ଫାଷ୍ଟ ଫୁଡର ମାନ ପରିଖିବ କିଏ?

ନିଆଳିରୁ ଅଞ୍ଜୁଶା ଦାସ : କଣ୍ଟାପଡା ଅଞ୍ଚଳରେ ବେଧଡକ ଭାବେ ଖୋଲିଛି ବହୁ ନକଲି ଫାଷ୍ଟ ଫୁଡ୍ ଦୋକାନ । ଆଧୁନିକତାର ଛିଟାରେ ଲୋକମାନଙ୍କର ପାଟି ସୁଆଦିଆ ଖାଦ୍ୟ ପ୍ରତି ଅହେତୁକ ଦୁର୍ବଳତା ବୃଦ୍ଧି ପାଇଛି । ସେହି ଅନୁସାରେ ଲୋକଙ୍କ ଚାହିଦା ଓ ରୁଚି ମୁତାବକ କଣ୍ଟାପଡା ବଜାର ସମେତ ବିଭିନ୍ନ ଛକ, ବଜାର, ଗଳିକନ୍ଦୀ ମାନଙ୍କରେ ଖୋଲିଛି ଫାଷ୍ଟଫୁଡ୍ ଷ୍ଟଲ । ଫାଷ୍ଟଫୁଡ ଯୁବପିଢ଼ୀଙ୍କ ଦୈନଦିନ ଖାଇବା ଏକ ପ୍ରକାର ହବିରେ ପରିଣତ ହୋଇ ସାରିଲାଣି । ଯାହାର ସୁଯୋଗ ନେଉଛନ୍ତି କିଛି ଲାଭ ଖୋର୍ ଫାଷ୍ଟଫୁଡ ଦୋକାନୀ । ସନ୍ଧ୍ୟା ହେଲେ କଣ୍ଟାପଡା ବଜାର ସମେତ ଅଡସପୁର ବଜାର, କଲେଜ ଛକ, ସଳେଇ ଛକ, ଓଲଟପୁର ଛକ, ସୁନ୍ଦର ଗାଁ ଛକ, ବାଗଲପୁର, ପାଟ ସୁନ୍ଦରପୁର ଛକ, ଗୋବିନ୍ଦ ପୁର ଛକ, ଧାନମଣ୍ଡଳ ଛକ ଆଦି ଜାଗାମାନଙ୍କରେ ଫାଷ୍ଟଫୁଡ ପସରା ମେଲୁଛି । ସେମାନେ ପ୍ରସ୍ତୁତ କରୁଥିବା ଖାଦ୍ୟରେ ସେମାନେ ବିଭିନ୍ନ ପ୍ରକାର ରାସାୟନିକ ରଙ୍ଗ, ଚାଇନା ସଲ୍ଟ, ଭିନେଗାର, ନକଲି ସକ୍ସ, ନକଲି ହେଙ୍ଗୁ ଓ ବିଷାକ୍ତ କେମିକାଲ ଯୁକ୍ତ ଉପାଦାନ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏହି ଫାଷ୍ଟଫୁଡକୁ ଦେଖିଲେ ଲୋକେମାନେ ଆକୃଷ୍ଟ ହୁଅନ୍ତି । କିନ୍ତୁ ସ୍ୱାସ୍ଥ୍ୟ ପାଖେ ଏହି ସବୁ ଖାଦ୍ୟ ବହୁ ହାନିକାରକ ବୋଲି ସ୍ୱାସ୍ଥ୍ୟ ବେଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଫାଷ୍ଟଫୁଡ୍ ଦୋକାନୀ ନିମ୍ନମାନର ଫାଷ୍ଟଫୁଡ୍ କରିବା ସହ ନିମ୍ନମାନର ତେଲରେ ଏହାକୁ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ଲୋକେ ସ୍ୱାସ୍ଥ୍ୟଜନିତ ସମସ୍ୟା ଭୋଗୁଛନ୍ତି । କିଛି ଅସାଧୁ ଦୋକାନୀ ବଳକା ଖାଦ୍ୟକୁ ଫ୍ରିଜରେ ରଖି ପରଦିନ ଗ୍ରାହକ ମାନଙ୍କୁ ଗରମ କରି ବିକ୍ରି କରୁଛନ୍ତି । ଅନ୍ୟପକ୍ଷରେ ବହୁ ଫାଷ୍ଟଫୁଡ ଦୋକାନୀଙ୍କ ଲାଇସେନ୍ସ ନଥିବା ଅଭିଯୋଗ ହୋଇଛି । ଖାଦ୍ୟର ମାନ ଯାଞ୍ଚ କରିବା ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଏ ନେଇ ଫୁଡ ବିଭାଗ ଅଧିକାରିଣୀ ଅନିତା ମହାନ୍ତିଙ୍କୁ ପଚାରିବାରୁ ଖୁବଶୀଘ୍ର ଏକ ଟିମ ଗଠନ କରାଯାଇ ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।