ନବସତିରେ ପଶିଲା ଦନ୍ତା : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ

କପ୍ତିପଦା, ୫ା୧୦ : ଗୋଠ ଛଡା ଦନ୍ତା ଜନବସତିରେ କଲା ଉତ୍ପାତ । ଜନବସତିରେ ପଶି ଘର ଭାଙ୍ଗିବା ସହିତ ଧାନକ୍ଷେତ ଦଳି ନଷ୍ଟ କରିଛି । ଉଦଳା ବନାଞ୍ଚଳ ଅଧିନ ପାଟପୁର ଗ୍ରାମରେ ଶନିବାର ରାତି ୧୦ ଟା ସମୟରେ ପଶିଥିଲା ଏକ ଗୋଠଛଡା ଦନ୍ତା। ଏହା ପରେ ବନବିଭାଗ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଥିବାବେଳେ ଦନ୍ତାହାତୀ ଟି ଉଦଳା ଅଞ୍ଚଳକୁ ମୁହାଁଇଥିଲା। ଯାହାକି ରାତି ପ୍ରାୟ ସାଢେ ୧୦ ଟା ସମୟରେ ଉଦଳା ନାଗପାଳ ଅଂଚଳରେ ପଶିଥିଲା ଦନ୍ତା । ନାଗପାଳ ଗ୍ରାମର ମଙ୍ଗଳ ଚରଣ ହେମ୍ବ୍ରମଙ୍କ ପରିବାର ଲୋକେ ଘର ବାରଣ୍ଡାରେ ଶୋଇଥିବା ବେଳେ ଅଚାନକ ହାତୀ ଆସି ଘର ସାମ୍ନାରେ ପହଂଚିଥିଲା । ଯାହା ଦେଖି ପରିବାର ଲୋକେ ଭୟରେ ଦୌଡି ଚାଲିଯାଇଥିବାବେଳେ ଦନ୍ତା ହାତୀଟି ତାଙ୍କ ଘର କାନ୍ଥ ଭାଙ୍ଗି ଗଡାଇ ଦେଇଥିଲା, ତା ସହିତ ଘର ବାରଣ୍ଡାରେ ଥିବା ବସ୍ତାଏ ଚାଉଳ ଏବଂ ଛତୁଆ ଖାଇ ଦେଇଥିଲା । ସେଠାରୁ ବନବିଭାଗ ଘଉଡାଇବା ପରେ ହାତୀଟି ଶାଳମୁଣ୍ଡଳି ଅଂଚଳକୁ ଚାଲିଯାଇଥିବା ବେଳେ ଡେଲାଙ୍ଗସାହିରେ ଥିବା ଜଙ୍ଗଲରେ ପଶି ରହିଥିଲା । ହେଲେ ହାତୀଟି ଏହି ଯିବା ସମୟରେ ବିଲରେ ପଶି ଅନେକ ଚାଷୀଙ୍କ ଧାନଗଛକୁ ଦଳି ନଷ୍ଟ କରିଛି । ତେବେ ଗୋଠ ଛଡା ଦନ୍ତାକୁ ଘଉଡାଇବା ପାଇଁ ବନବିଭାଗକୁ ନାକେଦମ ହେବାକୁ ପଡିଛି ।