ହ୍ୟୁମାନଙ୍କ ଦୁଇ ମ୍ୟାନେଜରଙ୍କ ନାଁରେ ଏତଲା
ବଲାଙ୍ଗୀର : ଓଡିଶା ସଂଗୀତ ଜଗତର କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣାକୁ ନେଇ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏମଧ୍ୟରେ ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଟାଉନ୍ ଥାନାରେ ଏତଲା ଦିଆଯାଇଛି । ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା । ବିଭିନ୍ନ ସଂଗଠନ ପକ୍ଷରୁ ହ୍ୟୁମାନ ସାଗରଙ୍କ ମା’ଙ୍କୁ ଗାଳିଗୁଲଜ କରିବା ଓ ହ୍ୟୁମାନଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଥିବାର ଅଭିଯୋଗ ଆସିଛି । ଏନେଇ କୋଶଳ ମୁକ୍ତିମୋର୍ଚ୍ଚା ପକ୍ଷରୁ ହ୍ୟୁମାନ୍ ସାଗରଙ୍କ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଆଁରେ ବଲାଙ୍ଗୀର ଟାଉନ୍ ଥାନାରେ ଏତଲା ଦିଆଯାଇଛି । କୋଶଳ ମୁକ୍ତିମୋର୍ଚ୍ଚାର ସାଧାରଣ ସଂପାଦକ ସିପୁନ ଖମାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଅଭିଯୋଗ ଅନୁଯାୟୀ ହ୍ୟୁମାନ ସାଗର ଅସୁସ୍ଥ ଥିବା ସତ୍ତ୍ୱେ ତାଙ୍କୁ ଜୋର ଜବରଦସ୍ତ କାମ କରାଇଥିଲେ । ଏହାସହ ତାଙ୍କୁ ହତ୍ୟା କରାଯାଇଥିବା ସହ ମାଆଙ୍କୁ ଦୁର୍ବ୍ୟବହାର କରି ଅପଶବ୍ଦ ବ୍ୟବହାର ଅଭିଯୋଗରେ ହୋଇଛି ଏତଲା । କାରଣ ହ୍ୟୁମାନଙ୍କ ମୃତ୍ୟୁ ପରେ ମାଆ ଓ ତାଙ୍କ ମ୍ୟାନେଜରଙ୍କ ମଧ୍ୟରେ ହୋଇଥିଲା ଜୋରଦାର କଥା କଟାକଟି ।
ସୂଚନାଯୋଗ୍ୟ, ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଗତ ୧୭ ତାରିଖ ରାତି ପ୍ରାୟ ୯ଟାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ଡାକ୍ତରଖାନାରେ ଭର୍ତ୍ତି ହେବାର କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା । ସେ ଲିଭର ଓ କିଡନିଜନିତ ରୋଗରେ ପୀଡିତ ଥିଲେ । ସେଥିପାଇଁ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡିତ ଥିଲେ । ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା । ଡାକ୍ତରଙ୍କ ଶତଚେଷ୍ଟା ପରେ ବି ହ୍ୟୁମାନଙ୍କ ଦେହାନ୍ତ ହୋଇଥିଲା ଏବଂ ସେ ଚିରନିଦ୍ରାରେ ଶୋଇଯାଇଥିଲେ ।