୧୦ ଦିନ ଧରି ଛାତ୍ରଙ୍କ ଗୋଡ଼ରେ ବେଡ଼ି

  • ବାଲେଶ୍ୱର ସାଂସଦଙ୍କ ଉଦବେଗ
  • କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ

ନୀଳଗିରି : ଜୈନିକ ଛାତ୍ର ଦୁଷ୍ଟାମୀ କରୁଥିବାରୁ ଆଜକୁ ୧୦ ଦିନ ଧରି ଗୋଡ଼ରେ ବେଡ଼ି ପକାଇ ରଖାଯାଇଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବାର ଦେଖିବାକୁ ମିଳିଛି । ଏହିପରି ଏକ ସମ୍ବେଦନଶୀଳ ଘଟଣା ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଏକ ୪୦ ଶଯ୍ୟା ବିଶିଷ୍ଟ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ନୀଳଗିରି ବ୍ଲକର ବେଗୁନିଆ ୪୦ଶଯ୍ୟା ବିଶିଷ୍ଟ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଘଟଣା । ଉକ୍ତ ବିଦ୍ୟାଳୟରେ କମାର ଖାଲିଆ ଅଞ୍ଚଳର ମଳୟ ସିଂ ନାମକ ଛାତ୍ର ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ ପିଲାଟି ଦୁଷ୍ଟାମୀ କରୁଥିବାରୁ, ଏହାକୁ ନେଇ ହଷ୍ଟେଲ ଚାର୍ଜରେ ଥିବା ସାର୍‌ଙ୍କୁ କାଳେ ପିଲାର ବାପା ତାକୁ ଗୋଡ଼ରେ ବେଡ଼ି ପକାଇ ବାନ୍ଧି ଦିଅ ବୋଲି କହିଥିବାର ଶୁଣିବାକୁ ମିଳୁଛି । 

     ଏପଟେ ସରକାର ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୁଡିକରେ ଦଣ୍ଡ ମୁକ୍ତ ଅଞ୍ଚଳ ଭାବେ ଘୋଷଣାନାମା ଜାରି କରିଛନ୍ତି । ତେବେ ପିଲାର ବାପାଙ୍କ କଥାରେ ହଷ୍ଟେଲ ଚାର୍ଜରେ ଥିବା ସାର୍‌ ନିଜର ମାନବିକତା ଭୁଲି ପିଲାଟିର ଗୋଡ଼ରେ ବେଡ଼ି ପକାଇ ରଖିବା ସହିତ କ୍ଲାସ୍‌ କରିବାକୁ ଛାଡ଼ିନଥିଲେ । ଏତେବଡ଼ ଘଟଣାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିପରି ଜାଣି ପାରିଲେ ନାହିଁ ବୋଲି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଉକ୍ତ ଭିଡିଓଟି ମୋବାଇଲକ  ମୋବାଇଲ ଘୁରି ବୁଲୁଥିବା ବେଳେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଦେଖିବା ପରେ ଦୁରନ୍ତ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ଜିଲ୍ଲା ମଙ୍ଗଳ ଅଧିକାରୀ,ଉପ ଜିଲ୍ଲାପାଳ ନୀଳଗିରି ଙ୍କୁ ଅବଗତ କରିଥିଲେ । ତୁରନ୍ତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପିଲାଟିକୁ ଆଜକୁ ଦଶ ଦିନ ଧରି ବେଡ଼ି ପକାଇ ରଖାଯାଇଥିବା ଶୁଣିବାକୁ ମିଳୁଛି । ନବରଙ୍ଗପୁର ଘଟଣା ପରି ନୀଳଗିରିର ଦେଖିବାକୁ ମିଳିଥିଲା ବେଳେ ସାଧାରଣରେ ଘୋର ନିନ୍ଦା କରାଯାଉଛି । ଜିଲ୍ଲାପାଳ କି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ଦେଖିବାକୁ ନୀଳଗିରି ବାସୀ ଅପେକ୍ଷା କରିଛନ୍ତି ।