ଧାମନଗର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ : ଶିଳାନ୍ୟାସ ହେବ ୧୦୧ କୋଟି ଟଙ୍କାର ପ୍ରକଳ୍ପ
ଧାମନଗର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାମନଗର ଗସ୍ତରେ ଶନିବାର ଦିନ ଆସୁଛନ୍ତି । ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଗୋହିରାଟିକିରି ଉନ୍ନୟନ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଧାମନଗର ଜଳସେଚନ ଡାକ ବଙ୍ଗଳା ଠାରେ ସୂଚନା ଦିଆଯାଇଛି ।
କେନ୍ଦ୍ରମନ୍ତ୍ରୀ ଶନିବାର ସକାଳେ ଭଦ୍ରକରୁ ଆସି ଐତିହାସିକ ପୀଠ ତଥା ପର୍ଯ୍ୟଟନସ୍ଥଳୀ ଗୋହିରାଟିକିରିରେ ପହଞ୍ଚିବେ । ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନିକଟସ୍ଥ ମଠ ପରିଦର୍ଶନ କରିବେ । ଏହାପରେ ଦେଶର ପ୍ରଥମ ଗୃହମନ୍ତ୍ରୀ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରାରେ ସାମିଲ ହେବେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ଥାନୀୟ ବିଧାୟକ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଓ ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା ଗୋହିରାଟିକିରିଠାରୁ ଦୋବଲ କାଳୀ ବଜାର ପର୍ଯ୍ୟନ୍ତ ପଦଯାତ୍ରା କରିବେ । ଏହାଛଡ଼ା ସ୍କୁଲ କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଏହି ପଦଯାତ୍ରାରେ ସାମିଲ ହେବେ । ପଦଯାତ୍ରା ପରେ ଦୋବଲ କାଳୀପଡ଼ିଆରେ ଆୟୋଜିତ ସଭାରେ ଧାମନଗରର ବିକାଶ ପାଇଁ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ । ପ୍ରାୟ ୧୦୧ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୨୨ ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ।
ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପାଣ୍ଠିରୁ ୧୫ କୋଟି ଟଙ୍କାରେ ହେବାକୁ ଥିବା ଧାମନଗର ମହାବିଦ୍ୟାଳୟ ବିକାଶ ପ୍ରକଳ୍ପ, ପର୍ଯ୍ୟଟନ ବିଭାଗ ପକ୍ଷରୁ ୨.୪୬ କୋଟିରେ ଗୋହିରାଟିକିରି ନିକଟ ସେନାପତିଆ ପୋଖରୀର ପାରିପାର୍ଶ୍ୱିକ ଉନ୍ନତିକରଣ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଲୁଣିଆ ସହିଦ ସ୍ମାରକୀ ପୀଠର ଉନ୍ନତିକରଣ ଓ ଗୋହିରାଟିକିରି ଠାରେ ୫ କୋଟି ଟଙ୍କା ବ୍ୟୟରେ ଗୋହିରାଟିକିରି ଗବେଷଣା କେନ୍ଦ୍ର ଓ ଆର୍ଟ ଗ୍ୟାଲେରୀ ପ୍ରକଳ୍ପର ଶିଳାନ୍ୟାସ କରାଯିବ । ସେହିପରି ଜଳସଂପଦ ବିଭାଗ ପକ୍ଷରୁ ୨୫.୮୫ କୋଟି ଟଙ୍କା ବ୍ୟୟରେ ହେବାକୁଥିବା ୧୦ ଟି ପ୍ରକଳ୍ପ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ୧୮ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୩ଟି ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହେବାକୁ ଥିବା ୨୧.୨୫ କୋଟି ଟଙ୍କାର ୩ଟି ପ୍ରକଳ୍ପ ଓ ଡ୍ରେନେଜ ବିଭାଗ ପକ୍ଷରୁ ୪.୧୧ କୋଟି ଟଙ୍କାରେ ହେବାକୁ ଥିବା ୨ ଟି ପ୍ରକଳ୍ପର ଶିଳାନ୍ୟାସ କରାଯିବ । ଗୋହିରାଟିକିରି ଗବେଷଣା କେନ୍ଦ୍ର ଓ ଆର୍ଟ ଗ୍ୟାଲେରୀ ପ୍ରତିଷ୍ଠା ହେଲେ ଓଡ଼ିଶାର ଗରିମାମୟ ଇତିହାସ ବିଶ୍ୱ ଦରବାରରେ ପହଞ୍ଚିପାରିବ । ବିଶ୍ୱର କୋଣ ଅନୁକୋଣରେ ଥିବା ଐତିହାସିକମାନେ ଏହା ଉପରେ ଗବେଷଣା କରିପାରିବେ ବୋଲି ଗୋହିରାଟିକିରି ଉନ୍ନୟନ ପରିଷଦ କହିଛି । ଏହି ଅବସର ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ, କୈଳାସ ମହାପାତ୍ର, ଅରବିନ୍ଦ ପତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶରତ ମହାନ୍ତି, ସରପଂଚ ଅଶୋକ ପଣ୍ଡା, ରଞ୍ଜିତି ମହାନ୍ତି, ପ୍ରମୋଦ ସୂତାର, ବିଜୟ ରାମ ପ୍ରମୁଖ ଉପସ୍ଥିତ ଥିଲେ ।