୨୭ ବର୍ଷରେ ବଙ୍ଗଳାଛକ ଦୁର୍ଗାପୂଜା  : ମୁଖ୍ୟ ଆକର୍ଷଣ ସାଜିବ ୬୦ ଫୁଟ୍‌ର ତୋରଣ

ବେତନଟୀ, ୨୨ା୯ : ଆଉ କିଛିଦିନ ପରେ ବିଭିନ୍ନ ମଣ୍ଡପରେ ପୂଜା ପାଇବେ ମା’ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ବେତନଟୀ ଅଞ୍ଚଳ । ବିଭିନ୍ନ ପୂଜା କମିଟି ବି ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କିଏ କେତେ ସ୍ୱତନ୍ତ୍ର କରିପାରିବ ଏଥିପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । କେଉଁ କମିଟି ତୋରଣକୁ ଗୁରୁତ୍ୱ ଦେଉଥିବାବେଳେ କିଏ ମା'ଙ୍କ ପାରମ୍ପରିକ ପୂଜାକୁ ଗୁରୁତ୍ୱ ଦେଉଛନ୍ତି । ବେତନଟୀରେ ୫ଟି ମଣ୍ଡପରେ ମା’ ପୂଜା ପାଉଥିବାବେଳେ ସେହିଭଳି ବଙ୍ଗଳାଛକ ଦୁର୍ଗାପୂଜା କମିଟି ୨୭ ବର୍ଷରେ ପର୍ଦ୍ଦାପଣ କରିଛି । ବେତନଟୀ ବଙ୍ଗଳାଛକ ଦୁର୍ଗାପୂଜାର କମିଟିର ସମ୍ପାଦକ ଅନୁପ କୁମାର ଦଣ୍ଡପାଟଙ୍କ ସୂଚନା ମୁତାବକ, ଏଥର ତୋରଣ ୬୦ ଫୁଟ୍‌ ଉଚ୍ଚରେ ନିର୍ମାଣ ଚାଲିଥିବା ତୋରଣ ପୂଜାରେ ମୁଖ୍ୟ ଆକର୍ଷଣ ସାଜିବ । ଏହି ପୂଜା ପାଇଁ କମିଟି ପକ୍ଷରୁ ୯ ଲକ୍ଷ ଟଙ୍କା ବଜେଟ୍‌ କରାଯାଇଛି । ୧୪ ଫୁଟ୍‌ର ମା’ଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଛି । ସେହିପରି କମିଟି ପକ୍ଷରୁ ଖାଲି ତୋରଣ ନୁହେଁ, ସାଜସଜାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ପ୍ରକାର ଲାଇଟ୍‌ରେ ମଣ୍ଡପ ସଜ୍ଜିତ କରାଯିବ । ଅଷ୍ଟମୀ ଦିନ ସେଉ, ଦୁନ୍ଦିଆ ଓ ନବମୀ ଦିନ ଖିରି ଓ ଦଶମି ଦିନ ଦହି ପଖାଳର ବ୍ୟବସ୍ଥା କରାଯାଇଛି । ଏବଂ ଦଶହରା ଦିନ ମହିଳାମାନଙ୍କ ମଧ୍ୟରେ ସିନ୍ଦୂର ଖେଳ ଉତ୍ସବକୁ ମୁଖରିତ କରିବ ବୋଲି ପୂଜା କମିଟି କର୍ମକର୍ତ୍ତାମାନେ ଆଶାବ୍ୟକ୍ତ କରିଛନ୍ତି । ଏହି କମିଟି ୧୯୯୯ ମସିହାରେ ସ୍ଥାନୀୟ ଯୁବକମାନେ ମିଳିମିଶି ବଙ୍ଗଳାଛକ ଦୁର୍ଗାପୂଜା ୨୫ ହଜାର ଟଙ୍କାରେ ପୂଜା ଆରମ୍ଭ କରିଥିଲା । ଏହି ଯୁବକମାନଙ୍କ ମଧ୍ୟରେ ସୁବାସ ଦାସ, ବିଦ୍ୟାଧର ପଣ୍ଡିତ, ସତ୍ୟ ବେହେରା, ସଦାଶିବ ଲେଙ୍କା, ଜଗଦୀଶ ବେହେରା, ସାଇବ ନାଥ, ନିରଞ୍ଜନ ପଣ୍ଡିତ, ସନିଆ ସାହୁ , ପ୍ରଶାନ୍ତ ନାଥ, ବାବୁ ନନା, ଶଶିଧର ନାଥ ପ୍ରମୁଖ ପୂଜା କମିଟିରେ କାର୍ଯ୍ୟକର୍ତ୍ତା ମିଶି ପୂଜା ଆରମ୍ଭ କରିଥିଲେ । ଚଳିତବର୍ଷ ପୂଜା କମିଟି ଅଧ୍ୟକ୍ଷ ଭାବରେ ରାମେଶ୍ୱର ମିଶ୍ର, ସଭାପତି ଭାବରେ ବିମ୍ବାଧୋର ବିଶ୍ୱାଳ, ସମ୍ପାଦକ ଭାବରେ ଅନୁପ କୁମାର ଦଣ୍ଡପାଟ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମହାନ୍ତି, ଉପସଭାପତି ଜ୍ଞାନରଞ୍ଜନ ବେହେରା ଓ ବିମଳ କୁମାର ଜେନା, ସହ ସମ୍ପାଦକ ପ୍ରଦୀପ ମହାପାତ୍ର ଓ ହରେନ୍ଦ୍ର ବେହେରା, କୋଷାଧ୍ୟକ୍ଷ ତପନ ନାୟକ ଓ ସଞ୍ଜୟ ମଢୁଆଳ, ଉପଦେଷ୍ଟା ଭାବରେ ସୁବାସ ଚନ୍ଦ୍ର ଦାସ, ପ୍ରବୀର ବାରିକ, ଅଲୟ ପ୍ରଧାନ, ସୂର୍ଯ୍ୟାନନ୍ଦ ନାୟକ, ବିଶ୍ୱନାଥ ବେହେରା, ପ୍ରକାଶ କୁମାର ବେହେରାଙ୍କ ସମେତ ସମସ୍ତ ସଦସ୍ୟ ପୂଜା କାର୍ଯ୍ୟ ତୁଲାଉଛନ୍ତି ।