ଭକ୍ତକବି ଶିଶୁ ଅନନ୍ତ ଦାସ
ମାଳିକା ହେଉଛି କେତେକ ଆଗତ ଭବିଷ୍ୟ ବଚନର ମାଳା । ଅନନ୍ତଙ୍କ ସଂପର୍କରେ କୁହାଯାଇଛି- ‘ ଅନନ୍ତ ଶିଶୁ ବୋଲି ଦାସ । ଆଗତ କହନ୍ତି ଭବିଷ୍ୟ । ସେ ଆଗତ ଭବିଷ୍ୟ ବଚନମାନ । ଯାହା ପ୍ରଚାର କରିଥିଲେ ତାହା ତୁଣ୍ଡେ ତୁଣ୍ଡେ ରହିଆସିଛି । ତାଙ୍କ ମତରେ ଶ୍ରୀଜଗନ୍ନାଥ ହେଉଛି ସତ୍ୟଯୁଗର ପ୍ରତିଷ୍ଠାତା । ସେ କଳକୀ ଅବତାର ଗ୍ରହଣ କରି ମ୍ଲେଛ ସଂହାର କରିବେ । ସେ ତାଙ୍କ ଚୁମ୍ବକ ଆଗତ ଭବିଷ୍ୟ ମାଳିକା ଗ୍ରନ୍ଥରେ ପଞ୍ଚସଖା ଶ୍ରୀକୃଷ୍ଣଙ୍କ ଗହଣରେ ଦ୍ୱାପର ଯୁଗରେ ଶ୍ରୀ ଦାମ, ସୁଦାମ, ସୁବଳ, ସୁବାହୁ ଓ ଶ୍ରୀବତ୍ସ ରୂପରେ ଜନ୍ମଗ୍ରହଣ କରିଥିବା କଥା ଉଲ୍ଲେଖ କରିଛନ୍ତି ।
କୃଷ୍ଣ ଚନ୍ଦ୍ର ସୁଆର : ଶ୍ରୀଜଗନ୍ନାଥଙ୍କ ଧର୍ମ ଦର୍ଶନକୁ ପ୍ରକଟିତ କରୁଥିବା ଏବଂ ଉକ୍ରଳୀୟ ଜାତୀୟ ଜୀବନକୁ ଉଦ୍ବୁଦ୍ଧ କରୁଥିବା ପଞ୍ଚସଖାଙ୍କ ଗହଣରେ ବ୍ରହ୍ମଜ୍ଞାନୀ ସିଦ୍ଧ ସାଧକ ଶିଶୁ ଅନନ୍ତ ଦାସ ହେଉଛନ୍ତି ଅନ୍ୟତମ । ସେ ଏକାଧାରରେ ଥିଲେ ଜଣେ ସମାଜ ସଂସ୍କାରକ, ଦାର୍ଶନିକ ସେବକ ତଥା ଜଗନ୍ନାଥୈକ ଭକ୍ତ ଓ ବହୁ ଅଧ୍ୟାତ୍ମିକ ସାହିତ୍ୟର ପ୍ରଣେତା । ଶ୍ରୀଜଗନ୍ନାଥ ଥିଲେ ତାଙ୍କର ପରମ ଉପାସ୍ୟ ଦେବତା । ନିଜର ଯୋଗ ସାଧନା ବଳରେ ଜଗତର ପିତା ମାତା ଲକ୍ଷ୍ମୀ ନାରାୟଣଙ୍କ କ୍ରୋଡରେ ଶିଶୁ ପ୍ରଦ୍ୟୁମ୍ନ ଭାବରେ ଖେଳିବା ହେତୁ ତାଙ୍କୁ ଶିଶୁ ଭାବରେ ଶ୍ରୀଜଗନ୍ନାଥ ସମ୍ବୋଧନ କରିବାରୁ ତାଙ୍କ ନାମ ଶିଶୁ ଅନନ୍ତ ହୋଇଥିଲା । ସେ ମାତା ଲକ୍ଷ୍ମୀଙ୍କ କୋଳରେ କ୍ଷୀର ପାନ କରିଥିଲେ । ଏତଦ୍ବ୍ୟତୀତ ଶିଶୁ ସୁଲଭ ସରଳତା ଏବଂ ନିର୍ମଳ ଭାବ ଯୋଗୁ ଲୋକମୁଖରେ ସେ ଶିଶୁ ଅନନ୍ତ ନାମରେ ପରିଚିତ । ବହୁ ବର୍ଷ ଜଗନ୍ନାଥ ମନ୍ଦିରରେ ଅବିଚଳିତ ଭାବରେ ସେ ଯୋଗକ୍ରିୟା ସଂପାଦନା କରିଥିଲେ । ଏକାକ୍ଷର ସୂର୍ଯ୍ୟ ନାରାୟଣ ମନ୍ତ୍ର ଏକହଜାର ବାର ଦୈନିକ ଜପ କରୁଥିଲେ । ତାଙ୍କ ବଂଶର ଉତ୍ତରାଧିକାରୀମାନେ ଶିଶୁ ଗୋସ୍ୱାମୀ ରୂପେ ପରିଚିତ ।
ନିଜର ସାଧନା ତଥା ଦିବ୍ୟ ଦୃଷ୍ଟି ବଳରେ ସେ ବହୁ ଗ୍ରନ୍ଥ ରଚନା କରିଥିଲେ । ସେଗୁଡିକ ମଧ୍ୟରୁ ହେତୁ ଉଦୟ ଭାଗବତ, ପିଣ୍ଡ ବ୍ରହ୍ମାଣ୍ଡ ଗୀତା, ଭଜନ ତତ୍ତ୍ୱ, ଭକ୍ତି ମୁକ୍ତି ଦାୟକ ଗୀତା, ଅଣାକାର ଶବ୍ଦ, ଅର୍ଥତାରିଣୀ, ମନ୍ତ୍ର ଚନ୍ଦ୍ରିକା, ଉଦେବାଖର, ଠିକ୍ ବାଖର, ଛାଟ ବାଖର, ଭବିଷ୍ୟ ପୁରାଣ, ପରାର୍ଦ୍ଧ ବା ଆଗତ ଭବିଷ୍ୟ, ଠୁଳ ଶୂନ୍ୟ ରାସ, ବୈଷ୍ଣବ ପୁରାଣ, ଧର୍ମଛାତ୍ର, ଶିଶୁମନ୍ତ୍ର ବିଚାର, ଗରୁଡ଼ କେଶବ ସମ୍ବାଦ ଓ ପଦ୍ମବନରାସ ଆଦି ପ୍ରଧାନ । ତାଙ୍କ ରଚନାବଳୀରେ ସାମାଜିକ ସଂସ୍କାର, ଦର୍ଶନ ଧର୍ମତତ୍ତ୍ୱ ଏବଂ ଗଜପତି ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ ସମୟରେ ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନ କିପରି ଥିଲା ତାର ପରିଚୟୋକ୍ତି ମିଳିଥାଏ । ସେ ୧୪୮୬ ଖ୍ରୀ: ରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଗ୍ରାମରେ ଭୂମିଷ୍ଠ ହୋଇଥିଲେ । ସେ ସୂର୍ଯ୍ୟବଂଶୀ ଥିଲେ । ତେଣୁ ବର୍ଣ୍ଣିତ ଅଛି ସୂର୍ଯ୍ୟବଂଶୀ ଜାତ ଶିଶୁ ଅନନ୍ତ । ରାମାନନ୍ଦ ସଂପ୍ରଦାୟ ମହନ୍ତ । ତାଙ୍କ ପିତାଙ୍କ ନାମ କପିଳ ମହାନ୍ତି ଓ ମାତାଙ୍କ ନାମ ଗୋରୀ ଦେବୀ । ଜଗନ୍ନାଥଙ୍କ ସେବକ ବା ‘ଦାସ’ ରୂପେ ପରିଚିତ କରିବାକୁ ଅଧିକ ଶ୍ରେୟ ମଣୁଥିବାରୁ ପଞ୍ଚସଖାଙ୍କ ପରି ସେ ପିତୃ ପରିଚୟ ସାଙ୍ଗିଆ ମହାନ୍ତି ପରିହାର କରି ଦାସ ହେଇଥିଲେ । ଶୈଶବାସ୍ଥାରେ ସେ ମାତାଙ୍କୁ ହରାଇଥିଲେ । ପରେ ପିତା ମଧ୍ୟ ତାଙ୍କ ଠାରୁ ଦୂରେଇ ଯାଇଥିଲେ । ବହୁ ଅସ୍ୱଚ୍ଛଳତା ମଧ୍ୟରେ ତାଙ୍କର ଜୀବନ କୁସୁମ ବିକଶିତ ହୋଇଥିଲା । ତେଣୁ ସେ ଲେଖନ୍ତି ପିତାମାତା ବିନୁ ଭ୍ରମିଲି ଦେଶ, ନିରେଖ ଦେଖି ପ୍ରଭୁ ଦେଲେ ବାସ/ ଅନନ୍ତ ପୁରୁଷୋତ୍ତମ ଠାକୁର, ନିବାସ କଲି ତାଙ୍କ ପାରୁଶର/ ବିନ୍ଦୁସାଗରେ କରଇସ୍ନାନ ଅନନ୍ତ ଚରଣେ ନିତ୍ୟ ଦର୍ଶନ/ ଅନେକ ବର୍ଷ କରିବା ପରେ ଏକାମ୍ର ବନ ସ୍ଥିତ ଅନନ୍ତ ପୁରୁଷୋତ୍ତମ (ବାସୁଦେବ) ପୀଠରେ ତଥା ବିନ୍ଦୁ ସାଗର ପୂର୍ବ ଅଗ୍ନିକୋଣର ଏକ ସ୍ଥାନରେ ସେ ଅବସ୍ଥାନ କରିଥିଲେ । ତାଙ୍କର ପ୍ରଧାନ ଶିଷ୍ୟ ଥିଲେ ସିଦ୍ଧ ବାରଙ୍ଗ, ଯାହାଙ୍କର ମୁଖ୍ୟ ପୀଠ ଥିଲା ଜଗତ୍ସିଂହପୁରର ଅଳକା ନଦୀ କୂଳବର୍ତ୍ତୀ ବାରଙ୍ଗ ଆଶ୍ରମ । ସେ ଗୁରୁଙ୍କର ପରିଚୟ ଦେବାକୁ ଯାଇ ବ୍ରହ୍ମକୁଣ୍ଡଳୀ ଗ୍ରନ୍ଥରେ ଏକଥା ଉଲ୍ଲେଖ କରିଛନ୍ତି- ‘ଅନାଦି ଆଜ୍ଞା କରିଥିଲେ ଯାହା ସତ ଅନନ୍ତ ମୋତେ ଦେଲେ ତାହା ବେଲବରୁଣ ମୂଳେ ଗର୍ତ୍ତୁଜାତ’ । ଯେତେବେଳେ ହେଲେ ଶିଶୁ ଅନନ୍ତ । ଖଣ୍ଡଗିରିରେ ମଧ୍ୟ ଶିଶୁ ଅନନ୍ତଙ୍କର ଆଶ୍ରମ ଥିବାର ଜଣାଯାଏ । ସେଠାରେ ସୂର୍ଯ୍ୟ ନାରାୟଣ ପ୍ରସନ୍ନ ହୋଇ ଏକାକ୍ଷର ମନ୍ତ୍ର ପ୍ରଦାନ କରିଥିଲେ । ବାଲିପାଟଣା ତଥା ବାରଙ୍ଗ ପୀଠର ଆରାଧ୍ୟ ଠାକୁର ହେଉଛନ୍ତି ଶ୍ରୀଜଗନ୍ନାଥ । ତାଙ୍କର ବିଭିନ୍ନ ରଚନାରେ ଶ୍ରୀଜଗନ୍ନାଥଙ୍କୁ ନିଜର ଆରାଧ୍ୟ ଭାବରେ ବର୍ଣ୍ଣବା କରିଛନ୍ତି । ହେତୁ ଉଦୟ ଭାଗବତ ହେଉଛି ତାଙ୍କର ଏକ ପ୍ରସିଦ୍ଧ ବ୍ରହ୍ମଜ୍ଞାନ ମୂଳକ ଗ୍ରନ୍ଥ । ସୃଷ୍ଟି ତତ୍ତ୍ୱ ପ୍ରସଙ୍ଗରେ ଏଥିରେ ଯାହା ବର୍ଣ୍ଣନା କରାଯାଇଛି ଅତ୍ୟନ୍ତ ଶିକ୍ଷଣୀୟ ।
କବିଙ୍କ ଭାଷାରେ- ‘ଅନାଦି ପରେ ଦେହ ରହି ତା’ପରେ ଆଉ କେହି ନାହିଁ ସକଳ ଯହିଁ ହୁଏ ଲୀନ ।’
ଶରୀର ମଧ୍ୟରେ ଶ୍ରୀଜଗନ୍ନାଥ ତତ୍ତ୍ୱର ସୁନ୍ଦର ବିଶ୍ଲେଷଣ କରି କବି କହନ୍ତି ଶିଶୁ ବେଦ ଯେ ନୀଳଗିରି । ତେଣୁ ତା ନାମ ନୀଳଗିରି ।‘କରୁଣା ଶବଦ ବହଇ । କରୁଣାସିନ୍ଧୁ ସେ ବୋଲାଇ ।
ପରମ ପୁରୁଷ ଦେଉଳ । ନୀଳତକ୍ତ ଯେ ଶୂନ୍ୟ ଠୁଳ ।
ଦେଉଳେ ବ୍ରହ୍ମାଣ୍ଡ ଗୋସ୍ୱାଇଁ । ବୁଦ୍ଧ ସ୍ୱରୂପେ ବିହରଇ ।
ମାୟାକୁ ଦିଅଇ ସ୍ୱରୂପ । ସକଳ ରୂପ ଯହିଁ ଗୋପ୍ୟ ।
ଅରେଖ ଅରୂପ ଅଚ୍ୟୁତ । ଅକ୍ଷର କ୍ଷର ସର୍ବ ଜାତ । ଏମନ୍ତ ନୀଳାଦ୍ରି ମହିମା । ଦେବାକୁ ନାହିଁ ନା ଉପମା ।’
ଏତଦ୍ବ୍ୟତୀତ ଶ୍ରୀଜୀଉଙ୍କୁ ବୁଦ୍ଧ ଅବତାର ଭାବରେ ଗ୍ରହଣ କରି ଲେଖିଛନ୍ତି-
‘ତହୁଁ ବଉଦ ରୂପ ଭଗବାନ । ରହିଲେ ପୁରୁଷୋତ୍ତମ ଭୁବନ ।
ୟେ ଚାରିଭୁଜ ଚାରିବେଦ କହି । ବଉଦ ରୂପେ ନୀଳଗିରି ରହି ।’
ଶ୍ରୀଜଗନ୍ନାଥ କଳ୍କୀ ଅବତାରରେ ପଞ୍ଚସଖାଙ୍କୁ ସାଙ୍ଗରେ ନେଇ ପ୍ରକାଶ ଲାଭ କରିବେ । ଏହି ବିଷୟଟି ଆମ ଗାଁ ଗହଳିରେ ଏବେ ମଧ୍ୟ ଜନପ୍ରିୟ କାହାଣୀ । ‘ଅନନ୍ତ ଶିଶୁଙ୍କର ଧାମଚକ୍ରରୁ ତାଙ୍କର ଶ୍ରୀଜଗନ୍ନାଥ ଗ୍ରାମୀଣ ସୁସ୍ଫଷ୍ଟ- ଦେଖ ଉକ୍ରଳ ଦେବୀ ଶ୍ରୀ ପୁରୁଷୋତ୍ତମଧାମ । ଅନନ୍ତ ପୁରୁଷୋତ୍ତମଧାମ ବଳଭଦ୍ର ଦେବତା । ଜଗନ୍ନାଥ ଉପାସୀ ମାଧ୍ୟମ ।’ ଶ୍ରୀଜଗନ୍ନାଥଙ୍କର ପରମ ଉପାସକ ଭାବରେ ତାଙ୍କର ବିଭିନ୍ନ ମନ୍ତ୍ରରେ ଶ୍ରୀଜଗନ୍ନାଥଙ୍କୁ କବି ପ୍ରଣତି ଜଣାଇ ମନ୍ତ୍ରୋଚାରଣ କରିଛନ୍ତି । ଶ୍ରୀକ୍ଷେତ୍ରର ମାହାତ୍ମ୍ୟ ପ୍ରକଟିତ ହେଉଛି ଶିଶୁ ମନ୍ତ୍ର ବିଚାରରେ । ଶ୍ରୀଜଗନ୍ନାଥଙ୍କର କଳା ଡୋଳାକୁ କୁହାଯାଇଛି ଶ୍ରୀକୃଷ୍ଣ । ବଡ଼ ଦେଉଳ କଳ୍ପଦ୍ରୁମ । ରତ୍ନ ସିଂହାସନ ସହସ୍ରାର ପଦ୍ମବଳ । ବାଇଶି ପାହାଚ ସହସ୍ରଫଣା ପୁଣି ଶ୍ରୀକ୍ଷେତ୍ରର ପ୍ରତ୍ୟେକ ବସ୍ତୁ ସାକ୍ଷାତ କଳ୍ପବଟ । ମାଳିକା ହେଉଛି କେତେକ ଆଗତ ଭବିଷ୍ୟ ବଚନର ମାଳା । ଅନନ୍ତଙ୍କ ସଂପର୍କରେ କୁହାଯାଇଛି- ‘ ଅନନ୍ତ ଶିଶୁ ବୋଲି ଦାସ । ଆଗତ କହନ୍ତି ଭବିଷ୍ୟ । ସେ ଆଗତ ଭବିଷ୍ୟ ବଚନମାନ । ଯାହା ପ୍ରଚାର କରିଥିଲେ ତାହା ତୁଣ୍ଡେ ତୁଣ୍ଡେ ରହିଆସିଛି । ତାଙ୍କ ମତରେ ଶ୍ରୀଜଗନ୍ନାଥ ହେଉଛି ସତ୍ୟଯୁଗର ପ୍ରତିଷ୍ଠାତା । ସେ କଳକୀ ଅବତାର ଗ୍ରହଣ କରି ମ୍ଲେଛ ସଂହାର କରିବେ । ସେ ତାଙ୍କ ଚୁମ୍ବକ ଆଗତ ଭବିଷ୍ୟ ମାଳିକା ଗ୍ରନ୍ଥରେ ପଞ୍ଚସଖା ଶ୍ରୀକୃଷ୍ଣଙ୍କ ଗହଣରେ ଦ୍ୱାପର ଯୁଗରେ ଶ୍ରୀ ଦାମ, ସୁଦାମ, ସୁବଳ, ସୁବାହୁ ଓ ଶ୍ରୀବତ୍ସ ରୂପରେ ଜନ୍ମଗ୍ରହଣ କରିଥିବା କଥା ଉଲ୍ଲେଖ କରିଛନ୍ତି । ସେ ଜ୍ଞାନ ମିଶ୍ରା ଭକ୍ତି ଭାବନା ଉପରେ ଆଲୋକପାତ କରି ଏହି କଳିଯୁଗରେ କେବଳ ଈଶ୍ୱରଙ୍କ ନାମ ଭଜନ କରିବା ପାଇଁ ପରାମର୍ଶ ଦେଇ ଲେଖିଛନ୍ତି-
“ନଯଥା ତୀର୍ଥ ବ୍ରତ କରି, ହୃଦେ ଜପ ରାମ ହରି
କହନ୍ତି ଅନନ୍ତ ଶିଶୁ କରିବୁ ଏଭବ କୂପ ।”
(ଅବନା ଭଜନ)
ତାଙ୍କର ଗୋଟିଏ ପ୍ରସିଦ୍ଧ ଭଜନ ହେଉଛି ହାଟ ଭାଙ୍ଗିବ ହୋ ହାଟ କରିବାକୁ ନାହିଁ । ଏଥିରେ ସେ ଗୋଲାହାଟ, ସୁବୁଦ୍ଧି, ନାମ ଓ ମନ ପ୍ରଭୃତିର କାର୍ଯ୍ୟକୁ ହାଟ ବଜାରର ବ୍ୟବସାୟ ସହିତ ସଂପୃକ୍ତ କରି କାୟା ଯୋଗାଇ ବ୍ୟାଖ୍ୟା କରାଯାଇଥିଲେ ହେଁ ଏଥିରୁ ମିଳୁଥିବା ସମାଜ ଚିତ୍ର ଷୋଡଶ ଶତାବ୍ଦୀ ଦୃଷ୍ଟିରୁ ଅତ୍ୟନ୍ତ ଉପାଦେୟ । ଏତଦ୍ବ୍ୟତୀତ ଅସ୍ଥିର ମନକୁ ସ୍ଥିର କରିବାର ଏକମାତ୍ର ସହଜପନ୍ଥା ହେଉଛି ଭ୍ରୁଲତା ମଧ୍ୟରେ ଦୃଷ୍ଟି ନିକ୍ଷେପ କରିବା । ଏହା ଅଭ୍ୟାସ କଲେ ମନ ଆପେ ଆପେ ସ୍ଥିର ହୋଇଯିବ । ତେଣୁ କବି କହନ୍ତି- ‘ଭ୍ରୁଲତା ମଧ୍ୟରେ ଯେ ମନ, ବାର ଯୋଜନ ତା ଗମନ ।’ ଭାସ୍କର ମୁନି ଥିଲେ ତାଙ୍କ ଗୁରୁ । ତାଙ୍କର ଇଷ୍ଟଦେବ ହେଉଛନ୍ତି ଅନନ୍ତ ବାସୁଦେବ । ସେ ମହାପ୍ରଭୁ ଜଗନ୍ନାଥଙ୍କୁ ତାଙ୍କର ପରମ ଗୁରୁ ଭାବରେ ସ୍ୱୀକାର କରୁଥିଲେ । ତାଙ୍କ ସଂପର୍କରେ ଅନେକ ଅଲୋକିକ କଥା ଶୁଣାଯାଏ । ଶ୍ରୀକ୍ଷେତ୍ରରେ ମା’ ଲକ୍ଷ୍ମୀଙ୍କ ସ୍ତନରୁ କ୍ଷୀର ପାନ, ଖଣ୍ଡିଆ କାନ୍ଥରେ ବସି ଶୂନ୍ୟ ମାର୍ଗରେ ଉଡି ଉଡି ଯାଇ ନିମାପଡାର ତକ୍ରାଳୀନ ରାଜା ରାଜସିଂଙ୍କ ଦରବାରରେ ପହଞ୍ଚବା ଏବଂ ଗୋପାଳର ଆଖୁ କ୍ଷେତରେ ଗାଈଗୋରୁ ଖାଇବା ଦୂରେ ଥାଉ କିଆରୀରେ କୋଣସି ଖୋଜ ମଧ୍ୟ ପଡିବା ହିଁ କହି ପୀର ଖାଁକୁ ରାଜଦଣ୍ଡରୁ ରକ୍ଷା କରିବା ଉପାଖ୍ୟାନ ଆଦି ତାଙ୍କର ଅଲୋକିକତା ଓ ଏକନିଷ୍ଠ ସାଧନା ଜାଣିଲେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ପଡେ । ତାଙ୍କ ମତରେ ‘ଅବନା ଅକ୍ଷର’ କୁ ଜପ କଲେ କୋଟି ଜନ୍ମର ପାପ ଦୂର ହୁଏ ଏବଂ ଏହା କୋଣସି ନିର୍ଦ୍ଦିଷ୍ଟ ସାଧନାମାର୍ଗର ଅନ୍ତର୍ଭୁକ୍ତ ନୁହେଁ । ତେଣୁ ସେ ଏହାକୁ ‘ଅସାଧନା ମାର୍ଗ’ କହିଛନ୍ତି । କିନ୍ତୁ ଏହି ମାର୍ଗରେ ମାପ କରାଯାଇ ପାରୁନଥିବା ନିରାକାରଙ୍କୁ ହୃଦୟ ମଧ୍ୟରେ ମାପ କରାଯାଇପାରେ । ଏହି ‘ଅସାଧନା ମାର୍ଗ’ ଅଜପାଜପ । ଏହି ଜପର ନିୟମ ହେଉଛି-ଦନ୍ତଓଷ୍ଠ ନ ହଲିବ, ଶିରକଣ୍ଠ ନ କମ୍ପିବ ମନ୍ତ୍ରଯନ୍ତ୍ର ନାହିଁ ତହିଁ ଦେଖିବ ଓ ବ୍ରହ୍ମରୂପ ।’
ବୈଷ୍ଣବ ଧର୍ମ ଆନ୍ଦୋଳନର ସେ ଥିଲେ ଜଣେ ବଡ ପ୍ରବକ୍ତା । ନିଜର ଯୋଗ ଶକ୍ତି, ପ୍ରଜ୍ଞା ଓ ଉକ୍ତ ବଳରେ ଓଡ଼ିଆ ଆଧ୍ୟାତ୍ମିକ ଜୀବନକୁ ପ୍ରଭାବିତ କରିଥିଲେ । ଷୋଡଶ ଶତାବ୍ଦୀରେ ଯେତେବେଳେ ମୁସଲମାନ ଶାସକମାନଙ୍କର ଆଧିପତ୍ୟ, ସ୍ୱାର୍ଥାନ୍ୱେଷୀ ପୋରୋହିତ୍ୟ ଗୋଷ୍ଠୀର ଧର୍ମ ନାମରେ ଭଣ୍ଡାମି ଏବଂ ଧର୍ମଧ୍ୱଜାଧାରୀ ଶାସ୍ତ୍ରବିତିଙ୍କର ଆଧିପତ୍ୟ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ଘଡ଼ି ସନ୍ଧି ମୁହୂର୍ତ୍ତରେ ତାଙ୍କର ଆବିର୍ଭାବ ଏ ସଂସ୍କୃତି ପାଇଁ ଥିଲା ଏକ ଦୈବୀ ଆଶୀର୍ବାଦ । ମାର୍ଗଶୀର ଶୁଳ୍କ ଚତୁର୍ଦ୍ଦଶୀ ତିଥିରେ ତାଙ୍କର ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଥାଏ । ଉକ୍ତ ଦିବସକୁ ଶିଶୁ ଅନନ୍ତ ଓ ତାଙ୍କ ପ୍ରଧାନଶିଷ୍ୟ ସିଦ୍ଧ ବାରଙ୍ଗ ଉଭୟଙ୍କ ମହାପ୍ରୟାଣ ଦିବସ ବୋଲି ଧରାଯାଏ । କିନ୍ତୁ ଅନନ୍ତଙ୍କ ଗାଦିରେ ଏହି ଦିନ ଜନ୍ମ ଉତ୍ସବ ଓ ମାଘ ପୂର୍ଣ୍ଣିମା ମହାପ୍ରୟାଣ ଦିବସ ଭାବରେ ପାଳିତ ହୋଇଥାଏ । କୁଶଭଦ୍ରା ନଦୀତୀରସ୍ଥ ବାଲିପାଟଣାଠାରେ ତାଙ୍କର ସମାଧୀ ପୀଠ ରହିଛି । ଏହି ପବିତ୍ର ସ୍ଥାନ ଶିଶୁ ଅନନ୍ତ ଗାଦି ନାମରେ ପରିଚିତ । ଓଡ଼ିଆ ଭକ୍ତି ସାହିତ୍ୟକୁ ତାଙ୍କର ଅବଦାନ ବାସ୍ତବରେ ଅତୁଳନୀୟ ।
ଏମ.ଆଇ.ଜି.ୱାନ ୪୨/୧
ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ
ଭୁବନେଶ୍ୱର, ମୋ-୯୧୭୮୯୦୮୭୬୩