ପୁଣି ଅପରାଧୀଙ୍କୁ ମୋହନଙ୍କ ଚେତାବନୀ : ‘ସୁଧୁରିଯାଅ, ନହେଲେ ସୁଧାରିଦେବୁ’
- ରାଜ୍ୟରେ ଅପରାଧ କମିଛି : ମୋହନ
- ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩ କୋଟି
- ୧୫୩୨୬ ନୂଆ ପଦବୀ ସୃଷ୍ଟି ହୋଇଛି
- ୩୫୫୭ ପଦବୀରେ ଖୁବଶୀଘ୍ର ନିଯୁକ୍ତି
ଭୁବନେଶ୍ୱର : ବିଧାନସଭା ଗୃହରୁ ପୁଣି ଅପରାଧିଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଧାସିଧା କହିଛନ୍ତିଯେ, ଅପରାଧର ଲାଇସେନ୍ସ ଏକ୍ସପାୟରୀ ହୋଇଯାଇଛି । ସୁଧୁରିଯା’, ନହେଲେ ସୁଧାରିଦେବୁ । କୌଣସି ବି ଅପରାଧିଙ୍କୁ ସରକାର ସୁରକ୍ଷା ଦେବେନାହିଁ । ଗୃହ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଏଭଳି ଚେତାବନୀ ଦେଇଛନ୍ତି ।
ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଲେଯେ, ଗତ ପ୍ରାୟ ଅଠର ମାସ ଭିତରେ ରାଜ୍ୟ ପୋଲିସର ଯଦି କେବଳ ଗୋଟିଏ ସଫଳତା ମୋତେ ପଚାରିବେ, ତେବେ ମୁଁ କହିବି, ‘କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନହୋଇ ଅପରାଧୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏବଂ କୌଣସି ଅପରାଧୀଙ୍କୁ ରାଜନୈତିକ ସଂରକ୍ଷଣ ଦେଇନାହାନ୍ତି ।’ ଏନସିଆରବିର ତଥ୍ୟ ଅନୁଯାୟୀ, ୨୦୨୩ରେ ଦଣ୍ଡନୀୟ ଅପରାଧର ସଂଖ୍ୟା ଥିଲା ୨ ଲକ୍ଷ, ଯାହାକି ପୂର୍ବବର୍ଷ ତୁଳନାରେ ୧୨.୨% ଅଧିକ । ନାରୀ ନିର୍ଯ୍ୟାତନା ରିପୋର୍ଟ ଦେଖିଲେ ଏ ଗୃହରେ ଉପସ୍ଥିତ ସମସ୍ତଙ୍କ ମୁଣ୍ଡ ଲଜ୍ୟାରେ ତଳକୁ ହୋଇଯିବ । ସାରା ଦେଶରେ ଜନସଂଖ୍ୟାର ଅନୁପାତ ହିସାବରେ ମହିଳାମାନଙ୍କ ବିରୁଦ୍ଧରେ ହିଂସା କ୍ଷେତ୍ରରେ ଓଡିଶାର ସ୍ଥାନ ଥିଲା ପ୍ରଥମ । ମହିଳାଙ୍କ ସମ୍ମାନ ହାନିରେ ଓଡ଼ିଶା ଦେଶରେ ଦ୍ୱିତୀୟ ସର୍ବାଧିକ ଥିବାବେଳେ ମହିଳାଙ୍କୁ ସର୍ବସାଧାରଣରେ ନିର୍ବସ୍ତ୍ର କରିବାରେ ଓଡ଼ିଶା ଏକ ନମ୍ବରରେ ଥିଲା । ମାନବ ଚାଲାଣ କ୍ଷେତ୍ରରେ ବି ଓଡିଶା ସାରା ଦେଶରେ ପ୍ରଥମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ଗୃହରେ ବିରୋଧୀ ଦଳଗୁଡ଼ିକ ମହିଳା ହିଂସା ଉପରେ ଚିନ୍ତା ପ୍ରକଟ କରିଛନ୍ତି । ବ୍ୟକ୍ତିଗତ ଭାବେ ମୋ ପାଇଁ ମହିଳାମାନଙ୍କ ବିରୁଦ୍ଧରେ ହିଂସା ଅତ୍ୟନ୍ତ ଉଦବେଗଜନକ । ତେବେ ମୋତେ କେବଳ ଗୋଟିଏ ଏପରି ମହିଳା ହିଂସା ଘଟଣା କୁହନ୍ତୁ, ଯେଉଁ କେସ୍ ରେ ଅଭିଯୁକ୍ତକୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଇନାହିଁ କିମ୍ବା ତାକୁ ରାଜନୈତିକ ସୁରକ୍ଷା ଦିଆଯାଇଛି । ମୁଁ ଏମିତି ଅନେକ ଘଟଣା ଉଲ୍ଲେଖ କରି ପାରିବି, ଯେଉଁଥିରେ ବିଗତ ସରକାର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିଲେ । ମାଲକାନଗିରି, ଦେବଗଡ଼ ଏବଂ ସୋନପୁର ଜିଲ୍ଲାରେ ପକସୋ କୋର୍ଟ ପ୍ରତିଷ୍ଠା ପାଇଁ ହାଇକୋର୍ଟଙ୍କୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ସେହିଭଳି, ନୂତନ ଫୌଜଦାରୀ ଆଇନ କାର୍ଯ୍ୟକାରୀ ହେବା ପରେ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ୩୯ ମାମଲାରେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୭ ବର୍ଷରୁ ଅଧିକ ଦଣ୍ଡ ବିଧାନ କରାଯାଇଛି ।
ଗତ ୧୫ ମାସରେ ପୂର୍ବାପେକ୍ଷା ଦୁଷ୍କର୍ମ ମାମଲା ୩.୩%, ଅସଦାଚରଣ ମାମଲା ୧.୯%, ସର୍ବସାଧାରଣରେ ନିର୍ବସ୍ତ୍ର ମାମଲାରେ ୨୨.୨ % , ମହିଳାମାନଙ୍କ ଉପରେ ଏସିଡ୍ ଆକ୍ରମଣ ମାମଲାରେ ୬୬.୭%, ମହିଳା ଚାଲାଣ ମାମଲାରେ ୨୪.୧% ହ୍ରାସ ପାଇଛି । ସେହିପରି ଯୌତୁକ ହତ୍ୟା ମାମଲାରେ ୨୦.୬%, ଯୌତୁକ ନିର୍ଯାତନା ମାମଲାରେ ୭.୨% ହ୍ରାସ ପାଇଛି । ଏହାଛଡ଼ା ହତ୍ୟା ୬.୧%, ଡକାୟତି ୫.୫%, ଲୁଟ୍ ୩୩.୮% ଓ ଦଙ୍ଗା ୨୨.୨ % ହ୍ରାସ ପାଇଛି । ରାଜ୍ୟର ୬୪୯ଟି ଥାନାରେ ମହିଳା ଏବଂ ଶିଶୁ ଡେସ୍କ କାର୍ଯ୍ୟ କରୁଅଛି । ସୁଭଦ୍ରା ସୁରକ୍ଷା ଯୋଜନାରେ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୧୫୨ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି, ଯାହା ମହିଳା ସୁରକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ଭିଜନ ‘ମାଓ ମୁକ୍ତ ଭାରତ’ ନିର୍ମାଣ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ମାର୍ଚ୍ଚ ୨୦୨୬ ଡେଡ୍ ଲାଇନ ଦେଇଛନ୍ତି। ଏଥିପାଇଁ ଆମ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ। ଚଳିତବର୍ଷ ଅଦ୍ୟାବଧି ଓଡିଶା ପୋଲିସ ଓ ଛତିଶଗଡ ପୋଲିସ ସୁରକ୍ଷା ବାହିନୀଙ୍କ ମିଳିତ ଅଭିଯାନରେ ୧୭ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି । ସେହିପରି ଓଡିଶା ପୋଲିସର ସୁରକ୍ଷା ବାହିନୀଙ୍କ ଅଭିଯାନରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ତନ୍ମଧ୍ୟରେ, କେନ୍ଦ୍ରୀୟ କମିଟି ସଦସ୍ୟ ଚଳପତିଙ୍କ ସମେତ ଦୁଇ ଜଣ ରାଜ୍ୟ କମିଟି ସଦସ୍ୟ ଏବଂ ଜଣେ ଡିଭିଜିନାଲ କମିଟି ସଦସ୍ୟ ଅନ୍ତର୍ଭୁକ୍ତ । ସେହିପରି ୭ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ୪ ଜଣ ଆତ୍ମସମର୍ପଣ କରିଛନ୍ତି।
ଗୃହ ବିଭାଗରେ ମାନବ ସମ୍ବଳ ବିକାଶ ଦିଗରେ ଆମ ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁଛନ୍ତି ଓ ଗୃହ ବିଭାଗରେ ସର୍ବମୋଟ ୧୫ ହଜାର ୩୨୬ ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ୩ ହଜାର ୫୫୭ ଗୋଟି ବିଭିନ୍ନ ବର୍ଗର ପଦବୀର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ନିକଟ ଅତୀତରେ ସିଧାସଳଖ ନିଯୁକ୍ତି ପ୍ରକ୍ରିୟାରେ ୧ହଜାର ୮୫୮ ଜଣ କନେଷ୍ଟବଳ/ ସିପାହୀ, ୧୩୫ ଜଣ ସିପାହୀ ଏବଂ ୪୦୪ ଜଣ ଡ୍ରାଇଭର, ୧୭୭ ଜଣ କନିଷ୍ଠ କିରାଣୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୧୯୧ ଜଣଙ୍କୁ ପୁନଃ ଥଇଥାନ ଯୋଜନାରେ ଗ୍ରୁପ–ସି ଓ ଗ୍ରୁପ-ଡି ପଦବୀରେ ନିଯୁକ୍ତି ଦିଆଯାଇ ପୋଲିସ ବିଭାଗକୁ ସଶକ୍ତ ଓ ସମୃଦ୍ଧ କରାଯାଇଛି । ପୋଲିସ ଇତିହାସରେ ପ୍ରଥମ ଥର ପାଇଁ ତଦନ୍ତକାରୀ ଅଧିକାରୀଙ୍କ ତଦନ୍ତ ଖର୍ଚ୍ଚ ନିମନ୍ତେ ପୋଲିସ ବିଭାଗକୁ ୫୦ କୋଟି ଅର୍ଥରାଶି ପ୍ରଦାନ କରାଯାଇଛି । ରାଜ୍ୟର ପ୍ରତ୍ୟେକ ଥାନାକୁ ଦ୍ୱିତୀୟ ଚାରି ଼କିଆ ଯାନ ହିସାବରେ ଗୋଟିଏ ଲେଖାଏଁ ଦ୍ରୁତଗାମୀ ସ୍କପିଓ ଯୋଗାଇ ଦିଆଯାଇଛି ।ତଦନ୍ତକାରୀ ଅଧିକାରୀଙ୍କୁ ୩ ହଜାର ୬୫୫ ଗୋଟି ଦୁଇ ଚକିଆ ଯାନ ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ।