟନ୍ତ ଯୋଜନା ଚାଲୁ ରହିବ । ଏନଜିଓ ଦ୍ୱାରା ଏହି ଅର୍ଥରାଶି ପ୍ରଦାନ କରାଯିବ ।ତେବେ ଆବେଦନଗୁଡିକ ‘ପ୍ରଥମେ ଆସ, ପ୍ରଥମେ ପାଅ’ (First-come, first-serve) ଭିତ୍ତିରେ ବିଚାର କରାଯିବ । ଯଦି କୌଣସି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଆବେଦନ ସଂଖ୍ୟା ଅଧିକ ହୁଏ, ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ପାଉଥିବା ପରିବାରଗୁଡିକୁ କ୍ରମରେ ଅଗ୍ରାଧିକାର ଦିଆଯିବ ।