ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ପରେ ଗୃହ ମୁଲତବୀ
ଭୁବନେଶ୍ୱର : ଆଜିଠାରୁ ବିଧାନସଭାର ଆରମ୍ଭ ହୋଇଛି ଶୀତକାଳୀନ ଅଧିବେଶନ। ଶୀତକାଳୀନ ଅଧିବେଶନ ଆରମ୍ଭରୁ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ପୂର୍ବତନ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ପୂର୍ବତନ ସଦସ୍ୟ ହେମେନ୍ଦ୍ର ମହାପାତ୍ର, କୃଷ୍ଣଚନ୍ଦ୍ର ମଲ୍ଲିକ ଏବଂ ପୂର୍ବତନ କନଷ୍ଟେବଳ ସରୋଜ ପ୍ରଧାନଙ୍କ ପାଇଁ ମଧ୍ୟ ଶୋକ ପ୍ରସ୍ତାବ ଆଗତ ହୋଇଛି । ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା । ୧ ମିନିଟ୍ ନିରବ ପ୍ରାର୍ଥନା ପରେ ସାଢେ଼ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରାଯାଇଛି।
ଅପରପକ୍ଷେ ଆଜି ପ୍ରଥମ ଥର ପାଇଁ ବିଧାନସଭାରେ ଅଭିଭାଷଣ ରଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅହରାହ୍ନ ୪ଟା ୩୦ରେ ଗୃହରେ ଅଭିଭାଷଣ ରଖିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ନ ୪ଟା ୨୦ରୁ ସାଢେ ୫ଟା ପର୍ଯ୍ୟନ୍ତ ବିଧାନସଭାରେ ଉପସ୍ଥିତ ରହିବେ ରାଷ୍ଟ୍ରପତି । ବିଧାନସଭା ସଦସ୍ୟଙ୍କୁ ରାଷ୍ଟ୍ରପତି ଦେବେ ଗୁରୁମନ୍ତ୍ର । ବିଧାୟକ ଭାବେ ସଦସ୍ୟଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ କ’ଣ ହେବା ଆବଶ୍ୟକ ସେନେଇ ସଦସ୍ୟଙ୍କୁ ମନ୍ତ୍ର ଦେବେ ରାଷ୍ଟ୍ରପତି ।
ଆଜି ଗୃହକୁ ସମ୍ବୋଧନ କରିବା ପରେ ରାଷ୍ଟ୍ରପତି ଏହି ପ୍ରକୋଷ୍ଠରେ କିଛି ସମୟ ଅତିବାହିତ କରିବେ। ମନ୍ତ୍ରୀ ଭାବେ କାର୍ଯ୍ୟକାଳର ପୁରୁଣା ସ୍ମୃତି ସାଉଁଟିବେ । ସେଥିପାଇଁ ଏହି ପ୍ରକୋଷ୍ଠକୁ ସ୍ବତନ୍ତ୍ର ଭାବେ ନୂଆ ରୂପ ଦିଆଯାଇଛି । ରାଷ୍ଟ୍ରପତିଙ୍କ ବସିବା ପାଇଁ ନୂଆ ଚୌକି ଏବଂ ଟେବୁଲ ନିର୍ମାଣ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ପୂରା ବିଧାନସଭାକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।