କର୍ମସଂସ୍କୃତି ସୁଧୁରିବ ତ?
ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ଦିନକୁ ଦିନ କର୍ମପ୍ରବଣତା କମି କମି ଆସୁଥିବା ଲକ୍ଷ୍ୟ କରାଗଲାଣି । ବିଶେଷ କରି ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତି ଦିନ ଠାରୁ ନିୟମିତ କର୍ମଚାରୀମାନେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କାନ୍ଧରେ ସବୁତକ ଦାୟିତ୍ୱ ଲଦି ଦେଇ ଆରାମ୍ରେ ବାହାରେ ବୁଲୁଥିବା ଲକ୍ଷ୍ୟ କରାଗଲାଣି । ଉକ୍ରଟ ବେକାରୀ ସମୟରେ ଚୁକ୍ତିଭିତ୍ତିକ ଚାକିରିଟିଏ ମିଳିବା ବି କଷ୍ଟକର ହୋଇ ପଡ଼ିଥିଲେ ମଧ୍ୟ ଯେତେ ଅଧିକ କାମର ଚାପ ପଡୁ ପଛକେ ଅଳ୍ପ ପାରିଶ୍ରମିକରେ ଅସ୍ୱୀକୃତ ନିଯୁକ୍ତିକୁ ହାତଛଡ଼ା କରିବାକୁ ବେକାର ଯୁବକଯୁବତୀ ଚାହୁଁନାହାନ୍ତି । ଭବିଷ୍ୟତରେ ହୁଏତ ସେମାନଙ୍କର ଚାକିରି ନିୟମିତ ହୋଇଯିବାର ସ୍ୱପ୍ନ ଦେଖି କାର୍ଯ୍ୟାଳୟଗୁଡ଼ିକର ସବୁତକ ଚାପକୁ ବିନା ପ୍ରତିବାଦରେ ସହି ଯାଉଛନ୍ତି । ଅନ୍ୟପକ୍ଷରେ ନିୟମିତ କର୍ମଚାରୀମାନେ ଦିନକୁ ଦିନ ଅଧିକରୁ ଅଧିକ କାମଚୋର ହେବାରେ ଲାଗିଛନ୍ତି । ଏଭଳି ଏକ ପରିସ୍ଥିତିକୁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ଏବେ କିଛିଦିନ ଦେଲା ସେମାନଙ୍କୁ କାମରେ ଲଗାଇବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି । ପ୍ରଥମେ ବାୟୋମେଟ୍ରିକ୍ ଆଟେଣ୍ଡାଣ୍ଟସ୍ ମାଧ୍ୟମରେ ଠିକ୍ ସମୟରେ ଅଫିସ୍ ଆସିବା ଏବଂ ଠିକ୍ ସମୟରେ ଅଫିସରୁ ଯିବାର ଏକ ବ୍ୟବସ୍ଥା କରାଗଲା । ହେଲେ ଏପ୍ରକାରର ବ୍ୟବସ୍ଥାରେ ମଧ୍ୟ ସରକାରୀ କର୍ମଚାରୀଙ୍କ ମଧ୍ୟରେ କର୍ମସଂସ୍କୃତି ସୃଷ୍ଟି ହେଲା ନାହିଁ । ସାଢ଼େ ୯ଟାରେ ଅଫିସକୁ ଆସି ଫାଇଲ୍ ଖୋଲି ଦେଇ ଫାଇଲ୍ ଉପରେ ଚଷମା ଥୋଇ ଦେଇ ସରକାରୀ କର୍ମଚାରୀମାନେ କାର୍ଯ୍ୟାଳୟରୁ ଘଣ୍ଟା ଘଣ୍ଟା ଧରି ଗାଏବ୍ ହେବା ଦେଖାଗଲା । କାରଣ ସେମାନଙ୍କର କାମକୁ ଠିକା କର୍ମଚାରୀମାନେ ପରିସ୍ଥିତିରେ ପଡ଼ି ଉଠେଇ ନେବାକୁ ଥିବାରୁ ନିୟମିତ କର୍ମଚାରୀମାନେ ବାହାରେ ଆସି ଅଫିସ୍ରେ କିଛି କାମ ନାହିଁ କହି ବାହାଦୂରୀ ମାରିଲେ । ଏଣେ ଠିକା କର୍ମଚାରୀମାନେ ଶାରିରୀକ ଭାବରେ ଯେଭଳି ଶୋଷଣର ଶିକାର ହେଲେ ଆର୍ଥôକ ଭାବରେ ମଧ୍ୟ ପ୍ରତିବାଦ କରିନପାରି ସେହଭଳି ଶୋଷଣର ଶିକାର ହେଲେ ।
ଏବେ ସରକାର ନିୟମିତ କର୍ମଚାରୀମାନଙ୍କୁ କର୍ତ୍ତବ୍ୟ ପ୍ରତି ଆଗ୍ରହ ସୃଷ୍ଟି କରାଇବା ପାଇଁ ଶ୍ରେଷ୍ଠ କର୍ମଚାରୀ ପୁରଷ୍କାର ଦେବା ଲାଗି ଘୋଷଣା କରିଲେଣି । କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ କରୁଥିବା ସରକାରୀ କର୍ମଚାରୀମାନଙ୍କୁ ପୁରଷ୍କୃତ କରାଯିବା ନେଇ ଚିନ୍ତା କରିଲେଣି । ନିୟମିତ ଠିକ୍ ସମୟରେ ଅଫିସ୍ ଆସିବା, ବାୟୋମେଟ୍ରିକ୍ରେ ଉପସ୍ଥାନ ପକାଇବା, ଓସ୍ୱାସ୍ ଜରିଆରେ ଅଧିକ ଫାଇଲ୍ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବା, ଡ୍ରାଫ୍ଟିଂର ମାନକୁ ସଠିକ୍ ରଖିବା, ଓଡ଼ିଆ ଭାଷାରେ ଡ୍ରାଫ୍ଟିଂ କରିବା ଆଦି ୬ଟି ମାପଦଣ୍ଡକୁ ନେଇ ଶ୍ରେଷ୍ଠ କର୍ମଚାରୀଙ୍କୁ ପୁରଷ୍କାର ଦିଆଯିବା ନେଇ ଚୟନ କରାଯିବ । ପ୍ରତିମାସ ଏହିପରି ମାପଦଣ୍ଡରେ ଶ୍ରେଷ୍ଠ କର୍ମଚାରୀମାନଙ୍କୁ ପୁରଷ୍କାର ପ୍ରଦାନ କରାଯିବ । କିଛି କର୍ମଚାରୀ ଦିନକୁ ମାତ୍ର ଗୋଟିଏ, ଦୁଇଟି ଫାଇଲ୍ କାମ କରୁଥିବା ବେଳେ ସହକାରୀ ସେକ୍ସନ୍ ଅଫିସର୍ ଏବଂ ସେକ୍ସନ୍ ଅଫିସର୍ ମାନେ କାର୍ଯ୍ୟଭାରରେ ପୋତି ହୋଇ ପଡୁଛନ୍ତି । ସମାନୁପାତିକ ଭାବରେ କର୍ମଚାରୀମାନଙ୍କର କର୍ତ୍ତବ୍ୟ ନିଷ୍ଠା ରହୁନାହିଁ । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାର ନେଇଥିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ହେଲେ ଠକ କର୍ମଚାରୀମାନଙ୍କୁ ସରକାର ଜଗିବା ପାଇଁ ଯେତେ ଉପାୟ କରିଲେ ମଧ୍ୟ ସେମାନଙ୍କୁ ଧରିବା ସହଜ ନୁହେଁ । ତେଣୁ କର୍ମଚାରୀମାନଙ୍କୁ ପ୍ରଲୋଭନ ଦେଖାଇ କର୍ତ୍ତବ୍ୟ ପରାୟଣ କରାଯିବା ଉଦ୍ୟମ ଅପେକ୍ଷା ସେମାନଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା କରି କର୍ତ୍ତବ୍ୟ ପରାୟଣ କରାଗଲେ ତାହା ହୁଏତ ଭଲ ଫଳ ଦିଅନ୍ତା । କାରଣ ବର୍ତ୍ତମାନ ସମୟରେ ଅନେକ ସ୍ଥଳରେ ଫାଇଲ୍ର ନୋଟ୍ସିଟ୍ ଆଉ ହାତରେ ଲେଖାନଯାଇ କମ୍ପୁ୍ୟଟର୍ରେ ପ୍ରିଣ୍ଟ୍ ହେଉଛି । ଏମିତିରେ ତ କାର୍ଯ୍ୟର ସବୁତକ ଚାପ ଠିକା କର୍ମଚାରୀଙ୍କ ମୁଣ୍ଡରେ ପଡ଼ିବ । ଫାଇଲ୍ର ନୋଟ୍ସିଟ୍ରେ ହସ୍ତାକ୍ଷର ନରହିଲେ ତାହା ଠକ୍ କର୍ମଚାରୀମାନଙ୍କ ଠକାମୀ କିମ୍ବା ଠିକା କର୍ମଚାରୀମାନଙ୍କୁ ଶୋଷଣ ଜାଣିବା ସମ୍ଭବ ନୁହେଁ ।
କର୍ମଚାରୀମାନଙ୍କର କାର୍ଯ୍ୟଦକ୍ଷତା ମାପିବାର ମାପଦଣ୍ଡ ଠିକ୍ ରହୁ, କିନ୍ତୁ ଠିକା କର୍ମଚାରୀମାନଙ୍କୁ ଶୋଷଣ କରିବାର ରାସ୍ତାକୁ ବନ୍ଦ କରାଯାଉ । ଏତକି ନହେବା ପର୍ଯ୍ୟନ୍ତ ଶ୍ରେଷ୍ଠ କର୍ମଚାରୀ ଚୟନ ବ୍ୟବସ୍ଥା ନିରପେକ୍ଷ ହେବ ନାହିଁ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଶୋଷଣର ଶିକାର ହେଉଥିବେ । ବଡ଼ବଡ଼ିଆ କର୍ମଚାରୀମାନେ ଏପ୍ରକାରର ଏକ ଅନ୍ୟାୟକୁ ବନ୍ଦ କରିବା ପାଇଁ ବାଟ ଖୋଜିବା ଉଚିତ ।