ମା’ ଭଣ୍ଡାର ଘରଣୀଙ୍କ ପୀଠରେ ମହାଅଷ୍ଟମୀ 

ନବରଙ୍ଗପୁର,୨୯ା୯ : ପବିତ୍ର ଶାରଦୀୟ ନବରାତ୍ରୀ ଉତ୍ସବର ଆଜି ହେଉଛି ମହାଅଷ୍ଟମୀ ତିଥି । ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମା’ଭଣ୍ଡାର ଘରଣୀଙ୍କପୀଠରେ ମହାଷ୍ଟମୀ ମହାସମାରୋହରେ ଅନୁଷ୍ଠିତ ହେଉଛି । ନବରାତ୍ରି ବ୍ରତଧାରୀମାନେ ଆଜି ଅଷ୍ଟମୀ ଉପବାସ ପାଳନ କରିଛନ୍ତି । ବିଜୟା ଦଶମୀ ପାଇଁ ଜିଲ୍ଲର ବିଭିନ୍ନ ଗ୍ରାମରୁ ଗ୍ରାମ ଦେବତୀଙ୍କ ପ୍ରତୀକ ଲାଠିଙ୍କର ଆଗମନ ଆରମ୍ଭ ହୋଇଛି । ଲାଠି ଗୁଡିକର ପୂଜାର୍ଚ୍ଚନା କରାଯାଇଛି । ମା’ଙ୍କ ପୀଠରେ ନବରାତ୍ର ପୂଜାର ପବିତ୍ର ସପ୍ତମୀରେ ଅପରାଜିତା ପୂଜା ଅନୁଷ୍ଠିତ ହୋଇଥିଲା । ରାଜ ପୁରୋହିତ ଶ୍ରୀ ନରସିଂହ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଏହି ପୂଜାବିଧି ଅନୁଷ୍ଠିତ ହୋଇଥିଲା । ଅପରାଜିତାଙ୍କ ପ୍ରବେଶ ସହ ସ୍ୱତନ୍ତ୍ର ନୀତିକାନ୍ତିରେ ମନ୍ଦିର ବେଢାରେ ପୂଜା ଅନୁଷ୍ଠିତ ହୋଇଥିଲା । ଏହି ପୂଜା ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ଦେଖିବାକୁ ମିଳିଥିଲା। ପୂଜାବିଧି ସମାପ୍ତ ପରେ ମା’ଙ୍କ ମନ୍ଦିର ପରିକ୍ରମା କରାଯଇଥିଲା । ଆଜି ମହାଷ୍ଟମୀରେ ମହାହୋମ ସହ ମହାସ୍ନାନ ଅନୁଷ୍ଠିତ ହୋଇ ସନ୍ଧିପୂଜା ଅନୁଷ୍ଠିତ ହେବ । ଅପରାଜିତାଙ୍କ ସହ ଜୟ ଦୁର୍ଗା ପୂଜା ସହ ରାତ୍ରିରେ ଗୁପ୍ତ ପୂଜା ଅନୁଷ୍ଠିତ ହେବ ବୋଲି ରାଜ ପୁରୋହିତ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଆଜି ସାର୍ବଜନୀନ ଦୁର୍ଗା ପୂଜାରେ ମୃଣ୍ମୟୀ ପ୍ରତିମାଙ୍କ ମହାସପ୍ତମୀ ଅନୁଷ୍ଠିତ ହୋଇଛି । ଆଜି ଚକ୍ଷୁଦାନ ସହ ଅପୂର୍ବ ଶୋଭାରେ ବିମଣ୍ଡିତ ହୋଇ ଜଗତ ଜନନୀ ମା’ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।