ରେଶମ ଓ ବୟନ ଯୋଜନାକୁ ମଞ୍ଜୁରୀ : ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା ପାଇଁ ୪୯୦ କୋଟି
- ମନ୍ତ୍ରିମଣ୍ଡଳ ବୈଠକରେ ୬ ପ୍ରସ୍ତାବକୁ ଅନୁମୋଦନ
- ମୁଖ୍ୟମନ୍ତ୍ରୀ ରେଶମ ଯୋଜନାକୁ ମୋହର
- ୫ ବର୍ଷରେ ଖର୍ଚ୍ଚ ହେବ ୨୭୪ କୋଟି
- ଓଡ଼ିଶା ମତ୍ସ୍ୟ ସେବା କ୍ୟାଡ଼ର ପୁନଃଗଠିତ
- ହେବ ଓଡ଼ିଶା ଔଷଧ ଓ ଚିକିତ୍ସା ଉପକରଣ ନୀତି
- ସବୁ ବିଶ୍ୱବିଦ୍ୟାଳୟରେ ଏକକ ସଂରକ୍ଷଣ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ରାଜ୍ୟ ମନ୍ତ୍ରୀମଣ୍ଡଳ ଅନୁମୋଦନ ଦେଇଛନ୍ତି । ଏହି ଯୋଜନାରେ ଆଗାମୀ ୫ ବର୍ଷରେ ୨୭୪ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ମୁଖ୍ୟମନ୍ତ୍ରୀ ବୟନଶିଳ୍ପ ବିକାଶ ଯୋଜନା ପାଇଁ ୪୯୦ କୋଟିର ବ୍ୟୟ ଅଟକଳ କରାଯାଇଛି । ଏହାଦ୍ୱାରା ନୂତନ ନିବେଶକକୁ ଆକର୍ଷିତ କରାଯିବା ସହ ଉତ୍ପାଦକତା ବୃଦ୍ଧି ପାଇପାରିବ। ଅପରପକ୍ଷରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡ଼ରରେ ସଂରକ୍ଷଣ) ପ୍ରସ୍ତାବକୁ ମନ୍ତ୍ରୀମଣ୍ଡଳ ଅନୁମୋଦନ କରିଛନ୍ତି । ଫଳରେ ପ୍ରଫେସର, ଆସୋସିଏସଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ଏକକ ଭାବେ ବିଚାର କରାଯିବ ।
ରାଜ୍ୟ ମନ୍ତ୍ରୀମଣ୍ଡଳରେ ୬ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଗତକାଲି ମନ୍ତ୍ରୀମଣ୍ଡଳ ବୈଠକ ବସିଥିଲେବି ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନଥିଲା । ବିଧାନସଭା ଚାଲିଥିବାରୁ ବିଧି ଅନୁସାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଏସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ଓଡ଼ିଶା ମତ୍ସ୍ୟସେବା କ୍ୟାଡ଼ର ପୁନଃଗଠନକୁ ରାଜ୍ୟ ମନ୍ତ୍ରୀମଣ୍ଡଳ ଅନୁମୋଦନ କରିଛନ୍ତି । ଯାହାଫଳରେ ଓଏଫଏସ କ୍ୟାଡ଼ରରେ ପଦବୀ ସଂଖ୍ୟା ବୃଦ୍ଧି ପାଇଛି । ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ ପଦବୀ ସଂଖ୍ୟା ୨ରୁ ୪କୁ, ମିଳିତ ମତ୍ସ୍ୟ ନିର୍ଦ୍ଦେଶକ ପଦବୀ ସଂଖ୍ୟା ୩ରୁ ୧୯କୁ, ଉପ ମତ୍ସ୍ୟ ନିର୍ଦ୍ଦେଶକ ପଦ ସଂଖ୍ୟା ୧୮ରୁ ୧୧୯କୁ ବୃଦ୍ଧି ପାଇଛି । ସେହିପରି ଲେଭଲ-୧ପରେ ନୂତନ ପଦବୀ, ବ୍ଳକ ମତ୍ସ୍ୟ ଅଧିକାରୀ, ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ ଭଳି ୧୯୫ ପଦବୀ ସୃଷ୍ଟି କରାଯାଇଛି ।
ସେହିପରି ଓଡ଼ିଶା ଔଷଧ ଓ ଚିକିତ୍ସା ଉପକରଣ ନୀତି-୨୦୨୫ ଅନୁମୋଦନ ଲାଭ କରିଛି । ଓଡ଼ିଶା ଔଷଧ ବିକାଶ ସେଲ୍ କ୍ଷେତ୍ରୀୟ ପ୍ରମୁଖ ସଂସ୍ଥା ଭାବେ କାର୍ଯ୍ୟ କରିବ ଏବଂ ଇପିକଲ ଓ ଇଡ଼କୋର ସ୍ୱଚ୍ଛ, ସମୟସୀମାବଦ୍ଧ ସୁବିଧା ଓ ଆର୍ଥିକ ପରିଚାଳନାକୁ ସୁଲଭ କରିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଓଡ଼ିଶା ସୁପରିଅର ଜୁଡ଼ିସିଆଲ ସର୍ଭିସ ଓ ଓଡ଼ିଶା ଜୁଡ଼ିସିଆଲ୍ ସର୍ଭିସ ରୁଲ୍ସ ନିୟମାବଳୀରେ ସଂଶୋଧନ କରାଯିବ । ନିଯୁକ୍ତ ବର୍ଷ ପ୍ରଚଳନ, ସଂଶୋଧିତ ଜିଲ୍ଲା ଜଜ ନିଯୁକ୍ତିର ଅନୁପାତ, ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ) ପାଇଁ ପଦୋନ୍ନତି ଏବଂ ସିଭିଲ ଜଜ୍ (କନିଷ୍ଠ ବିଭାଗ) ପଦ ପାଇଁ ତିନି ବର୍ଷ ଅଭ୍ୟାସ ସହିତ ସିଧାସଳଖ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମା ୪୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।