ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା; ଏକଜୁଟ ହେଲେ କଳାକାର

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା; ଏକଜୁଟ ହେଲେ କଳାକାର

ବରଗଡ : ଆଉ କିଛି ଦିନ ପରେ ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଂଞ୍ଚ ଭାବରେ ପରିଚିତ ବରଗଡ ଧନୁଯାତ୍ରା ଆରମ୍ଭ ହେବ । ଚଳିତ ବର୍ଷ ବରଗଡ ଧନୁଯାତ୍ରା  ଡିସେମ୍ବର ୨୪ ତାରିଖରେ ଆରମ୍ଭ ହୋଇ ଜାନୁୟାରୀ ୩ ତାରିଖରେ ଉଦଯାପିତ ହେବ । ୧୧ ଦିନର ଏହି ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଧନୁଯାତ୍ରାକୁ ଆକର୍ଷଣୀୟ ତଥା ଏଥିରେ ଜୀବନ୍ତ ଅଭିନୟ କରିବା ପାଇଁ ଜୋରଦାର ପ୍ରସ୍ତୁତି ସହ ଆରମ୍ଭ ହୋଇଯାଇଛି କଳାକାରଙ୍କ ଅଭ୍ୟାସ । ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ଧନୁଯାତ୍ରାର କଂସ, ମହାମନ୍ତ୍ରୀ, ଅକୃର, ଚାଣ୍ଡୁର, ମୁଷ୍ଟିକ, ଦେବକୀ, ବସୁଦେବ ସମେତ ସମସ୍ତ କଳାକାର ଅଭ୍ୟାସ ଜାରି ରଖିଛନ୍ତି ବିଭିନ୍ନ ଦୃଶ୍ୟକୁ ନେଇ ବରଗଡ ସ୍ଥିତ କଲ୍ୟାଣ ମଣ୍ଡପଠାରେ । ପ୍ରାରମ୍ଭରେ ବାଗଦେବୀ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରି ଚଳିତ ବର୍ଷର ଅଭିନୟ ରିହରସାର୍ଲ ଆରମ୍ଭ କରାଯାଇଥିଲା । ଅକୃରର ନୀତିବାଣୀ, ଉଗ୍ରସେନଙ୍କ ଗାଦିଚ୍ୟୁତ, ବସୁଦେବଙ୍କ କ୍ଷମାପ୍ରାର୍ଥନା, ଗଦା ଯୁଦ୍ଧ ଏମିତିି ଗୋଟିଏ ପରେ ଗୋଟିଏ ଦୃଶ୍ୟକୁ ନେଇ ଚାଲିଛି ବରଗଡ ଧନୁଯାତ୍ରାର ରିହର୍ସାଲ । ଧନୁଯାତ୍ରାରେ ଜୀବନ୍ତ ଅଭିନୟ ପାଇଁ ନାଟ୍ୟକାର ଅଶୋକ ବେହେରାଙ୍କ ଦିଗଦର୍ଶନରେ କଂସ ଠାରୁ ଆରମ୍ଭ କରି ସମସ୍ତ କଳାକାରମାନେ ଲାଗି ପଡିଛନ୍ତି ରିହର୍ସାଲରେ । ଚଳିତ ବର୍ଷ ସୁଶୀଲ ମେହେର ପ୍ରଥମ ଥର ପାଇଁ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ବେଳେ ସେ ପାତ୍ରମନ୍ତ୍ରୀଙ୍କ ସହ ଧନୁଯାତ୍ରରେ ତାଳମେଳ ରଖିବା ପାଇଁ ଆରମ୍ଭ କରି ଦେଇଛନ୍ତି ରିହର୍ସାଲ । ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ, କଳାକାର ଚୟନ କମିଟିର ଆବାହକ ଅଶୋକ ବେହେରାଙ୍କ ସମେତ କଳାକାରଗଣ ପ୍ରଦୀପ ପ୍ରଜ୍ୱଳନ କରି ଆଖଡା ଶାଳା ଉଦଘାଟନ କରିଥିଲେ । ଆଖଡାର ପ୍ରଥମ ଦିନରେ ମହାରାଜ ଉଗ୍ରସେନ ଦେବକୀ ବସୁଦେବଙ୍କ ବିବାହ କରାଉଥିବା ଦୃଶ୍ୟ ଅଭିନିତ ହୋଇଥିଲା ।