ସୃଷ୍ଟିର ଶ୍ରେଷ୍ଠ ସମ୍ପଦ
ବିଶ୍ୱନିୟନ୍ତାଙ୍କ ବିଚିତ୍ର ସୃଷ୍ଟି । କେତେବେଳେ କାହାଦ୍ୱାରା କରାଯିବ ସିଏ ନିଜେ ହିଁ ନିୟନ୍ତ୍ରଣ କରନ୍ତି । କିଏ ନିଜର ସ୍ୱାର୍ଥ ପାଇଁ ଜୀବନସାରା ସନ୍ତୁଳି ହୋଇ ସୁଖ ଖୋଜୁଥାଏ ତ ଅନ୍ୟ କିଏ ଜଗତର ହିତ ପାଇଁ ନିଜର ସର୍ବସ୍ୱକୁ ଜଳାଞ୍ଜଳି ଦେଇଥାଏ । କିଛି ଲୋକ ଜନ୍ମରୁ ଭାଗ୍ୟବାନ, କାହାକୁ ଭାଗ୍ୟକୁ ଲଦି ଦିଆଯାଇଥାଏ ତ ଅନ୍ୟ କିଏ କଠିନ ପରିଶ୍ରମ କରି ଅନ୍ୟର ଭାଗ୍ୟ ତିଆରି କରିଥାନ୍ତି । ଗୁରୁ ହୋଇ ଅଜ୍ଞାନ ଅନ୍ଧାରରୁ ଜ୍ଞାନର ଆଲୋକ ଆଡ଼କୁ ପଥ ପ୍ରଦର୍ଶନ କରାଉଥିବା ସେହି ମହାନ ବ୍ୟକ୍ତିତ୍ୱ ହେଊଛନ୍ତି ଆମ ସାର୍ ଡଃ. ଅଚୁ୍ୟତ ସାମନ୍ତ । ଲକ୍ଷ ଲକ୍ଷ ପିଲାଙ୍କ ଊଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରିବା ପାଇଁ ବଜ୍ରଶପଥ ନେବା ସହିତ ଏଥିପାଇଁ ନିଜକୁ ସମର୍ପଣ କରି ଅହରହ ଊଦ୍ୟମ ଜାରି ରଖିଛନ୍ତି । କଲରାବାଙ୍କରେ ଭୂମିଷ୍ଠ ଏହି ଉଜ୍ଜ୍ୱଳ ନକ୍ଷତ୍ର ବହୁ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିଛନ୍ତି । ପିଲାଦିନୁ ବାପାଙ୍କୁ ହରେଇ ଥିବାର ଦୁଃଖ, ଚଳଣିରେ ବହୁ ବାଧାବିଘ୍ନକୁ ଖାତିରି ନକରି ଜୀବନର ଲକ୍ଷ୍ୟ ପଥରେ ଆଗେଇ ସଫଳ ହୋଇଛନ୍ତି । ମା’ ନୀଳିମା ରାଣୀଙ୍କ ପ୍ରେରଣାରେ ସାମନ୍ତ ସାର୍ ଉଜ୍ଜ୍ୱଳ ଜ୍ୟୋତିଷ୍କଟିଏ ହୋଇ ଏ ମାଟିର ଶିକ୍ଷା ଆକାଶରେ ଉଦୀୟମାନ ହୋଇଛନ୍ତି । ନବେ ଦଶକରେ ସୃଷ୍ଟି ହୋଇଥିବା କ୍ଷୁଦ୍ର ଅନୁଷ୍ଠାନଟି ଆଜି ଦୁଇ ଦୁଇଟି ଡିମ୍ଡ ବିଶ୍ୱବିଦ୍ୟାଳୟରେ ପରିଣତରେ ରୂପାନ୍ତରିତ ହୋଇ ଶିକ୍ଷାକାଶରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରି ପାରିଛି । କିମସ୍ ଭଳି ଏକ ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ କେନ୍ଦ୍ର କେବଳ ରୋଗୀସେବା ନୁହେଁ ଡାକ୍ତର, ନର୍ସ ସୃଷ୍ଟି କରୁଥିବା ଏକ ମଣିଷ ତିଆରି କାରଖାନାରେ ରୂପାନ୍ତରିତ ହୋଇପାରିଛି । ଆଜି ଦେଶ ବିଦେଶର ଲକ୍ଷାଧିକ ପିଲା ଏଠାରୁ ଶିକ୍ଷା ସମାପ୍ତ କରି ବିଶ୍ୱ କଲ୍ୟାଣରେ ଲାଗିଛନ୍ତି । ରସାୟନ ବିଜ୍ଞାନରେ ଅଧ୍ୟାପନା କାର୍ଯ୍ୟ ଆରମ୍ଭ କରିଥିବା ଜୀବନ ଅଧ୍ୟାପକ ହୋଇ ରହିଯାଇଥିଲେ ବୋଧେ ପରିସର ସୀମିତ ହୋଇଯାଥାନ୍ତା । ମାତ୍ର ଜଗତ କଲ୍ୟାଣ ଯାହାର ଲକ୍ଷ୍ୟ, ଶିକ୍ଷାର କିରଣ ବୁଣିବା ପାଇଁ ଯିଏ ପ୍ରେରିତ ସିଏ ସୀମିତ ହୋଇ ରହିଥାନ୍ତେ କିପରି? ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଉଚ୍ଚ ଶିକ୍ଷା ନିମନ୍ତେ ଆଗେଇ ଆସୁଛନ୍ତି ଅନେକ ବିଦ୍ୟାର୍ଥୀ । ଶିକ୍ଷା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନ କିଟ୍ରେ ନିଜର ଭବିଷ୍ୟତ ଜୀବନ ଗଢିବାକୁ ଅନେକ ଇଚ୍ଛାବ୍ୟକ୍ତ କରିଥାନ୍ତି । ନିଜକୁ କିଟିଆନ୍ ଭାବେ ତିଆରି କରି, ଅନେକ ସୁନାମଧନ୍ୟ, ଅଗ୍ରଣୀ ଅନୁଷ୍ଠାନରେ ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ଅର୍ଜନକରି ଅନୁଷ୍ଠାନକୁ ଗୌରବାନ୍ୱିତ କରୁଛନ୍ତି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅବହେଳିତ ଅବସ୍ଥାରେ ଥିବା ଜନଜାତି ପିଲାଙ୍କୁ ଉଦ୍ଧାର କରି ଶିକ୍ଷାଦାନ କରି ସେମାନଙ୍କର ଜୀବନ ଜୀବିକାର ମୋଡ଼ ବଦଳେଇ ଦେଇଛନ୍ତି । କିସ୍ ଏକ ମାତ୍ର ଅନୁଷ୍ଠାନ ଯେଉଁଠାରେ ତିରିଶ ହଜାର ଛାତ୍ରଛାତ୍ରୀ କେଜି ଠାରୁ ପିଜି ପର୍ଯ୍ୟନ୍ତ ନିଃଶୁଳ୍କ ପାଠ ପଢିଥାନ୍ତି । ଶିକ୍ଷା ପରେ ନୂତନ ଦିଗନ୍ତକୁ ଯିବାକୁ ପ୍ରେରଣା ଯୋଗାଇଛନ୍ତି । କେବଳ ଶିକ୍ଷା ନୁହେଁ ସେମାନଙ୍କ ମଧ୍ୟରେ ଲୁକ୍କାୟିତ ଥିବା ଅନ୍ତର୍ନିହିତ ଗୁଣାବଳୀକୁ ପ୍ରସ୍ଫୁଟିତ କରିବା ପାଇଁ ଯତ୍ନବାନ । କ୍ରିଡ଼ାର ପ୍ରସାର ନିମନ୍ତେ ସର୍ବଦା ଚେଷ୍ଟିତ । କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରାଇବା, ସେମାନଙ୍କ ମଧ୍ୟରେ ଥିବା କ୍ରିଡ଼ାନୈପୁଣ୍ୟକୁ ଜାତୀୟ, ଅର୍ନ୍ତଜାତୀୟ ସ୍ତରରେ ଉପସ୍ଥାପିତ ଅନେକ ଆର୍ନ୍ତଜାତିକ କ୍ରିଡ଼ାକୁ କିଟ୍ର କ୍ରୀଡ଼ାଙ୍ଗନରେ ଉପସ୍ଥାପନ କରିବାରେ ତାଙ୍କର ଭୂମିକା ଅବିସ୍ମରଣୀୟ ।କରୋନା କବଳରେ ନିଜର ପିତା-ମାତାଙ୍କୁ ହରେଇ ଅନାଥ ଶିଶୁଙ୍କୁ ଆପଣାର କରି ନେବାରେ ସେ ଅନ୍ୟ ପାଇଁ ଉଦାହରଣ ହୋଇଛନ୍ତି । ଅନେକ ବାପା-ମା’କୁ ହରେଇଥିବା ସନ୍ତାନମାନଙ୍କର ଗୁରୁଦାୟିତ୍ୱ ସେ ନିଜ ହାତକୁ ନେଇଛନ୍ତି । ନିଜେ ଅବିବାହିତ ହୋଇ ମଧ୍ୟ ବାପା-ମା’ ଉଭୟଙ୍କର ଭାରକୁ ନିଜ କାନ୍ଧରେ ବୋହି ସେମାନଙ୍କୁ ସମାଜରେ ମଣିଷ ଭଳି ମଣିଷଟିଏ ଗଢ଼ିତୋଳିବାର କାର୍ଯ୍ୟ ଜାରି ରଖିଛନ୍ତି ।ଅଧୁନା ଅନେକ ସହରର ଚାକଚକ୍ୟ ମଧ୍ୟରେ ରହି ନିଜର ଗାଁ, ମା, ମାଟି ସାଥି ସହୋଦରକୁ ଭୁଲିଯାନ୍ତି । ଏହାର ବ୍ୟତିକ୍ରମ ସାମନ୍ତ ସାର୍ ସମ୍ମାନସ୍ପଦ ପଦପଦବୀରେ ଥାଇ, ଅନେକ ଗୁରୁଦାୟିତ୍ୱରେ ଜଡ଼ିତ ଥିଲେ ମଧ୍ୟ ଜନ୍ମମାଟିକୁ ଭଲ ପାଉଥିବା ଦରଦୀ ମଣିଷଟିଏ । ନିଜ ଗାଁରେ ସହରର ସମସ୍ତ ସୁବିଧା, ନିଜର ଗ୍ରାମକୁ ଦେଶର ପ୍ରଥମ ସ୍ମାର୍ଟ ଭିଲେଜ୍ ଭାବେ ଗଢି ତୋଳିବା, ପିଲାମାନେ ଏହି ଗ୍ରାମରେ ପଢିବା ପାଇଁ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସ୍ଥାପନ, ସାଥି ସହକର୍ମୀଙ୍କୁ ଅନାବିଳ ଭାବେ ଭଲପାଇବା, ସେମାନଙ୍କର ଦୁଃଖସୁଖରେ ସାମାଜିକ କାର୍ଯ୍ୟରେ ସାମିଲ ହେବା ତାଙ୍କର ଜନମମାଟିକୁ ଭଲପାଇବାକୁ ସୂଚାଉଛି । ଡଃ. ଅଚୁ୍ୟତ ସାମନ୍ତ ସାର୍ ଜଣେ ବ୍ୟକ୍ତି ନୁହନ୍ତି ଗୋଟିଏ ଅନୁଷ୍ଠାନ । ଏତେଗୁଡିଏ ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା ସମାୟାନୁବର୍ତ୍ତିତା ତାଙ୍କ ଠାରୁ ଶିକ୍ଷଣୀୟ । କମ୍ କଥାରେ ସାରଗର୍ଭକ କଥା କହି ଅନ୍ୟମାନଙ୍କ ହୃଦୟ ଜିତିଥାନ୍ତି । ସରଳ, ନିରାଡମ୍ୱର, ସାଧାରଣ ଜୀବନଚର୍ଯ୍ୟା, ପରକୁ ଆପଣାର କରିବାର ଗୁଣ, ପର ଦୁଃଖରେ ଦୁଃଖୀ ଏହି ବ୍ୟକ୍ତି ଜଣକ ନିଜର ଦାୟିତ୍ୱବୋଧ, କର୍ତ୍ତବ୍ୟପରାୟଣତାରେ ସଦାସର୍ବଦା ତତ୍ପର । ଜଣେ ସମଦର୍ଶୀ ସମୟାନୁବର୍ତ୍ତୀ, ଛାତ୍ରବତ୍ସଳ, ଦୂରଦ୍ରଷ୍ଟା, ଦିଗ୍ଦ୍ରଷ୍ଟା, ସଫଳ ବ୍ୟକ୍ତି ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି । ସମୟ ସ୍ରୋତରେ ଗତିଶୀଳ ହୋଇ ସଫଳତାର ଶୀର୍ଷ ସ୍ପର୍ଶ କରିଥିଲେ ମଧ୍ୟ ଅତୀତକୁ କେବେ ଭୁଲିନାହାନ୍ତି । ଅତୀତ କଥାକୁ ଭୁଲି ନଯାଇ, କୃତଘ୍ନ ନହୋଇ କୃତଜ୍ଞ ରହିବା ପାଇଁ ପରାମର୍ଶ ପ୍ରେରଣାଦାୟୀ । ଏହିଭଳି ଜଣେ ମହାନ ଗୁରୁ ଡଃ. ଅଚୁ୍ୟତ ସାମନ୍ତ ସାର୍ଙ୍କୁ କୋଟି କୋଟି ପ୍ରଣାମ । ଗୁରୁ ଏକ ଆଲୋକବର୍ତ୍ତିକା, ଗୁରୁ ସୃଷ୍ଟିର ଶ୍ରେଷ୍ଠ ସମ୍ପଦ ।
ଇଂ.ରାଜଶେଖର ଲାହା
ମୋ: ୯୩୩୭୭୭୦୭୭୭