ଖାଦ୍ୟ ନଷ୍ଟ ଏକ ଗୁରୁତର ସମସ୍ୟା


ବର୍ତ୍ତମାନ ଆମ ଦେଶରେ ଶତକଡ଼ା ୬୦ ଭାଗରୁ ଅଧିକ ଅଞ୍ଚଳରେ ଶିଶୁମାନଙ୍କ ଠାରେ ପୁଷ୍ଟିର ଅଭାବ ଲକ୍ଷ୍ୟ  କରାଯାଉଛି । ଗୋଟିଏ ପକ୍ଷରେ ଅନାହାର, ଅନ୍ୟପକ୍ଷରେ ପୁଷ୍ଟିର ଅଭାବ ସାଧାରଣ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ଆମ ରାଜ୍ୟ କ୍ଷେତ୍ରରେ ଦେଖିଲେ ଆମ କୃଷକମାନେ ମୁଖ୍ୟତଃ ଧାନ ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି । ଚାଉଳରୁ ସବୁତକ ପୁଷ୍ଟି ପାଇବା ସମ୍ଭବ ନୁହେଁ । ତେଣୁ ଶିଶୁ ତଥା ବୟସ୍କମାନଙ୍କ ଠାରେ ପୁଷ୍ଟିକର ଖାଦ୍ୟ ପହଞ୍ଚାଇବା ଏକ ବଡ଼ ସମସ୍ୟା ହୋଇପଡ଼ିଛି । କୃଷି ଏବଂ ଖାଦ୍ୟ ସମ୍ପର୍କରେ ସଚେତନ ନ ହେଲେ ଭୋକିଲାଙ୍କ ସଂଖ୍ୟା ବଢ଼ିବ । ଜାତିସଂଘର ଖାଦ୍ୟ ଏବଂ କୃଷି ସଙ୍ଗଠନ ଏକ ରିପୋର୍ଟ୍ରେ ପ୍ରକାଶ କରିଛି ଯେ ବିଶ୍ୱରେ ୬୯ କୋଟିରୁ ଅଧିକ ଲୋକ ସବୁଦିନେ ଭୋକିଲା । ବିଶ୍ୱର ହଙ୍ଗର୍ ଇଣ୍ଡେକ୍ସ ର୍ୟାଙ୍କ୍ରେ ୧୨୭ଟି ଦେଶ ରହିଥିବା ବେଳେ ଭାରତ ୧୦୫ ସ୍ଥାନରେ ରହିଛି । ଏଥିରୁ ସୂଚିତ ହେଉଛି ଯେ ଭାରତରେ ମଧ୍ୟ ଖାଦ୍ୟାଭାବ ରହୁଛି । ଏକ ସର୍ଭେକ୍ଷଣରୁ ଜଣାପଡ଼ିଛି ଦେଶର ଉତ୍ପାଦିତ ଖାଦ୍ୟର ୪୦ ପ୍ରତିଶତ ନଷ୍ଟ ହେଉଛି । ସମଗ୍ର ବିଶ୍ୱରେ ଏହା ହେଉଛି ୧୪ ପ୍ରତିଶତ । ଗୋଟିଏ ପକ୍ଷରେ ଲୋକ ଖାଦ୍ୟ ଥାଳିରେ ଛାଡୁଛନ୍ତି । ଆଉ ଗୋଟିଏ ପଟେ ଲୋକମାନେ ଖାଇବାକୁ ନପାଇ ଉପାସରେ ରହୁଛନ୍ତି । ସେଥିପାଇଁ ସେମାନେ ବିଭିନ୍ନ ପ୍ରକାରର ରୋଗରେ ପଡୁଛନ୍ତି । ଧନୀକ ଶ୍ରେଣୀର ଲୋକମାନେ ବିବାହ, ଜନ୍ମଦିନ ଆଦି ସାମାଜିକ କାର୍ଯ୍ୟ, ରାଜନୀତିକ କାର୍ଯ୍ୟକ୍ରମ ଆଦିରେ ଆୟୋଜନ କରୁଥିବା ଭୋଜି ଗୁଡ଼ିକରେ ବିପୁଳ ପରିମାଣର ଖାଦ୍ୟ ନଷ୍ଟ ହେଉଥିବା ଲକ୍ଷ୍ୟ କରାଯାଉଛି । ଭୋକିଲା ଲୋକଙ୍କ ମୁହଁରେ ଖାଦ୍ୟ ମୁଠାଏ ଦେବା ପାଇଁ ଅନେକ ସାମାଜିକ ସଙ୍ଗଠନ ବିଭିନ୍ନ ଭୋଜି, ହୋଟେଲ୍ ଆଦିରୁ ଖାଦ୍ୟ ସଂଗ୍ରହ କରୁଛନ୍ତି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏପରି ଏକ ସଙ୍ଗଠନ ରହିଛି । ଅନେକ ଲୋକ ସେମାନଙ୍କ ଥାଳିରେ ନେଉଥିବା ଖାଦ୍ୟ ପ୍ରତି ସଚେତନ ନୁହଁନ୍ତି । ସେମାନେ କେତେ ଖାଇପାରିବେ ତାର ଆକଳନ କରିପାରନ୍ତି ନାହିଁ । ଏହା ଫଳରେ ଥାଳିରେ ମଧ୍ୟ ଅନେକ ଖାଦ୍ୟ ବଳକା ହୋଇ ଡ଼ଷ୍ଟବିନ୍ରେ ଫୋପଡ଼ାଯାଏ । ଏହି ରନ୍ଧା ଖାଦ୍ୟ ସଂଗ୍ରହ କରି ଷ୍ଟେସନ୍ କିମ୍ବା ରାସ୍ତାକଡ଼ରେ ଭୋକିଲା ଶୋଉଥିବା ଲୋକଙ୍କୁ ଦେବା ପାଇଁ କିଛି ଲୋକ ଆଗଭର ହେଲେଣି । 
ଅନେକ ସମୟରେ ବିଭିନ୍ନ ଭୋଜିଭାତରେ ୮୦୦ ଲୋକଙ୍କ ଖାଇବା ପାଇଁ ରୋଷେଇ ହୋଇଥିବା ବେଳେ ୨୦୦-୩୦୦ ଲୋକ ଖାଇବା ପରେ ବାକି ସବୁ ବଳିପଡୁଛି । ରନ୍ଧା ଖାଦ୍ୟ କମ୍ ସମୟ ଭିତରେ ନଷ୍ଟ ହୋଇ ଯାଉଥିବାରୁ ରୋଷେଇ ହୋଇଥିବା ଦିନ ହିଁ ଖାଦ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ । କେବଳ ଖାଦ୍ୟ ନୁହେଁ, ବିଭିନ୍ନ ପନିପରିବା କ୍ଷେତ୍ରରେ ମଧ୍ୟ ଯେତିକି ଉତ୍ପାଦନ ହୁଏ, ବଜାରକୁ ଆସେ ତାର ୨୦ ଶତାଂଶ ବିକ୍ରି ହୋଇନପାରି ନଷ୍ଟ ହୁଏ । ଗୋଟିଏ ପକ୍ଷରେ ଖାଉଟିଙ୍କର ଅଭିଯୋଗ ସବୁବେଳେ ହୁଏ ଯେ ପନିପରିବାର ଦରଦାମ୍ ବଜାରରେ ଅତ୍ୟଧିକ ରହୁଛି । ଅନ୍ୟପକ୍ଷରେ କୃଷକ ପରିବା ବିକ୍ରି କରି ପଇସା ପାଇଗଲେ ତାହା କର୍ତ୍ତବ୍ୟ ଶେଷ ହୋଇଯାଉଛି । ବ୍ୟବସାୟୀ ତାହା ଲାଭ ପାଇଗଲେ ବଳକା ପରିବାକୁ ସେହି ହାଟରେ ହିଁ ଫୋପାଡ଼ି ଦେଉଛି । ବିଭିନ୍ନ ଖାଦ୍ୟଦ୍ରବ୍ୟ ଗଚ୍ଛିତ ରଖିବା କ୍ଷେତ୍ରରେ ଫସଲ ଅମଳ ଠାରୁ ରୋଷେଇ ଘରକୁ ଆସିବା ପର୍ଯ୍ୟ" ବିଭିନ୍ନ ସ୍ତରରେ ମୂଷା ଭଳି କେତେକ ପ୍ରାଣୀଙ୍କ ଉପଦ୍ରବରେ ପାଖାପାଖି ୨୦ ଶତାଂଶ ଉତ୍ପାଦିତ ଖାଦ୍ୟ ନଷ୍ଟ ହେଉଛି । ହୋଟେଲ୍ ଗୁଡ଼ିକରେ ପାଖପାଖି ୨୦ ଶତାଂଶ ନଷ୍ଟ ହୁଏ । ଏସବୁ ଉପରେ ଦୃଷ୍ଟି ନ ଦେଲେ ଭବିଷ୍ୟତରେ ଭୋକିଲା ରହୁଥିବା ଲୋକଙ୍କର ଏବଂ ଖାଦ୍ୟ ଫୋପାଡୁଥିବା ଲୋକଙ୍କର ଦୂରତା ବଢ଼ି ବିଭିନ୍ନ ପ୍ରକାରର ସାମାଜିକ ସମସ୍ୟା ସୃଷ୍ଟି କରିବ ।