ଔଷଧ ଆଉ ନିର୍ଭରଯୋଗ୍ୟ କି?

ବର୍ତ୍ତମାନ ବଜାରରେ ରୋଗୀ ଚିକିତ୍ସା କ୍ଷେତ୍ରରେ ମିଳୁଥିବା ଔଷଧ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଗୋଟିଏ ହେଲା ବ୍ରାଣ୍ଡେଡ୍ ଔଷଧୀ ଏବଂ ଅନ୍ୟଟି ହେଉଛି ଜନ ଔଷଧୀ । ବ୍ରାଣ୍ଡେଡ୍ କମ୍ପାନୀର ଔଷଧ ଗୁଡ଼ିକର ଦାମ୍ ଅଧିକ ରହୁଥିବା ବେଳେ ଜନ ଔଷଧୀ ବର୍ଗ ଅର୍ନ୍ତଗତ ଔଷଧ ଗୁଡ଼ିକର ଦାମ୍ ଯଥେଷ୍ଟ କମ୍ ରହୁଛି । ଜନ ଔଷଧୀର ଔଷଧୀ ଗୁଡ଼ିକ ନୂଆ ନୂଆ କମ୍ପାନୀମାନେ ପ୍ରସ୍ତୁତ କରୁଥିବା ବେଳେ ଏ ଗୁଡ଼ିକର ନାମ ରାସାୟନିକ ଉପାଦାନକୁ ନେଇ ହୋଇଛି । ଅନ୍ୟପକ୍ଷରେ ପୁରୁଣା ବ୍ରାଣ୍ଡେଡ୍ କମ୍ପାନୀ ଗୁଡ଼ିକ ବିଭିନ୍ନ ପ୍ରକାରର ନାଁ ଦେଇ ଏବଂ ସେହି ନାମ ଉପରେ ପେଟେଣ୍ଟ୍ ହାସଲ କରି ଅଧିକ ଦରରେ ବିକ୍ରି କରୁଛନ୍ତି । ଏବେ ଏଇ ନିକଟରେ ବିଭିନ୍ନ ଔଷଧର ଗୁଣବତ୍ତା ସମ୍ପର୍କରେ ପରୀକ୍ଷା କରାଯାଇ ଏହାକୁ ସର୍ବସାଧାରଣରେ ପ୍ରକାଶ କରାଯାଇଛି । ଏହି ଗୁଣବତ୍ତା ପରୀକ୍ଷାରୁ ଜଣାପଡ଼ିଛି ଯେ ବହୁଳ ଭାବରେ ବ୍ୟବହାର ହେଉଥିବା ୫୩ଟି ଔଷଧ ଗୁଣବତ୍ତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ବିଫଳ ହୋଇଛନ୍ତି । ଏହି ୫୩ଟି ଔଷଧ ମଧ୍ୟରେ ପାରାସିଟାମଲ୍, ଲାଭାମ୍, ଆଣ୍ଟାସିଡ୍, ପାନ୍-ଡ଼ି ଆଦି ରହିଛି । ଏହାର ଗୁଣବତ୍ତାରେ ଏସବୁ ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇନଥିବାରୁ ଏବେ ରୋଗୀମାନେ ଖାଉଥିବା ଏହିସବୁ ଔଷଧର କିଛି ସୁଫଳ ପାଉଛନ୍ତି କି ନା ତାହା ଜଣାପଡୁନାହିଁ । ରୋଗୀମାନଙ୍କ କ୍ଷେତ୍ରରେ କେବଳ ଅଧିକ ଦାମ୍ ଦେଇ ଔଷଧର ବ୍ୟବହାର ହେଉଛି କିନ୍ତୁ ଏହାର ସୁଫଳ ମିଳୁନଥିବା ନିଶ୍ଚିତ । ଏଭଳି କ୍ଷେତ୍ରରେ ହୁଏତ ଅନେକ ରୋଗୀ ଜୀବନ ହରାଇଥିବେ । ସେସବୁର ଅନୁଧ୍ୟାନ କରିବା ଏତେଟା ସହଜ ନୁହେଁ । ଔଷଧ ଥରେ ବଜାରକୁ ଚାଲି ଆସିବା ପରେ ତାହାର ନକଲି ଔଷଧକୁ ଧରିବା ସମ୍ଭବ । କିନ୍ତୁ ଗୁଣବତ୍ତା ପରୀକ୍ଷା ସରକାରଙ୍କ ପାଖରୁ କରାନଗଲେ ଆଉ ଅନ୍ୟ କେଉଁଠି ଏହି ପ୍ରକାରର ପରିକ୍ଷା ହୋଇପାରିବ ନାହିଁ । ଏବେ ଯେଉଁ ୫୩ଟି ଗୁରୁତ୍ୱପୂର୍ଣ୍ଣ ଔଷଧ ଗୁଣବତ୍ତା ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛନ୍ତି, ସେଗୁଡ଼ିକ ସମ୍ପର୍କରେ କେଉଁ ପ୍ରକାରର ପଦକ୍ଷେପ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନେବ ତାହା ଦେଖିବାକୁ ବାକି ରହିଲା । ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରୋଗୀଙ୍କ ଜୀବନ ସହିତ ଖେଳ ଖେଳିବା ଆମ ଦେଶର ଏକ ସାଧାରଣ ଘଟଣା ହୋଇଗଲାଣି । କେତେବେଳେ ନକଲି ଔଷଧ ତ ଆଉ କେତେବେଳେ ଔଷଧ ନାମରେ କେବଳ ଖାଦ୍ୟର ପ୍ରତିବଦଳ ବିକ୍ରି ହେଉଛି । ଅଧିକାଂଶ ଲୋକ ଔଷଧ ଏବଂ ଖାଦ୍ୟର ପ୍ରତିବଦଳ ବା ଫୁଡ୍ ସପ୍ଲିମେଣ୍ଟ୍ ମଧ୍ୟରେ ରହିଥିବା ପ୍ରଭେଦ ଜାଣିନାହାନ୍ତି । ଅନ୍ୟପକ୍ଷରେ ଫୁଡ୍ ସପ୍ଲିମେଣ୍ଟ୍ ନାଁରେ ବିକ୍ରି ହେଉଥିବା ପଦାର୍ଥ ସବୁ ଦେଖିବାକୁ ଅବିକଳ ଔଷଧ ପରି । କିନ୍ତୁ ସେସବୁ ଦୈନନ୍ଦିନ ଖାଦ୍ୟର ଅଂଶ ବିଶେଷ । ଏଥିରେ ଔଷଧର ଅଂଶବିଶେଷ କିଛି ନଥାଏ । ଏହିଭଳି ଅନେକ ପ୍ରକାରର ଫୁଡ୍ ସପ୍ଲିମେଣ୍ଟ୍ ଔଷଧ ଦୋକାନରେ ମଧ୍ୟ ବିକ୍ରି ହେଉଛି । ବର୍ତ୍ତମାନ ୫୩ଟି ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହେବା ସହିତ ଫୁଡ୍ ସପ୍ଲିମେଣ୍ଟ ନାମରେ ବିକ୍ରି କରାଯାଉଥିବା ପଦାର୍ଥ ସବୁର ମଧ୍ୟ ଯାଞ୍ଚ୍ ହେବା ଆବଶ୍ୟକ । ଲୋକଙ୍କ ନିକଟରେ ଉପଯୁକ୍ତ ଭାବରେ ସୂଚନା ପହଞ୍ଚିପାରୁନଥିବାରୁ ଏ ପ୍ରକାରର ବିଭ୍ରାନ୍ତିକର ପଦାର୍ଥ ସବୁ ବଜାରରେ ବହୁଳ ଭାବରେ ବିକ୍ରି ହେଉଛି । ଏଥିରେ ଗ୍ରାହକମାନଙ୍କୁ ଠକିବାର ଏକ ମନୋବୃତ୍ତି ରହୁଛି । ଏବେକାର ଗୁଣବତ୍ତା ପରୀକ୍ଷାରେ କ୍ୟାଲ୍ସିୟମ୍, ଭିଟାମିନ୍, ବି-ଥ୍ରୀ ସପ୍ଲିମେଣ୍ଟ୍, ଆଣ୍ଟି ଡାଇବେଟିକ୍ସ ଔଷଧ, ଉଚ୍ଚ ରକ୍ତଚାପ ଔଷଧ, କିଛି ପ୍ରକାରର ମଲ୍ଟିଭିଟାମିନ୍ ଆଦି ରହିଛି । ବର୍ତ୍ତମାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ପ୍ରକାରର ନିମ୍ନ ଗୁଣବତ୍ତାଯୁକ୍ତ ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।