ସୁକିନ୍ଦା ଛକରୁ ଗୋରୁ ବୋଝେଇ ବୋଲେରୋ ଗାଡ଼ି ଜବତ
ସୁକିନ୍ଦା : ୫୩ନଂ ଜାତୀୟ ରାଜପଥର ସୁକିନ୍ଦା ଛକ ନିକଟରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଏକ ଗୋରୁ ବୋଝେଇ ବୋଲେରୋ ଗାଡ଼ି ଜବତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଗୋ-ଟସ୍କର ଗୋ-ଚୋରା ଚାଲାଣ ପାଇଁ ସବୁବେଳେ ନୂଆ କୌଶଳ ବ୍ୟବହାର କରୁଛନ୍ତି । ପିକଅପ୍ କିମ୍ବା ଟ୍ରକ୍ ପରିବର୍ତେ ବୋଲେରୋ ଗାଡ଼ିରେ ଗୋ-ଚାଲାଣ କରୁଛନ୍ତି । କିଛି ଗୋ-ମାଫିଆ ସୋମବାର ସକାଳୁ ଏକ ନଂ ବିହୀନ ବୋଲେରୋ ଗାଡ଼ିରେ ନୃଶଂସ ଭାବେ ୬ଗୋରୁଙ୍କୁ ଗୋଡ ଓ ମୁହଁ ବାନ୍ଧି ନେଉଥିଲେ । ନେବା ସମୟରେ କିପରି ତାହା କାହାକୁ ଦେଖା ନଯିବ ପଛ ଓ ଉଭୟ ପକ୍ଷର କାଚରେ କେମିକାଲ ମାରି ନେଉଥିବା ସମୟରେ ସ୍ଥାନୀୟ ଲୋକେ ଜାଣିପାରି ସୁକିନ୍ଦା ଛକରେ ଗାଡି ଅଟକାଇ ଥିଲେ । ସ୍ଥାନୀୟ ଗୋ-ସେବକ ମାନେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଁଚି ଅଗ୍ନିଶ୍ରମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶ୍ରମ ବାହିନୀର କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଁଚି ବୋଲେରୋ ଗାଡ଼ିକୁ କାଟି ଗାଡ଼ିରୁ ୬ଗୋରୁ ଉଦ୍ଧାର କରିଥିଲେ । ସଂପୃକ୍ତ ଗାଡ଼ିର ଚାଳକ ଓ ସହଯୋଗୀ ଘଟଣା ସ୍ଥଳରୁ ଖସି ପଳାଇଥିବା ବେଳେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଁଚି ୩୦୬/୨୦୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଗତ କିଛି ମାସ ମଧ୍ୟରେ ସ୍ଥାନୀୟ ଲୋକେ ସୁକିନ୍ଦା ଛକରୁ ଅନେକ ଗୋରୁ ବୋଝେଇ ଗାଡି ଅଟକାଇ ପୁଲିସ ଜିମା ଦେଇଥିବା ବେଳେ ଦୈନିକ ରାତ୍ରକାଳିନ ପାଟ୍ରୋଲିଂ କରୁଥିବା ସ୍ଥାନୀୟ ପୁଲିସ କୌଣସି ଦିନ ଗୋରୁ ବୋଝେଇ ଗାଡି ଜବତ କରୁନଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଏହିଭଳି ଅମାନୁଷିକ ଭାବରେ ବେଆଇନ ଗୋ ଚାଲାଣ ରୋକିବାକୁ ସ୍ଥାନୀୟ ଅଂଚଳବାସୀ ସରକାରଙ୍କ ନିକଟରେ ଦାବୀ କରିଛନ୍ତି ।