ଅଶୋକ ସ୍ତମ୍ଭ ସହ ‘ସତ୍ୟମେବ ଜୟତେ' ଉଲ୍ଲେଖ ବାଧ୍ୟତାମୂଳକ

 ଭୁବନେଶ୍ୱର: ବିଭିନ୍ନ ସରକାରୀ ସଂସ୍ଥା ସେମାନଙ୍କର ଷ୍ଟେସନାରୀ, ପ୍ରକାଶନ, ମୋହର, ଯାନବାହାନ, କୋଠା, ୱେବସାଇଟ୍ ଆଦିରେ ଭାରତର ରାଷ୍ଟ୍ରୀୟ ପ୍ରତୀକ ବ୍ୟବହାର କରୁଛନ୍ତି । କିନ୍ତୁ ସେମାନେ ପ୍ରାୟତଃ ଦେବନଗରୀ ଲିପିରେ ଉଲ୍ଲିଖିତ "ସତ୍ୟମେବ ଜୟତେ’ ମୂଳମନ୍ତ୍ରକୁ ବାଦ ଦେଇ କେବଳ ସିଂହ ରାଜଧାନୀର ରୂପରେଖକୁ ଦର୍ଶାଉଛନ୍ତି । ଯାହା ବିନା ଭାରତର ରାଷ୍ଟ୍ରୀୟ ପ୍ରତୀକ ଅସମ୍ପୂର୍ଣ୍ଣ । ଏଣୁ ଏପରି କରାଗଲେ ଭାରତର ରାଷ୍ଟ୍ରୀୟ ପ୍ରତୀକ (ଅନୁଚିତ ବ୍ୟବହାର ନିଷେଧ) ଆଇନ, ୨୦୦୫ ର ଉଲ୍ଲଂଘନ ବୋଲି ବିବେଚିତ ହେବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସେହିପରି ବିଭିନ୍ନ ବ୍ୟକ୍ତି/କର୍ତ୍ତୃପକ୍ଷ ଯେଉଁମାନେ ଭାରତର ରାଷ୍ଟ୍ରୀୟ ପ୍ରତୀକ ବ୍ୟବହାର କରିବାକୁ ଅଧିକାରପ୍ରାପ୍ତ ନୁହନ୍ତି, ସେମାନେ ଷ୍ଟେସନାରୀ, ଯାନବାହନ ଆଦିରେ ଏହା ବ୍ୟବହାର କରୁଛନ୍ତି । ଏହା ଉଲ୍ଲେଖନୀୟ ଯେ ଭାରତର ରାଷ୍ଟ୍ରୀୟ ପ୍ରତୀକର ବ୍ୟବହାର ଭାରତର ରାଷ୍ଟ୍ରୀୟ ପ୍ରତୀକ (ଅନୁପଯୁକ୍ତ ବ୍ୟବହାର ନିଷେଧ) ଆଇନ, ୨୦୦୫  ଏବଂ ଭାରତର ରାଷ୍ଟ୍ରୀୟ ପ୍ରତୀକ (ବ୍ୟବହାର ନିୟନ୍ତ୍ରଣ) ନିୟମ, ୨୦୦୭ (ଭାରତର ରାଷ୍ଟ୍ରୀୟ ପ୍ରତୀକ (ବ୍ୟବହାର ନିୟନ୍ତ୍ରଣ) ସଂଶୋଧନ ନିୟମ, ୨୦୧୦ ସହିତ ପଢ଼ାଯାଇଥିବା)ରେ ପ୍ରାଧିକୃତ ଉଦେ୍ଦଶ୍ୟ ମଧ୍ୟରେ ସୀମିତ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୱେବସାଇଟ୍ ଙ୍ଗଙ୍ଗଙ୍ଗ.ଜ୍ଞଷବ.ଦ୍ଭସମ.ସଦ୍ଭରେ ମଧ୍ୟ ଏହା ଉପଲବ୍ଧ । ଏଣୁ ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନ ମାନଙ୍କୁ ଏଥିରୁ ବିରତ ରହିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।
ଯଦି କୌଣସି ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନ ଭାରତର ରାଷ୍ଟ୍ରୀୟ ପ୍ରତୀକ (ଅନୁପଯୁକ୍ତ ବ୍ୟବହାର ନିଷେଧ) ଆଇନର କୌଣସି ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଭାରତର ରାଷ୍ଟ୍ରୀୟ ପ୍ରତୀକ (ଅନୁପଯୁକ୍ତ ବ୍ୟବହାର ନିଷେଧ) ଆଇନ, ୨୦୦୫ ଏବଂ ଭାରତର ରାଷ୍ଟ୍ରୀୟ ପ୍ରତୀକ (ବ୍ୟବହାର ନିୟନ୍ତ୍ରଣ) ନିୟମାବଳୀ, ୨୦୦୭ ଓ ଭାରତର ରାଷ୍ଟ୍ରୀୟ ପ୍ରତୀକ (ବ୍ୟବହାର ନିୟନ୍ତ୍ରଣ) ସଂଶୋଧନ ନିୟମାବଳୀ, ୨୦୧୦ ) ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଧାରା ୩ର ବ୍ୟବସ୍ଥା ଉଲ୍ଲଂଘନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡିତ କରାଯିବ । ଯଦି ପୂର୍ବରୁ ଏହି ଧାରା ଅନୁଯାୟୀ କୌଣସି ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବେ, ତେବେ ସେ ଦ୍ୱିତୀୟ ଏବଂ ପରବର୍ତ୍ତୀ ପ୍ରତ୍ୟେକ ଅପରାଧ ପାଇଁ ଅନୁ୍ୟନ ଛଅ ମାସ କିମ୍ବା ତତୋଧିକ ଯାହା ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ଏବଂ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ସହିତ ଦଣ୍ଡିତ ହେବେ ।