ହାତୀ ଲଢେଇରେ ହସ୍ତକ୍ଷେପ, ଆକ୍ରମଣ କରି ଜୀବନ ନେଲା ଦନ୍ତା
ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକ ଅନ୍ତର୍ଗତ ଏରଗେଡା ଗ୍ରାମ ନିକଟରେ ଆଜି ପୂର୍ବାହ୍ନରେ ୨ଟି ଦନ୍ତା ହାତୀ ଲଢେଇ କରୁଥିଲେ । ଏନେଇ ଗାଁ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କର ସୂଚନା ଆଧାରରେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଇବାକୁ ଉଦ୍ୟମ କରିଥିଲେ ଏବଂ ସେମାନେ ବିଫଳ ହୋଇଥିଲେ । ଏଥିମଧ୍ୟରେ ବନବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକେ ହାତୀ ଘଉଡାଇବାକୁ ଯାଇଥିବା ଯୁବକଙ୍କୁ ଉତ୍ତେଜିତ ହାତୀ ଆକ୍ରମଣ କରିଛି । ହାତୀର ଏହି ଆକ୍ରମଣରେ ସଂପୃକ୍ତ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ମାଙ୍ଗରା ତିର୍କୀ (୪୦) । ଏଥିରେ ହାତୀ ଘଟଣାସ୍ଥଳରେ ଉଗ୍ରରୂପ ଦେଖାଇଥିଲେ । ସେମାନେ ହିଂସ୍ର ରୂପ ଧାରଣ କରି ଲୋକଙ୍କୁ ଗୋଡାଇଥିଲେ । ହାତୀ ଆକ୍ରମଣରୁ ବର୍ତ୍ତିବା ପାଇଁ ଯୁବକ ଜଣକ ଏକ ପିକ୍ଅପ୍ ଭ୍ୟାନ୍ ପାଖରେ ଲୁଚିଥିଲେ । କିନ୍ତୁ ହାତୀମୁହଁରୁ ବର୍ତ୍ତିପାରି ନଥିଲେ ଯୁବକ ଜଣକ । ୨ଟି ଦନ୍ତା ଯୁବକଙ୍କୁ ଆକ୍ରମଣ କରିଥିଲେ । ଏପରିକି ପିକ୍ଅପ୍ ଭ୍ୟାନକୁ ଓଲଟାଇ ଦାନ୍ତରେ କଣା କରି ପକାଇଲେ । ଏନେଇ ବନ ବିଭାଗ ବନ୍ଧମୁଣ୍ଡା ଓ ପାନପୋଷ ଅଞ୍ଚଳର ଅଧିକ ବନ କର୍ମଚାରୀଙ୍କୁ ଡକାଇ ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।