ବିପର୍ଯ୍ୟସ୍ତ ରାସ୍ତାକୁ ନେଇ ଆନ୍ଦୋଳନ ଚେତାବନୀ : ମେଳି ବାନ୍ଧିଲେ ୧୭ ଖଣ୍ଡ ଗ୍ରାମବାସୀ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ହୋଇଥିବା ରାସ୍ତା ରକ୍ଷଣାବେକ୍ଷଣ ଅଭାବରୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏପରିକି ୭କିମି ଦୂର ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଶହ ଶହ ଖାଲଖମା ଭରି ରହିଥିବା ବେଳେ ବର୍ଷା ଦିନରେ ଜୀବନ ଦୁର୍ବିସହ ହୋଇପଡ଼ିଛି । ଏହାକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ, କଳାହାଣ୍ଡି ଜିଲ୍ଲାପାଳ,ଏସ୍ପି, ଲାଞ୍ଜିଗଡ ତହସିଲଦାର ଓ ଲାଞ୍ଜିଗଡ ବିଡିଓଙ୍କୁ ଲିଖିତ ଅଭିଯୋଗ ପରେ ବି କୌଣସି ସୁଫଳ ମିଳି ପାରିନାହିଁ । ଏହାକୁ ନେଇ ପୋଖରୀବନ୍ଧ ପଞ୍ଚାୟତର ୧୭ ଖଣ୍ଡ ଗାଁ ଲୋକଙ୍କୁ ନେଇ ପଞ୍ଚାୟତର ବିନାୟକପୁର ଠାରେ ଏକ ବୈଠକ ଅନୁଷ୍ଠିତ କରି ଚରମ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୨ ତାରିଖ ସୋମବାର ରାଜ୍ୟ ୬ନଂ ରାଜପଥକୁ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ଅନ୍ତର୍ଗତ ୧୭ଟି ଗାଁ ଲୋକଙ୍କ ପାଇଁ ଗତ ୨୦୧୯-୨୦ ବର୍ଷରେ ମୁକୁନ୍ଦପୁର ଛକରୁ କନେର ଭାୟା ମୁକୁନ୍ଦପୁର ରାସ୍ତା ନିର୍ମାଣ ହୋଇଥିଲା । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ଏହି ରାସ୍ତା ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ ଟେଣ୍ଡର ନେଇଥିବା ଠିକାଦାର ନିଜର ୫ ବର୍ଷ ଅବଧି ମଧ୍ୟରେ ରକ୍ଷଣାବେକ୍ଷଣ ତ ଦୂରର କଥା ଏହାର ସାମାନ୍ୟ ମରାମତି ମଧ୍ୟ କଲେ ନାହିଁ । ଫଳରେ ରାସ୍ତା ନିର୍ମାଣ ହେବାର ବର୍ଷକ ମଧ୍ୟରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ସେହିଦିନ ଠାରୁ ଆଜିକୁ ୬ବର୍ଷ ହେଲା ଏହି ରାସ୍ତାରେ ଯାତାୟତ କରିବା ମୁସ୍କିଲ ହୋଇପଡ଼ିଛି । ଏପରିକି ୭କିମି ଦୂର ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଶହ ଶହ ଖାଲଖମା ଭରି ରହିଥିବା ବେଳେ ବର୍ଷା ଦିନରେ ଜୀବନ ଦୁର୍ବିସହ ହୋଇପଡ଼ିଛି । ରାସ୍ତା ସମସ୍ୟା ନେଇ ଗତ ଜୁନ୍ ୬ ତାରିଖ ଓ ଜୁଲାଇ ୨୧ ତାରିଖରେ ଜିଲ୍ଲାପାଳଙ୍କୁ ଲୋକେ ଦାବିପତ୍ର ଦେଇଥିଲେ । ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଏହି ପରିପ୍ରେକ୍ଷୀରେ ଗତ ୧୨ ତାରିଖରେ ଅଞ୍ଚଳର ଶତାଧିକ ଲୋକେ ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେରଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିପରି ଲାଞ୍ଜିଗଡ଼ ବିଡିଓଙ୍କ ଅନୁପସ୍ଥିତିରେ ବ୍ଲକ ଅର୍ଥ ଅଧିକାରୀ ନୀଳାମ୍ବର ଜାନୀ ଓ ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହାପରେ ଗତ ୧୭ ତାରିଖରେ କଳାହାଣ୍ଡି ଏସପିଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହା ସତ୍ତେ୍ୱ ମଧ୍ୟ ପ୍ରଶାସନ ପକ୍ଷରୁ ନୀରବ ସାଜିଥିବା ଯୋଗୁଁ ଆଜି ପୋଖରୀବନ୍ଧ ପଞ୍ଚାୟତର ୧୭ ଖଣ୍ଡ ଗ୍ରାମବାସୀଙ୍କୁ ନେଇ ବିନାୟକପୁର ଠାରେ ଏକ ବୈଠକ କରି ଚରମ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୨ ତାରିଖ ସମବାର ଦିନ ଭବାନୀପାଟଣା- ରାୟଗଡ଼ା ୬ ନମ୍ବର ରାଜ୍ୟ ରାଜପଥ ପୋଖରୀବନ୍ଧ ଛକରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାରୋକ କରାଯିବ ବୋଲି ପୋଖରୀବନ୍ଧ ପଞ୍ଚାୟତର ୧୭ ଗୋଟି ଗାଁ ଲୋକେ ଚେତାବନୀ ଦେଇଛନ୍ତି ।