ଅତିରିକ୍ତ ତହସିଲଦାରଙ୍କ ପରିବାରକୁ ବାସନ୍ଦ ଅଭିଯୋଗ : ଥାନାର ଦ୍ୱାରସ୍ଥ ହେଲେ ପରିବାର
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଆସିକା ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ପରିବାରକୁ କୁଳସମାଜ ପକ୍ଷରୁ ଅପମାନ କରାଯିବା ସହିତ ବିବାହ ଭୋଜି କାର୍ଯ୍ୟ ରେ ବାସନ୍ଦ କରାଯାଇଥିବା ନେଇ ଛତ୍ରପୁର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅତିରିକ୍ତ ତହସିଲଦାର ଶ୍ରୀ ବେହେରାଙ୍କ ଘର ଛତ୍ରପୁର ଥାନା ଅଧୀନ ମୁନିଷିପେଣ୍ଠ ଗ୍ରାମ । ସେ ଅନ୍ୟ ଏକ ଜାତିର ଝିଅକୁ ବିବାହ କରିଥିବାରୁ କୈବର୍ତ୍ତ ସମାଜ ପକ୍ଷରୁ ଅତିରିକ୍ତ ତହସିଲଦାରଙ୍କ ପରିବାରକୁ କୈବର୍ତ୍ତ କୂଳ ସମାଜ ପକ୍ଷରୁ ଏପରି କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଅତିରିକ୍ତ ତହସିଲଦାରଙ୍କ ପିତା ବିଜୟ ବେହେରା ଛତ୍ରପୁର ଥାନାରେ ଲିଖିତ ଭାବେ କୈବର୍ତ୍ତ ସମାଜ ଭଦ୍ର ବ୍ୟକ୍ତି ନାମରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ କୈବର୍ତ୍ତ ସମାଜ ପକ୍ଷରୁ ଅତିରିକ୍ତ ତହସିଲଦାର ପରିବାରକୁ କୂଳରୁ ବାସନ୍ଦ କରାଯାଇନାହିଁ, ଏହା ଭିତ୍ତିହୀନ ବୋଲି କହିଛନ୍ତି ସଭାପତି ରମେଶ ବେହେରା । ଏନେଇ ଛତ୍ରପୁର ଥାନାରେ ଉଭୟ ପକ୍ଷକୁ ନେଇ ଆଲୋଚନା ହୋଇଥିଲା । ଦୀର୍ଘ ସମୟ ଆଲୋଚନା ପରେ ମଧ୍ୟ କୋଣସି ସମାଧାନର ବାଟ ଫିଟିନିଥିଲା । ପରବର୍ତ୍ତୀ ସମୟରେ କୈବର୍ତ୍ତ ସମାଜର ମହାସଭାର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଘଟଣା ସଂପର୍କରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ସେହିପରି ଛତ୍ରପୁର ଥାନାରେ ଏସଂକ୍ରାନ୍ତରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କହିଛନ୍ତି ।