୫ଟି ତହସିଲରେ ଖୋଲିବ ସବ୍‌ରେଜିଷ୍ଟ୍ରାର ଅଫିସ 

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ୫ଟି ତହସିଲରେ ସବ୍‌ରେଜିଷ୍ଟ୍ରାର ଅଫିସ ପ୍ରତିଷ୍ଠା କରିବାକୁ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିବନ୍ଧକ ରବିନ୍ଦ୍ର କୁମାର ପ୍ରଧାନ ଗ୍ରାମ୍ୟ ଉନ୍ନୟନ ବିଭାଜନ ବା ଆରଡି ବିଭାଗର ନିର୍ବାହୀ ଯନ୍ତ୍ରୀମାନଙ୍କୁ ପତ୍ର ଲେଖିଥିବା ଜଣାପଡିଛି । ଅତିରିକ୍ତ ଜିଳ୍ଲାପାଳ ତଥା ଜିଲ୍ଲା ନିବନ୍ଧକ ତାଙ୍କ ପତ୍ରରେ ପାଟଣା, ସାହାରପଡା, ବାଂଶପାଳ, ଝୁମ୍ପୁରା ଓ ହରିଚନ୍ଦନପୁରରେ ଏହି ସବ୍‌ରେଜିଷ୍ଟ୍ରର କାର୍ଯ୍ୟାଳୟ ନିର୍ମାଣ କରିବାକୁ ଅଟକଳ ଓ ପ୍ଲାନ ଦେବାକୁ କହିଛନ୍ତି । ସ୍ଥାନୀୟ ତହସିଲଦାରଙ୍କ ସହ ଯୋଗାଯୋଗ କରି ଏହି ନୂତନ କାର୍ଯ୍ୟାଳୟ ନିର୍ମାଣ କରିବାକୁ ସେ କହିଛନ୍ତି । ନୂତନ କାର୍ଯ୍ୟାଳୟ ଖୁବ୍‌ ଶୀଘ୍ର ଖୋଲିବା ପରେ ଜନସାଧାରଣ ଇ-ରେଜିଷ୍ଟ୍ରସନ ମାଧ୍ୟମରେ ନିଜର କାର୍ଯ୍ୟ କରିପାରିବେ । ଏହା ଦ୍ୱାରା ସ୍ଥାନୀୟ ଅଂଚଳର ଲୋକ ବେଶ ଉପକୃତ ହେବେ । ରାଜସ୍ୱ ସମ୍ପର୍କିତ ସମସ୍ୟା ଦୂର ହେବା ସହ ଜମିବାଡି କିଣାବିକା, ଦାନ, ଲିଜ୍‌, ବନ୍ଧକ, ବିବାହ ପଞ୍ଜିକରଣ ଆଦି କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ।