ହିନ୍ଦୋଳ ସବ ଟ୍ରେଜେରି ପୂର୍ବତନ ବରିଷ୍ଠ କିରାଣୀ ଗିରଫ

ହିନ୍ଦୋଳ ସବ ଟ୍ରେଜେରି ପୂର୍ବତନ ବରିଷ୍ଠ କିରାଣୀ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସବ ଟ୍ରେଜେରି ପୂର୍ବତନ ବରିଷ୍ଠ କିରାଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ବରିଷ୍ଠ କିରାଣୀ ହେଲେ ମନୋରଞ୍ଜନ ସାହୁ । ଶୁକ୍ରବାର ରାତିରେ ସଦର ଥାନା ଅନ୍ତର୍ଗତ ସାଇଁବିରି ଗାଁ ନିକଟରୁ ଗିରଫ କରିଛି ଢେଙ୍କାନାଳ ଭିଜିଲାନ୍ସ । ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ଠାରୁ ସେ ପେନସନ ବାବଦରେ ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ଟଙ୍କା ସେ ନିଜ ଆକାଉଣ୍ଟ ଓ ସମ୍ପର୍କୀୟଙ୍କ ଆକାଉଣ୍ଟ ମାଧ୍ୟମରେ ଆଦାୟ କରୁଥିଲା । 

 

    ସୂଚନାଯୋଗ୍ୟ ଯେ, ମନୋରଞ୍ଜନ ହିନ୍ଦୋଳ ଟ୍ରେଜେରିରେ ଅବସ୍ଥାପିତ ସମୟରେ ଗତ ୨୦୨୩ ରେ ୬୮ ଲକ୍ଷ ୮୫ ହଜାର ୪୯୭ ଟଙ୍କାର ଘୋଟାଲା କରିଥିଲେ । କିଛି ଦିନ ସବ୍‌ ଟ୍ରେଜେରି ଅଫିସର ଭାବେ ଦାୟିତ୍ୱରେ ଥିବାବେଳେ କେତେକ ପେନସନଧାରୀଙ୍କ ଟଙ୍କାକୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡପ କରିଥିଲେ । ପରେ ତାଙ୍କୁ ଭୁବନ ବ୍ଲକ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା । ମାତ୍ର ଘୋଟାଲା ଧରାପଡିଯିବାରୁ ତାଙ୍କୁ ନିଲମ୍ବିତ କରାଯାଇ ମାମଲାକୁ ଭିଜିଲାନ୍ସକୁ ହସ୍ତାନ୍ତର କରାଯାଇଥିଲା ।

   

    ଗତ ୨୦୨୪ ମସିହାରେ ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇ ଢେଙ୍କାନାଳ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ମନୋରଞ୍ଜନ ଫେରାର ହୋଇଯାଇଥିଲେ । ଫଳରେ ଭିଜିଲାନ୍ସ କୋର୍ଟରୁ ତାଙ୍କ ନାମରେ ଗିରଫ ୱାରେଣ୍ଟ ରହିଥିଲା । ତେବେ ମନୋରଞ୍ଜନ ତାଙ୍କ ଗାଁ ସଦର ଥାନା ଅନ୍ତର୍ଗତ ସାଇଁବିରି ଗ୍ରାମକୁ ଆସିଥିବା ବିଶେଷ ସୂତ୍ରରୁ ସୂଚନା ପାଇଥିଲା ଭିଜିଲାନ୍ସ । ଗାଁରୁ ଭୁବନେଶ୍ୱର ପଳାଇ ଯାଉଥିବା ବେଳେ ଗତ ରାତିରେ ସାଇଁବିରି ଗାଁ ନିକଟରୁ ଢେଙ୍କାନାଳ ଭିଜିଲାନ୍ସ ତାଙ୍କୁ କାବୁ କରି ଗିରଫ କରିଛି । ଗିରଫ ପରେ ମନୋରଞ୍ଜନଙ୍କୁ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଉଛି ।