ମା’ ମଙ୍ଗଳାଙ୍କ ଅନନ୍ୟ ଝାମୁଯାତ୍ରା
କାକଟପୁର: ରାଜ୍ୟର ବିଭିନ୍ନ ଦେବଦେବୀ ପୀଠ ଏବଂ ଗାଁ ଠାକୁରାଣୀଙ୍କ ନିକଟରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିରେ ପାରମ୍ପରିକ ପ୍ରଥାନୁସାରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଆସୁଛି । କିନ୍ତୁ ରାଜ୍ୟର ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ସ୍ଥାନ ପାଇଥିବା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ଚୈତ୍ର ମାସର ପଞ୍ଚମ ମଙ୍ଗଳବାର ଅବା ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ମା’ ମଙ୍ଗଳାଙ୍କ ଝାମୁଯାତ୍ରା ଅନନ୍ୟ ଓ ପ୍ରସିଦ୍ଧ ଅଟେ । ଝାମୁଯାତ୍ରାର ତୃତୀୟ,ଚତୁର୍ଥ ଓ ପଞ୍ଚମ ମଙ୍ଗଳବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଥାଏ କାଳିକା ନୃତ୍ୟ । ଯାହା ମା ମଙ୍ଗଳାଙ୍କ ମନ୍ଦିରର ଆଉ ଏକ ଅନନ୍ୟ ପରମ୍ପର । ଏଥିପାଇଁ ମା ମଙ୍ଗଳାଙ୍କ ଜଣେ ଖମାରେଇ ସେବକ ଦୋଳପୂର୍ଣ୍ଣିମାଠାରୁ ଶୁଦ୍ଧପୂତ ଭାବେ ହବିଷାନ୍ନ ଭୋଜନ କରି ନିଷ୍ଠାରେ ରହିଥାନ୍ତି । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ନିଜକୁ କାଳି ବେଶରେ ସଜ୍ଜିତ କରି ମନ୍ଦିରକୁ ଯାଇ ମା’ଙ୍କୁ ସ୍ତୃତି କରିବାପରେ ପୂଜାପଣ୍ଡା ତାଙ୍କୁ ମା’ଙ୍କଠାରେ ପୂର୍ବରୁ ଲାଗି ହୋଇଥିବା ଖଣ୍ଡା ଏବଂ ଲାଗିମାଳ ଦେଇଥାନ୍ତି । ଏହାପରେ ସେବକ ଜଣକ କାଳିକା ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ମନ୍ଦିର ବେଢା ଓ ସେବକ ସାହି ଦାଣ୍ଡରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥାଏ । ଅପରପକ୍ଷେ କେତେଜଣ ଶ୍ରଦ୍ଧାଳୁ ମନସ୍କାମନା ପୂରଣ ହେବା ପରେ ଯାଚନା କରିଥିବା ଛାଗ, ମେଣ୍ଢା ବୋଦାକୁ ଧରି କାକଟପୁରରେ ପହଞ୍ଚି ମା’ଙ୍କୁ ସମର୍ପଣ କରିଥାନ୍ତି । ଏହା ପରେ ବୋଦାଙ୍କୁ ପ୍ରାଚୀ ନଦୀକୂଳରେ ପୂଜା ପାଉଥିବା ଦକ୍ଷିଣଚଣ୍ଡୀଙ୍କ ନିକଟରେ ବଳି ପକାଇ ଥାନ୍ତି । ମା’ଙ୍କ କୃପା ପାଇବାକୁ କିଏ କେତେ ପ୍ରକାର ବିଧି ପାଳନ କରୁଥିବା ଦେଖିବାକୁ ମିଳେ । ସଧବା ମହିଳାମାନେ ମନ୍ଦିର ର ଉତ୍ତରପାର୍ଶ୍ୱ ବେଢା ମଧ୍ୟସ୍ଥ ପନ୍ଥେଇ ରେ ହଳଦୀ ପାଣି ଢାଳି , ସିନ୍ଦୂର ଲଗାଇ, ଫୁଲ ଚଢାଇ ମଙ୍ଗଳ କାମନା ଭିକ୍ଷା କରୁଥିବାବେଳେ, ଆଉ କେତେଜଣ ମହିଳା ନୂଆଚାଉଳ, ବିରିକୁ ବେଢାରେ ବିଞ୍ଚି ଜାମୁଡାଳରେ ଓଳାଇଥାନ୍ତି । ଏହା କଲେ ପରିବାର ପ୍ରତି ଥିବା ଗ୍ରହରିଷ୍ଟ ମା’ମଙ୍ଗଳା ଦୂର କରିଥାନ୍ତି ବୋଲି ବିଶ୍ୱାସ ରହିଛି । ପରେ ନେତ୍ରୋତ୍ସବ ନୀତି କରାଯାଏ । ମନ୍ଦିର ଚତୁଃପାର୍ଶ୍ୱ ଓ ମନ୍ଦିର ରାସ୍ତାରେରେ ଏକ ମାସ ଧରି ମେଳା ବସିଥାଏ । ପଞ୍ଚମ ମଙ୍ଗଳବାର ଅନୁଷ୍ଠିତ ହୁଏ ଝାମୁ ଉତ୍ସବ । ମନ୍ଦିର ସମ୍ମୁଖରେ ଥିବା ପ୍ରାୟ ୩ ଫୁଟ ଓସାର ୨ ପୁଟ ଗଭୀର ଓ ୧୦ଫୁଟ ଲମ୍ବର ଏକ ଗର୍ତ୍ତକୁ ରଡ଼ ନିଆଁରେ ପୂର୍ଣ୍ଣ କରାଯାଇଥାଏ । ଜଗତସିଂହପୁର ଅଞ୍ଚଳର ରାଉଳ ପାଟୁଆ ଏବଂ ସ୍ଥାନୀୟ ଅଞ୍ଚଳର ଭୋଇ ପାଟୁଆ ବିରାଟ ପଟୁଆରରେ ମନ୍ଦିରରୁ ବାହାରି ପ୍ରାଚୀନଦୀର ଘଣ୍ଟତୋଳା ତୁଠକୁ ଯାଇଥାନ୍ତି । ସେଠାରେ ଘଟସ୍ଥାପନା, ପାଣିତୋଳା କାର୍ଯ୍ୟ ସାରି ପୁନର୍ବାର ପଟୁଆରରେ ମନ୍ଦିରକୁ ଫେରି ମା’ଙ୍କୁ ସ୍ମୃତି କରିଥାନ୍ତି । ମା’ଙ୍କ ଠାରୁ ପୂଜା ପଣ୍ଡା ଆଜ୍ଞାମାଳ ପ୍ରଦାନ କରିବା ପରେ ଏମାନେ ଏକତ୍ର ରଡ ନିଆଁପୂର୍ଣ୍ଣ ଗର୍ତ୍ତରେ ଘଟଧରି ଖାଲି ପାଦରେ ଚାଲିଥାନ୍ତି । ଏହାକୁ ହିଁ କୁହାଯାଏ ଝାମୁ ଚାଲିବା । ଝାମୁ ଚାଲିବା ପରେ ପଟୁଆମାନେ ମନ୍ଦିର ସମ୍ମୁଖରେ ଏବଂ ବେଢା ମଧ୍ୟରେ ପଟୁଆ ନୃତ୍ୟ ପରିବେଷଣ କରିଥାନ୍ତି । ଏହାପରେ ଆନୁଷ୍ଠିନିକ ଭାବେ ଶେଷ ହୋଇଥାଏ ଝାମୁଯାତ୍ରା । ମା ମଙ୍ଗଳାଙ୍କ ପ୍ରସିଦ୍ଧ ଓ ଅନନ୍ୟ ଝାମୁଯାତ୍ରା ପାଇଁ ସମଗ୍ର କାକଟପୁର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି ।