ସରକାରୀ ଚାକିରି ପ୍ରଲୋଭନ ଦେଖାଇ ଟଙ୍କା ହଡପ : ବନ୍ଧାହେଲା ସୁଧ ବେପାରୀ
ଜଟଣୀ : ସରକାରୀ ଚାକିରୀର ପ୍ରଲୋଭନ ଦେଖାଇ ଜଟଣୀ ଅଞ୍ଚଳର ସୁଶ୍ରୀ ମନୀଷା ମିଶ୍ର ନାମକ ଜଣେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଠକି ନେବା ଅଭିଯୋଗରେ ଜଟଣୀ ଥାନା ପୁଲିସ ରାୟଗଡା ଥାନା ଅଞ୍ଚଳରଏମ ହରିଶଙ୍କର(୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଥାନାଧିକାରୀ ଷ୍ଟାଲିନ ବିଶ୍ୱାଳଙ୍କ ସୂଚନା ମତେ ଅଭିଯୁକ୍ତ ଜଣକ ଅଭାବୀ ଲୋକଙ୍କୁ ଋଣ ପ୍ରଦାନ କରୁଥିବା ନେଇ ଅଭିଯୋଗକାରିଣୀ ମହିଳା ଜଣକ ଗତ ଫେବୃଆରୀ ମାସରେ ଇନଷ୍ଟାଗ୍ରାମ ମାଧ୍ୟମରେ ଜାଣିବାକୁ ପାଇଥିଲେ । ଅଭିଯୁକ୍ତଙ୍କ ଯୋଗାଯୋଗ ବିବରଣୀ ପାଇବା ପରେ ସେ ତାଙ୍କ ସହିତ ଯୋଗାଯୋଗ କରିଥିଲେ । ତା’ପରେ ଅଭିଯୁକ୍ତ ବିଭିନ୍ନ ଋଣ ଆବେଦନ ମାଧ୍ୟମରେ ଋଣ ପାଇବା ପାଇଁ ମାର୍ଗଦର୍ଶନ କରିଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ତାଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ତାଙ୍କୁ ଜଣାଇଥିଲେ ଯେ ସେ ଜଣେ ମଧ୍ୟସ୍ଥିଙ୍କୁ ବ୍ୟବସ୍ଥା କରିଛନ୍ତି ଯିଏ ତାଙ୍କୁ ସରକାରୀ ଚାକିରି ପାଇବାରେ ସାହାଯ୍ୟ କରିବେ । ମିଥ୍ୟା ପ୍ରତିଶ୍ରୁତି ଦେଇ ସେ ଅଭିଯୋଗକାରିଣୀଙ୍କୁ ଚାକିରି ପାଇଁ ଟଙ୍କା ଦେବାକୁ ପ୍ରବର୍ତ୍ତାଇଥିଲେ ।
ପ୍ରଥମେ ଅଭିଯୁକ୍ତ ତାଙ୍କୁ ଇପିକଲ ଏବଂ ପରେ ବନ ବିଭାଗରେ ନିଯୁକ୍ତିର ପ୍ରତିଶ୍ରୁତି ଦେଇ ମହିଳାଙ୍କ ଠାରୁ ଫୋନ୍-ପେ ଓ ନଗଦ ଆକାରରେ ମୋଟ ୯,୦୦,୦୦୦ ଟଙ୍କା ଏବଂ ସୁନା ଅଳଙ୍କାର ନେଇଯାଇଥିଲେ । ଯେତେବେଳେ ଅଭିଯୋଗକାରିଣୀ ଜାଣିପାରିଲେ ଯେ ଅଭିଯୁକ୍ତ ତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଠକିଛନ୍ତି ସେ ତାଙ୍କ ଟଙ୍କା ଏବଂ ସୁନା ଅଳଙ୍କାର ମାଗିଥିଲେ । କିନ୍ତୁ ଅଭିଯୁକ୍ତ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ହତ୍ୟା ଧମକ ଦେଇଥିଲେ । ମାମଲାର ତଦନ୍ତ କରି ପୁଲିସ ଏକ ବସୂତ୍ର ଆଧାରରେ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ ନିକଟରେ ଚଢ଼ଉ କରିବା ସହ ଅଭିଯୁକ୍ତ ହରିଶଙ୍କରଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିିଛି ।