ଭାଇ ସାମ୍ନାରେ ଚାଲିଗଲା ଭାଇ : ଶିଶୁକୁ କଚାଡ଼ି ଦେଲା ହାତୀ

ଭାଇ ସାମ୍ନାରେ ଚାଲିଗଲା ଭାଇ  : ଶିଶୁକୁ କଚାଡ଼ି  ଦେଲା ହାତୀ

କଳାହାଣ୍ଡି : ଶୁଣ୍ଢରେ ଟେକି କଚାଡି ଦେଲା ହାତୀ । ଫଳରେ ଜଣେ ୭ ବର୍ଷ ବୟସର ଶିଶୁର ମୃତ୍ୟୁ ଘଟିଥିବା ବେଳେ ତାର ଅନ୍ୟ ଜଣେ ଭାଇ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏଭଳି ଦୁଃଖଦ ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ତ୍ରିଲୋଚନ କୁନାଗାଡୁ ଗାଁରେ ଦେଖିବାକୁ ମିଳିଛି । ନିଜ ପୁଅକୁ ହରାଇ ବୁକୁ ଫଟାଇ କାନ୍ଦୁଛି ମାଆ । ଭାଇ ସାମ୍ନାରେ ଭାଇର ମତ୍ୟୁ ଘଟଣା କେତେଯେ ଦୁଃଖ ଦାୟକ ତାହା ବର୍ଣ୍ଣନା କରି ହେଉନାହିଁ । 

    ମୃତ୍ୟୁର ଏହି ଦୃଶ୍ୟ ସତରେ ଅତ୍ୟନ୍ତ ହୃଦୟ ବିଦାରକ । ଘଟଣା ଘଟିବା ପରେ ଅଞ୍ଚଳରେ ଏକ ପ୍ରକାର ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଗାଁର କାଣୁ ମାଝିଙ୍କ ୭ ବର୍ଷର ପୁଅ ରବି ଓ ୫ ବର୍ଷର ସାନ ପୁଅ ହରଡଗୁଡା ଗାଁରେ ଘର କରି ନିକଟସ୍ଥ ଜଙ୍ଗଲରେ ଚାଷ କରନ୍ତି । ଦୁଇ ଭାଇ ସକାଳ ସମୟରେ ଚାଷ ଜମିକୁ ଯାଉଥିବା ସମୟରେ ଜଙ୍ଗଲି ହାତୀର ଆକ୍ରମଣର ଶିକାର ହୋଇଥିଲେ । ଜଙ୍ଗଲି ହାତୀ ଶୁଣ୍ଢରେ ଟେକି କଚାଡି ଦେବାରୁ ଘଟଣା ସ୍ଥଳରେ ହିଁ ୭ବର୍ଷୀୟ ନାବାଳକ ରବି ମାଝୀଙ୍କ ମୃତ୍ୟୁ ଘଟିଛି । ରବିର ବଡ଼ ଭାଇ ସାମରି ଭାଇକୁ ହାତୀ କବଳରୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଥିଲା । ଉତ୍ତ୍ୟକ୍ତ ହାତୀ ରବିକୁ ଶୁଣ୍ଢରେ ଟେକି କଚାଡି ଦେବା ସହିତ ପାଦରେ ଦଳି ଦେଇଥିଲା । ସେଠାରେ ହିଁ ରବିର ପ୍ରାଣବାୟୂ ଉଡ଼ି ଯାଇଥିଲା । ଏସମ୍ପର୍କରେ ଖବର ପାଇ ବନ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି । ଏ ଫଟୋ ଆପଣଙ୍କ ହୃଦୟକୁ ବିଚଳିତ କରିପାରେ । ମୃତ୍ୟୁର ଏ ଦୃଶ୍ୟ ସତରେ ଅତ୍ୟନ୍ତ ହୃଦୟ ବିଦାରକ ।

    ପ୍ରକାଶଥାଉକି, ଲାଞ୍ଜିଗଡ ଅଞ୍ଚଳରେ ବିଭିନ୍ନ ସମୟରେ ଜଙ୍ଗଲୀ ହାତୀ ଫସଲ ନଷ୍ଟ କରୁଥିବା ବେଳେ ହାତୀ ଆକ୍ରମଣରେ ନୀରିହ ଜୀବନ ଯାଉଥିବା ଦେଖିବାକୁ ମିଳୁଛି । ହେଲେ ବନ ବିଭାଗ ହାତୀ ଘଉଡ଼ାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । ସରକାର ହାତୀ ଘଉଡ଼ାଇବା ପାଇଁ ବିଭିନ୍ନ ଯୋଜନାରେ ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ବନ ବିଭାଗ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳୁଛି ।