ତରିବାକୁ ଏହି ସଂସାର ବାରିଧି
ମାନସ ପୃଷ୍ଟି : ସତରେ ମୁଁ କ'ଣ ଏ ଦୁନିଆକୁ କିଛି ନେଇକରି ଆସିଛି ନା ନେଇକରି ଯିବି । ଯେତିକି ଯାହା ଓ ଯେଉଁପରି ଆୟ କରିବି ସେହିପରି ବ୍ୟୟ ତ କରିବି ସେ କର୍ମ ସତକର୍ମ ହୋଇଥିଲେ ଭଗବାନ ମୋତେ ନିଶ୍ଚିନ୍ତ ସାହାଯ୍ୟ କରିବେ ଆଉ ଅସତ୍ କାର୍ଯ୍ୟ ହୋଇଥିଲେ ଭଗବାନ ମୋ ଠାରୁ ହାତଛଡ଼ା ହୋଇଯିବେ ଆଉ ମୋ ମୁଣ୍ଡ ଉପରୁ ଭଗବାନଙ୍କ କୃପା ମଧ୍ୟ ରହିବ ନାହିଁ । ସତ୍ ଓ କଠିନ ପରିଶ୍ରମ କରି ଯେତିକି ଅର୍ଜନ କରୁଛି ମୋ ସହ କିଛି ସହାୟକଙ୍କ ପରିବାର ବର୍ଗ ପ୍ରତିପୋଷଣ ହେଉଛନ୍ତି ତେବେ ବାସ୍ତବ କଥା ହେଉଛି ଜୀବନଟା ଅତ୍ୟନ୍ତ କଷ୍ଟକର, ସଂଘର୍ଷପୂର୍ଣ୍ଣ ଆଉ ପେଟପଟଣା ପାଇଁ ବେଶ ଜଟିଳ ମଧ୍ୟ । ଦୁନିଆରେ ଚାଲିବାକୁ ହେଲେ ଅନେକ ପ୍ରକାର ଲୋକଙ୍କୁ ନେଇ ଚାଲିବାକୁ ପଡ଼ିବ । ସେମାନଙ୍କ ମତ ଆପଣଙ୍କ ମତ ସହ ସମାନ ନହୋଇପାରେ କିନ୍ତୁ ପରିସ୍ଥିତି ଆପଣଙ୍କୁ ଅନେକ ବାଧ୍ୟବାଧକତା ଭିତରକୁ ଠେଲି ଦେଇଥାଏ । ବେଳେ ବେଳେ ଦୁନିଆରେ ଏପରି କଠିନ ତମ ଓ ଅପମାନଜନକ ହୋଇଥିଲେ ମଧ୍ୟ ପରିସ୍ଥିତି ଚକ୍ରରେ କିଏ ଅନ୍ୟ ପାଇଁ ନିଶାଦ୍ରବ୍ୟ କିଣିଦେଇଥାଏ ତ କିଏ ମିଛ କଥାଟି କହି ବିଷ ସମ୍ପର୍କ ତିଆରି କରିଥାଏ । ମୁଁ ସେପରି ଜଣେ ବଡ଼ଲୋକ, ପାଠପଢ଼ୁଆ ଲୋକଟି ନୁହଁ । ଛୋଟିଆ ପେଟପାଟଣାର କର୍ମ ସଂସ୍ଥାନର ଅବଲମ୍ବନ ଦ୍ୱାରା ଜୀବନ ଜୀଇଁବା କଥା । ମୋ ଜୀବନରେ ବିଶେଷକରି ବ୍ୟବସାୟ ପରି ଆର୍ଥିକ ଗୁରୁତ୍ୱପୂର୍ଣ୍ଣ ବୃତ୍ତିଟିକୁ ଗ୍ରହଣ କରିଥିଲେ ମଧ୍ୟ ମୁଁ ସେପରି ହିସାବ ପତ୍ର ରଖେନା । ନ ରଖିବା ଯେ ଠିକ ମୁଁ ତାହା କହୁନି । ମୋ ଭାବନା ଯାହା ମୁଁ ହିସାବ ରଖିଲେ ଅଭାବବୋଧ ବା ଅର୍ଥରାଶିର କମ ପରିମାଣ ମୋତେ ଭାରାକ୍ରାନ୍ତ କରିବ, ଦୁନିଆ ଚିନ୍ତାକୁ ମୁଣ୍ଡ ଭିତରେ ପୁରାଇବ । ଏପରିକି ଶାନ୍ତିଟିତ ଯିବ କିନ୍ତୁ ଆପଣଙ୍କ ସହ କାମ କରୁଥିବା ଅନ୍ୟ ମାନଙ୍କୁ ଆପଣ ବିରକ୍ତିର ସହ ଆଚରଣ ଦେଖାଇବେ । ସେମାନଙ୍କୁ ସେପରି ଆଚରଣ ଦେଖାଇ ଆପଣ କ'ଣ ନିଜେ ଭଲ ଭାବେ ବ୍ୟବସାୟ ଚଳାଇ ରଖିପାରିବେ ନା ନିଜେ ଶାନ୍ତି ପାଇପାରିବେ । ମୋ ଜୀବନରେ ମୁଁ କ'ଣ ମୋ ପରିବାରର କେହି ନିଶାଦ୍ରବ୍ୟ ଖାଆନ୍ତି ନାହିଁ । ସର୍ବନିମ୍ନ ଜୀବନ ବିତାଇବା ପାଇଁ ଭଗବାନ ଯେଉଁ ରାସ୍ତା ବି ଦେଖାଇଛି ସେହି ରାସ୍ତାରେ ଚାଲିବା କଥା । ଯେତିକି ପାରିଛି ଅନ୍ୟକୁ ସାହାଯ୍ୟ କରିଛି କିନ୍ତୁ କେବେ କାହାକୁ ଠକିବା, କାହାକୁ କଷ୍ଟ ଦେବାକୁ ଚିନ୍ତା କରିନାହିଁ । ଏହା ଭଗବାନଙ୍କ ଓ ପିତାମାତାଙ୍କ ଆଶୀର୍ବାଦ ବୋଲି ଭାବିଥାଏ । ଜୀବନଚକ୍ର ଭିତରେ ଅନେକ ଘାତପ୍ରତିଘାତ ଅନେକ ଚିତ୍ର ବିଚିତ୍ର ଲୋକ ଚରିତ୍ର ସବୁ ଦେଖିବାକୁ ମିଳେ । ଏ ଯେମିତି ବେଶ ଭଦ୍ରଲୋକ ସାଜିଥିବା ଉପରକୁ ସମାଜର ବଡ଼ ବାବୁ ଭାବେ ଥାଟବାଟ ଥିବା ଲୋକମାନଙ୍କର ଅନେକ କ୍ଷେତ୍ରରେ ଆଚରଣ ଓ ଉଚ୍ଚାରଣ ଦୁଇ ପ୍ରକାର ହୋଇଥାଏ । କେତେଟା ଟଙ୍କା ପାଇଁ କିଏ କାହାର ତଣ୍ଟି କାଟିଲାଣି ତ କେଉଁଠି ସ୍ୱାମୀଟି ଦିଗହରା ହୋଇ ନୂଆ ଜୀବନ ସନ୍ଧାନରେ ଚାଲିଲାଣି । ଏପରି ଜୀବନଚକ୍ର ଭିତରେ ମୋ ବ୍ୟବସାୟ ଭାବନାର କଥାକୁ ଆଲୋଚନା ରଖିଲେ ଅନେକ ଅର୍ଥ ରାଶି ମୁଁ ଅକାଳରେ ହରାଇଦେଇଛି । କହିବାକୁଗଲେ ବଜାରରେ ଅନେକ ଟଙ୍କା ପାଣିରେ ପଡ଼ିଥିବାବେଳେ ସେପରି କିଛି ଉଦାର ଭାବନାର ଲୋକମାନଙ୍କୁ ପାଇଛି ଯେଉଁ ମାନଙ୍କ ସାହାଯ୍ୟ, ସହଯୋଗ, ପରାମର୍ଶ ଓ ଭଲପାଇବା ଆଗକୁ ଯିବାକୁ ବାଟ ଦେଖାଇଛି
ସମୟ, ଆହ୍ୱାନ ଜୀବନର ପ୍ରତିଟି କ୍ଷେତ୍ରକୁ ଆଗକୁ ନେବାକୁ ବାଟ ଦେଖାଏ । ଜୀବନର ଚକ୍ର ଆଗକୁ ବଢ଼ିଲା ବେଳେ ଆମ୍ଭେମାନେ ନିଜ ବୟସ ବଢ଼ିବା ଭିତରେ ସମାଜ ଓ ସମୟର ବଢ଼ିବାକୁ ମଧ୍ୟ ଦେଖିବା କଥା । ଆଜିର ଶିଶୁ ଆସନ୍ତା କାଲି ବୟସ୍କ ହେବେ । ଆଜିର ଜୀବନ କାଲି କ'ଣ ପରମୁହୂର୍ତ୍ତକୁ ବି ସମ୍ଭାବନା ନଥିବ । ତେବେ ଘାତପ୍ରତିଘାତ ଓ ଆହ୍ୱାନଭରା ଜୀବନ ଭିତରେ ମଣିଷ ନିତିଦିନ ଶିଖିବା ପାଇଁ ପାଇଥାଏ ଅନେକ ଅବସର ଆଉ ଅନେକ ବ୍ୟକ୍ତିଚରିତ୍ର ମାନଙ୍କୁ । ଆମ ସମୟରେ ଏପରି ମହତ୍ ଭାବନାର ଓ ଭଲ ନୀତିଶିକ୍ଷାର ଜୀବନ ବିତୁଥିବା ଲୋକମାନେ ମଧ୍ୟ ଅଛନ୍ତି । କହିବାକୁଗଲେ ଧର୍ମ ଡ଼ଙ୍ଗା ସେଇ ମାନଙ୍କୁ ନେଇ ହିଁ ଚାଲିଛି । କବିବର ରାଧାନାଥ ରାୟଙ୍କ ପ୍ରାତଃ ସ୍ମରଣୀୟ ଧାଡିଟି ଲେଖୁଛି - "ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି, ତରିବାକୁ ଏହି ସଂସାର ବାରିଧି । ଧର୍ମ ଏକ ସିନା ମହତ ପଣିଆ ଆଉ ସବୁ କଥା ଅଢ଼େଇ ଦିନିଆ ।'
ମୋ: ୯୭୭୭୦୫୬୫୨୬