ଜାଡ଼ରେ ଥରୁଛି ଓଡ଼ିଶାର ଦାର୍ଜିଲିଂ

ଜାଡ଼ରେ ଥରୁଛି ଓଡ଼ିଶାର ଦାର୍ଜିଲିଂ
  • ଘୁ.ଉଦୟଗିରି ପାରଦ ୫.୪ ଡିଗ୍ରୀ
  • ଅନୁଗୁଳ ଓ ଝାରସୁଗୁଡାରେ ଶୀତ ଲହରି

ଘୁ.ଉଦୟଗିରି : ସପ୍ତାହେ ବ୍ରେକ ପରେ ପୁଣି ଫେରିଛି ଶୀତ । ଗତ ତିନିଦିନ ହେଲା ଓଡିଶାର ବିଭିନ୍ନ ସ୍ଥାନରେ ଖସିବାରେ ଲାଗିଛି ପାରଦ । ବଣ, ଜଙ୍ଗଲ ଓ ପାହାଡ ଘେରା ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ରହିଛି । ଗ୍ରାମାଞ୍ଚଳର ଲୋକେ ଶୀତ କାରଣରୁ ଅଧିକ ପ୍ରଭାବିତ ହୋଇଛନ୍ତି । ତେବେ ଓଡିଶାର ଦାର୍ଜିଲିଂ କୁହାଯାଉଥିବା ଘୁ. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ କରିଛି । ଗୋଟିଏ ଦିନରେ ଏଠାରେ ତାପମାତ୍ରା ୨ ଡିଗ୍ରୀ ତଳକୁ ଖସିଛି । ଆଜି ଏହି ଅଞ୍ଚଳର ପାରଦ ୫.୪ ଡିଗ୍ରୀ ରହିଛି । ଘୁ.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ହାଡ଼ ଭଙ୍ଗା ଶୀତ ଯୋଗୁଁ ଅଞ୍ଚଳବାସୀଙ୍କ ଦୈନନ୍ଦିନ କାର୍ଯ୍ୟ ଧାରା ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । ପ୍ରବଳ ଶୀତ ଯୋଗୁ ଅଞ୍ଚଳବାସୀ ଖରା ଓ ନିଆଁର ସାହାରା ନେଉଛନ୍ତି। ଥଣ୍ଡାର ପ୍ରକୋପ ସମସ୍ତଙ୍କୁ ପ୍ରଭାବିତ କରିଛି । ସକାଳୁ କୁହୁଡ଼ି ଯୋଗୁ ରାସ୍ତାରେ ଗାଡ଼ି ମୋଟର ଯାତାୟାତରେ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି  । ପ୍ରବଳ ଶୀତର ପ୍ରଭାବରେ ଘୁ.ଉଦୟଗିରିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦିନ ରାତି ଶୀତ ବସ୍ତ୍ର ବ୍ୟବହାର କରିବାକୁ ପଡ଼ୁଛି । ଶୀତ ଦାଉରୁ ରକ୍ଷା ପାଇବାକୁ ସନ୍ଧ୍ୟା ପୂର୍ବରୁ ଲୋକେ ନିଆଁ ଲଗାଇ ବସୁଛନ୍ତି । ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବୁଧବାର ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରୀ, ଗୁରୁବାର ୭.୪ ଡିଗ୍ରୀ ରେକର୍ଡ ହୋଇ ଥିବା ବେଳେ ଶୁକ୍ରବାର ୫.୪ ରେକର୍ଡ କରାଯାଇଛି। ଯାହାକି ଓଡିଶାର ସର୍ବନିମ୍ନ ତାପମାତ୍ରା ଭାବେ ରେକର୍ଡ ହୋଇଛି । ଘୁ.ଉଦୟଗିରିରେ ଅତ୍ୟଧିକ ଥଣ୍ଡା ହେଉଥିବା ବେଳେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଚଳିତ ବର୍ଷ ମଧ୍ୟ ଅତ୍ୟଧିକ ଥଣ୍ଡା ହେଉଥିବା ବେଳେ ତୁଷାରପାତ ଦେଖିବାକୁ ପର୍ଯ୍ୟଟକ ଆଶା ବାନ୍ଧି ଥିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । 


    ସେହିପରି ଫୁଲବାଣୀ ଓ ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗିବାଡି ପାରଦ ୮.୫ ରହିଛି । ଝାରସୁଗୁଡା ୯.୨, ଅନୁଗୁଳ ୯.୬, ଭବାନୀପାଟଣା ୯.୮ ରହିଥିବା ଜଣାପଡିଛି । ଏହାସହ ଅନୁଗୁଳ ଓ ଝାରସୁଗୁଡାରେ ଶୀତ ଲହରି ରହିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।