ସଂକଟରେ ଶିମିଳିପାଳ ଅଭୟାରଣ୍ୟ, ଅସୁରକ୍ଷିତ ବନ୍ୟପ୍ରାଣୀ


ବେତନଟୀରୁ କମଳ ଲୋଚନ କର: ଉତ୍ତର ଓଡିଶାର ସର୍ବବୃହତ୍ତମ ପ୍ରାକୃତିକ ଜୈବମଣ୍ଡଳ ଶିମିଳିପାଳ ଏବେ ସଂକଟ ଦେଇ ଗତି କରୁଛି । ଯାହାଫଳରେ ଜଙ୍ଗଲରେ ରହୁଥିବା ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇ ପଡିଛନ୍ତି । ଜଙ୍ଗଲ ମାଫିଆମାନଙ୍କ ପାଇଁ ଦିନକୁ ଦିନକୁ ଶିମିଳିପାଳ ବୃକ୍ଷଶୂନ୍ୟ ହୋଇ ଚାଲିଛି । ସେହି ପରିମାଣରେ ଜଙ୍ଗଲ ତସ୍କରମାନଙ୍କ ଦ୍ୱାରା ବନ୍ୟପ୍ରାଣୀ ଶିକାର ଯୋଗୁଁ ବନ୍ୟଜନ୍ତୁ ବିଶେଷ କରି ବାଘ, ହରିଣ, ସମ୍ବର, ବାର୍ହା ଠାରୁ ଅନ୍ୟାନ୍ୟ ଛୋଟବଡ ଜନ୍ତୁମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇ ଚାଲିଛି । ଏହାର ସୁରକ୍ଷା ଦାୟିତ୍ୱରେ ଥିବା ବନ ବିଭାଗର ଉଚ୍ଚ ଅଧିକାରୀମାନଙ୍କର ରାଜକୀୟ ଢଙ୍ଗ ଏବଂ କର୍ମଚାରୀମାନଙ୍କର କାଠ ଓ ବନ୍ୟଜନ୍ତୁ ମାଫିଆମାନଙ୍କ ସହିତ ସୁସମ୍ପର୍କ ଯୋଗୁଁ ଏହା ଏବେ ସଂକଟରେ ଥିବାବେଳେ ଚତୁଃପାଶ୍ୱର୍ରେ ବସବାସ କରୁଥିବା ବାସିନ୍ଦାମାନଙ୍କର ମଧ୍ୟ ନିଜ ଜିଲ୍ଲାର ପ୍ରାକୃତିକ ପରିବେଶର ସୁରକ୍ଷା ପ୍ରତି ଅଙ୍ଗୀକାର ନ ଥିବା କାରଣରୁ ଏବଂ ଜଙ୍ଗଲ ମାଫିଆମାନଙ୍କ ସହିତ ଭିତ୍ତିରି ସମ୍ପର୍କ ଯୋଗୁଁ ଏହା ନିଜର ସତ୍ତା ଓ ସ୍ଥିତି ହରାଇ ବସିବାକୁ ବସିଛି । ଯାହା ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଉଦ୍ବେଗର କାରଣ ହୋଇଛି ।  
ଶିମିଳିପାଳ ଜୈବ ମଣ୍ଡଳର ଆୟତନ ୫୫୬୯ ବର୍ଗ କି.ମି ହୋଇଥିବାବେଳେ ଶିମିଳିପାଳ ସଂରକ୍ଷିତ ଅଭୟାରଣ୍ୟର କ୍ଷେତ୍ରଫଳ ୨୨୭୧.୭୮ବର୍ଗ କି.ମି ଅଟେ । ଏହାକୁ ଭାରତ ସରକାର ଗତ ୨୨.୬.୧୯୯୪ ମସିହାରୁ ଜୈବ ମଣ୍ଡଳର ମାନ୍ୟତା ପ୍ରଦାନ କରିଥିବାବେଳେ ବିଗତ ୩୦ ବର୍ଷର ଅବଧି ମଧ୍ୟରେ ଅବକ୍ଷୟ ଯେତିକି ଘଟିଛି, ସେହି ପରିମାଣ ଏହାର ସୁରକ୍ଷା ପାଇଁ ଅଧିକ ବନକର୍ମଚାରୀ ନିଯୁକ୍ତି ପାଇଥିଲେ ବି ଏହି ଜୈବମଣ୍ଡଳ ସ୍ଥିତି ସମ୍ପୂର୍ଣ୍ଣ ଭାବେ ବିପନ୍ନ ଅବସ୍ଥାରେ ପହଞ୍ଚିଛି । ଏହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ନିଜ ବ୍ୟକ୍ତିଗତ ସ୍ଥିତି ଓ ସମ୍ପତ୍ତି ବଢ଼ାଇବା ପାଇଁ ଯେତିକି ତତ୍ପରତା ସହିତ ନିଜ କାର୍ଯ୍ୟକାଳ ଅବଧି ମଧ୍ୟରେ ସମୟ ଉପଯୋଗ କରିଥାନ୍ତି, ସେତିକି ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ନିରାପତ୍ତା ପାଇଁ କେବେ ଦୃଷ୍ଟି ଦେଇନଥିବା ଯୋଗୁଁ ଅସାଧୁ ବନ କର୍ମଚାରୀ ଏହାକୁ ଲୁଟ କରିବା ପାଇଁ ମାଫିଆମାନଙ୍କ ସହିତ ହାତ ମିଳାଇ ଚାଲିବା ଯୋଗୁଁ ଏହାର ପ୍ରଭାବ ଏବେ ଜଳବାୟୁ ଉପରେ ପଡିଛି । ଏହି ଶିମିଳିପାଳ ଜୈବ ମଣ୍ଡଳର ପ୍ରଭାବରେ ଝାଡ଼ଖଣ୍ଡ ରାଜ୍ୟ ସମେତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲ୍ଲା ଗୁଡିକରେ ସ୍ୱାଭାବିକ ଦୃଷ୍ଟିପାତ ସହିତ ଉତ୍ତାପ ନିୟନ୍ତ୍ରିତ ହୋଇ ରହି ଆସିଥିଲା ଏବଂ ଛଅଟି ଯାକ ଋତୁର ବ୍ୟତିକ୍ରମ ଘଟିନଥିଲା । ଶିମିଳିପାଳ ଜୈବମଣ୍ଡଳ ସାଙ୍ଗକୁ ବାଲେଶ୍ୱର ଜିଲ୍ଲାର ବଙ୍ଗୋପସାଗର ଯୋଗୁଁ ଜଳବାୟୁର ଭାରସାମ୍ୟ ରକ୍ଷା କରି ଆସିବା ଯୋଗୁଁ ପ୍ରାକୃତିକ ପରିବେଶ ବଜାୟ ରହିବାରେ ସହାୟକ ହୋଇ ଆସିଥିଲା । ମାତ୍ର ବିଗତ ପଚିଶରୁ ତିରିଶ ବର୍ଷ ମଧ୍ୟରେ ଅବାଧ ଗଛକଟା ହୋଇ ପଡ଼ୋଶୀ ରାଜ୍ୟମାନଙ୍କୁ ଚାଲାଣ କରାଯିବା ଜିଲ୍ଲାରେ ସୌଖୀନ ଗୃହ ନିର୍ମାଣରେ ଆସବାବପତ୍ର ବ୍ୟବହାର ହେବା ଏବଂ କଟକରୁ ଭୁବନେଶ୍ୱରରେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟର ଶାଳ, ଶାଗୁଆନ, ପିଆଶାଳ କାଠ ପହଞ୍ଚôବା ପାଇଁ ବନ ବିଭାଗର କର୍ମଚାରୀମାନଙ୍କ ସଂପୃକ୍ତି ଯୋଗୁଁ ମୟୂରଭଞ୍ଜବାସୀ ଆଜି କାନ୍ଦୁଥିଲେ ବି କାନ୍ଦ ଶୁଣିବା ପାଇଁ କେହି ନାହାନ୍ତି । ଶିମିଳିପାଳରେ ଦିନରାତି ଯାନବାହାନର ଚଳପ୍ରଚଳ ଓ ପଥର ବ୍ଲାଷ୍ଟିଂ ଓ ଗଛକଟା ଯୋଗୁଁ ଶହଶହ ହାତୀ ଖାଦ୍ୟାଭାବ ପାଇଁ ଗାଁ ଗଣ୍ଡାରେ ଆସି ଦିନରାତି ଆତଙ୍କ ସୃଷ୍ଟି କରୁଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ବନ ବିଭାଗ ଓ ଜିଲ୍ଲାର ମନ୍ତ୍ରୀ ଠାରୁ ପ୍ରଶାସନ ପର୍ଯ୍ୟନ୍ତ କାହାରି କିଛି ଦାୟିତ୍ୱ ଥିବା ମନେ ହୁଏନାହିଁ । ଶିମିଳିପାଳରୁ ଶିକାରୀମାନେ ବାଘ ଓ ହରିଣମାନଙ୍କୁ ହତ୍ୟା କରି ଛାଲ କୋଲକତା, ଟାଟା, ଦିଲ୍ଲୀ, ମୁମ୍ବାଇକୁ ବିକ୍ରି ହେବା ପାଇଁ ଚାଲାଣ ହେବା ଏବଂ ହାତୀମାନଙ୍କୁ ମାରି ଦାନ୍ତ କାଟି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଆସୁଥିବା ଯୋଗୁଁ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଆଦିବାସୀ ନେତାମାନେ ଯେଉଁମାନେ ଜଙ୍ଗଲରୁ ପ୍ରଚୁର ଫାଇଦା ଉଠାଇଥାନ୍ତି, ସେମାନେ ସୁରକ୍ଷା ପାଇଁ ମୁକାବିଲା କରିବାକୁ ଅନୁସମର୍ଥ ହେବା ସହିତ ଜିଲ୍ଲାର ସଂରକ୍ଷଣ ବ୍ୟବସ୍ଥା ନିର୍ବାଚନ କମିଶନର ଧାର୍ଯ୍ୟ କରିଥିବାରୁ ସାଧାରଣ ବର୍ଗର  ସଚେତନ  ନାଗରିକମାନେ ନିରବ ରହିବାକୁ ବାଧ୍ୟ ହୋଇଛନ୍ତି । ରାଜ୍ୟ ସରକାର ବାହାର ରାଜ୍ୟରୁ ବାଘ ଆଣି ବାଘ ବଂଶ ବିସ୍ତାର କରିବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ବସିଥିବାବେଳେ ଶିମିଳିପାଳରେ ବାଘ ଶିକାର କରାଯାଇ ଛାଲ ଖୋଲା ବଜାରରେ ବିକ୍ରି ହେଉଥିବାବେଳେ ରାଜ୍ୟ ସରକାରଙ୍କ ଜଙ୍ଗଲ ମନ୍ତ୍ରୀଙ୍କ ଠାରୁ ଏ ଜିଲ୍ଲାରୁ ମନ୍ତ୍ରୀମଣ୍ଡଳରେ ପୂର୍ବରୁ ପ୍ରତିନିଧିତ୍ୱ କରି ଆସିଥିବା ମନ୍ତ୍ରୀମାନଙ୍କର କିଛି ଦାୟିତ୍ୱ ନ ଥିବା ଯୋଗୁଁ ବେସରକାରୀ ଭାବେ ଏହାକୁ ଲୁଣ୍ଠନ କରିବା ପାଇଁ ଛାଡି ଦେଇଥିବା କୁହାଯାଇଛି । ଏ ନେଇ ଜିଲ୍ଲାର ପରିବେଶବିତ୍, ଦାୟିତ୍ୱ ସମ୍ପନ୍ନ ସଚେତନ ନାଗରିକ ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯାଇଛି ।