ଗୋଆରେ ଭୟଙ୍କର ଅଗ୍ନିକାଣ୍ଡ ; ୨୫ ମୃତ୍ୟୁ : ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଗୋଆରେ ଭୟଙ୍କର ଅଗ୍ନିକାଣ୍ଡ ;  ୨୫ ମୃତ୍ୟୁ : ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଗୋଆ ଆର୍‌ପୋରାର ନାଇଟ୍‌ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୨୫ ଜଣ ମୃତକଙ୍କ ମଧ୍ୟରୁ ୭ ଜଣଙ୍କ ପରିଚୟ ମିଳିପାରିନାହିଁ । ମୃତକଙ୍କ ମଧ୍ୟରେ ୧୪ଜଣ କ୍ଲବର କର୍ମଚାରୀ ଥିବାବେଳେ ତିନିଜଣ ମହିଳା ଓ ୪ ଜଣ ବିଦେଶୀ ପର୍ଯ୍ୟଟକ ଅଛନ୍ତିି । ଏହି ଅଗ୍ନିକାଣ୍ଡ ସିଲିଣ୍ଡର ବିସ୍ପୋରଣ କାରଣରୁ ହୋଇଛି ବୋଲି ଅନୁମାନ କରାଯାଇଛି । ମାଜିଷ୍ଟ୍ରେଟ୍‌ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଗୁରୁତର ଆହତ ହୋଇଥିବା ୬ଜଣଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । 

     ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠି (ପିଏମଏନଆରଏଫ)ରୁ ଆହତ ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି । ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହ କଥା ହୋଇ ମୃତକଙ୍କ ପରିବାରକୁ ଅନୁକମ୍ପା ଘୋଷଣା କରିବା ସହ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ସାୱନ୍ତ କହିଛନ୍ତି ।

  ମୋଦି ଘଟଣାରେ ପ୍ରତିକ୍ରିୟା ରଖି ଏକ୍ସରେ ଲେଖିଛନ୍ତି, ଗୋଆର ଆରପୋରାରେ ଅଗ୍ନିକାଣ୍ଡ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ। ପ୍ରିୟଜନଙ୍କୁ ହରାଇଥିବା ସମସ୍ତ ପରିବାରକୁ ମୋର ସମବେଦନା ଜଣାଉଛି । ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମୋଦି ଏକ୍ସରେ ପୋଷ୍ଟ କରିଛନ୍ତି ।