କିବା ଅସାଧ୍ୟ ମହୀ ତଳେ
ଆମେ ପ୍ରତ୍ୟେକେ ହେଉଛୁ ଜଣେ ତୀର୍ଥଯାତ୍ରୀ । ଆମେ ଚାଲିଯିବା ପାଇଁ ଆସିଥାଉଁ । ଈଶ୍ୱର ହିଁ ଆମର ଲକ୍ଷ୍ୟସ୍ଥଳ । ଆମେ ଯେଉଁ ଉତ୍ତରାଧିକାର ହରାଇବସିଛୁ, ଯେଉଁ ଉତ୍ତରାଧିକାର ସୂତ୍ରରେ ପାଇଥିବା ସମ୍ପତ୍ତି ବିଷୟ ଆମେ ପାଶୋରି ଯାଇଛୁ, ସେହି ଅଧିକାର, ସେହି ସମ୍ପତ୍ତି ଅନ୍ୱେଷଣ କରିବା ହିଁ ଆମର କାର୍ଯ୍ୟ । ଈଶ୍ୱରଙ୍କ ସହିତ ଆମର ଅଭିନ୍ନତ୍ୱ ରହିଛି - ଏ ବିଷୟରେ ଏକ ସଚେତନ ଉପଲବ୍ଧି ଜାଗ୍ରତ କରାଇବା ହିଁ ଜୀବନର ପ୍ରଧାନ ମୌଳିକ ଲକ୍ଷ୍ୟ । ଏଥିରୁ ପୃଥକ ହୋଇଗଲେ ଜୀବନର କୌଣସି ଅର୍ଥ ରହେନାହଁ । ଜୀବନ ଯେତେବେଳେ ପୂର୍ଣ୍ଣ ବା ସାମୂହିକ ହୋଇଯାଏ, ଯେତେବେଳେ ଜୀବାତ୍ମା ପରମାତ୍ମାରେ ମିଳିତ ହୋଇଯାଏ, ସେତେବେଳେ ଜୀବନ ସାର୍ଥକ ଓ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଯାଏ ।
ଏହି କଳିଯୁଗରେ ମଣିଷର ଆବଶ୍ୟକତା ବହୁ ପରିମାଣରେ ବୃଦ୍ଧି ପାଇଛି । ଆମ ଭିତରେ ଥିବା ଉପଭୋଗ, କାମନା ଏବଂ ଲୋଭକୁ ସନ୍ତୋଷ କରିବା ନିମନ୍ତେ ଅସୀମ ପରିମାଣରେ ଦ୍ରବ୍ୟ ଆମେ ଚାହୁଁ । ଏପରିକି ଦ୍ରବ୍ୟର ଆବଶ୍ୟକତା ଥାଉ କି ନଥାଉ ସେଥିରେ କିଛି ଯାଏ ଆସେନାହିଁ । ଆମେ ନିଜ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଦ୍ରବ୍ୟ ରଖିବାକୁ ଚାହୁଁ । ନେତ୍ର ଦେଖଇ ଯାହା ଚର୍ତୁଦିଗର ମନ ଚାହେଁ ହେବାକୁ ତାହାର ଅଧିଶ୍ୱର । ଏସବୁକୁ ଉପଭୋଗ କଲେ ମଧ୍ୟ ମାୟାର ଜାଲ ଯୋଗୁଁ ପ୍ରକୃତ ଶାନ୍ତି ଏବଂ ସନ୍ତୋଷ ଦୂରକୁ ଚାଲିଯାଏ । ମନ ମାନେ ନାହିଁ । ଆମର ବୈଜ୍ଞାନିକମାନେ ନିଜର ମସ୍ତିଷ୍କକୁ ଲଗାଇ ପର୍ଯ୍ୟାପ୍ତ ପରିଶ୍ରମ କରି ଦ୍ରବ୍ୟମାନ ଉଦଭାବନା ବା ଆବିଷ୍କାର କରନ୍ତି । ଗଣମାଧ୍ୟମରେ ତାହାର ପ୍ରଚାର ହୁଏ । ସେ ଏହାକୁ ହାସଲ କରିବା ନିମନ୍ତେ ସବୁ ପ୍ରକାରର ଉଦ୍ୟମ କରିଥାଏ । ଏହାକୁ ହାସଲ କରିବା ନିମନ୍ତେ ଉଦ୍ୟମ କଲାବେଳେ ଏହାର ଉପଯୋଗିତା ତାହା ନିମନ୍ତେ ଅଛି କି ନାହିଁ ତାହାର ବିଚାର ମଧ୍ୟ ସେ କରେନାହିଁ । ଗବେଷଣା ଏବଂ ବିଭିନ୍ନ ଉଦ୍ୟମ ଫଳରେ ବହୁ ଦ୍ରବ୍ୟ ଆମେ ଦେଖିବାକୁ ପାଇଥାଉ । ଏତେସବୁ ଦ୍ରବ୍ୟ ଦେଖି ଜୀବ ମଧ୍ୟରେ ଲୋଭ ସୃଷ୍ଟି ହୁଏ । ଏହି ଲୋଭ ଏତେ ପ୍ରବଳ ହୁଏ ଯେ ଦ୍ରବ୍ୟକୁ ହାସଲ ନକରିବା ପର୍ଯ୍ୟନ୍ତ ମନରେ ଶାନ୍ତି ମିଳେନାହିଁ । ଏଥିନିମନ୍ତେ ସେ ଯାହା କିଛି କରିଦେବାକୁ ପଛାଏ ନାହିଁ । ହୁଏତ ଉଦ୍ୟମ ଫଳରେ ଆମକୁ ସଂପୂର୍ଣ୍ଣ ଭାବେ କିମ୍ବା କିଛି ପରିମାଣରେ ଦ୍ରବ୍ୟ ମିଳେ; କିନ୍ତୁ ଏହି ମିଳିବାରେ ଶାନ୍ତି ଆସେ ନାହିଁ । ଦ୍ରବ୍ୟକୁ ଉପଭୋଗ କରୁଥିବା ସମୟରେ ହିଁ ପ୍ରକୃତ ଶାନ୍ତି ଠକି ଦେଇ ଚାଲିଯାଏ ଏବଂ ମନ ଭିତରକୁ ଏହି ଅସନ୍ତୋଷ ପଶିଆସେ । ଜୀବନ ହେଉଛି ଏକ ଚେତନାର ସ୍ରୋତ । ଜୀବନର ପ୍ରତିଟି ଅଣୁ ସ୍ପନ୍ଦନଶୀଳ । ସକଳ ବସ୍ତୁରେ ଜୀବନ ବିଦ୍ୟମାନ । ନିର୍ଜୀବ ବୋଲି କୌଣସି ବସ୍ତୁ ହିଁ ନାହିଁ । ଖଣ୍ଡିଏ ପଥରର ବି ଜୀବନ ରହିଛି । ବସ୍ତୁମାତ୍ରେ ଯେ ଜୀବନର ସ୍ପନ୍ଦନରେ ପୂର୍ଣ୍ଣ, ତାହା ଅତ୍ୟାଧୁନିକ ବୈଜ୍ଞାନିକମାନେ ସଂପୂର୍ଣ୍ଣରୂପେ ପ୍ରମାଣ କରିସାରିଛନ୍ତି ।
ଆମ ଭିତରୁ ଅନେକ ଜାଣନ୍ତି ଯେ ସନ୍ତୋଷ ହେଉଛି ମାନସିକ ସ୍ଥିତିରେ ପରିବର୍ତ୍ତନ ବା ଏକ ଅନୁଭୂତି । ଯଦି ଜଣେ ବ୍ୟକ୍ତିଙ୍କର ଅନ୍ୟ ମାନଙ୍କ ପାଖରେ ଥିବା ଦ୍ରବ୍ୟଟି ନଥାଏ ଏବଂ ତାହାକୁ ଲାଭ କରିବା ପାଇଁ ସେ ବହୁତ ଚିନ୍ତା କରନ୍ତି ତେବେ ସେ କ୍ଷେତ୍ରରେ ତାଙ୍କ ମନରେ କିପରି ସନ୍ତୋଷ ପ୍ରବେଶ କରିବ? ମୋର ନାହିଁ ମୋର ନାହିଁ ବୋଲି ଯଦି ସବୁବେଳେ ସେ କହେ ତେବେ ତାଙ୍କୁ ଶାନ୍ତି ମିଳିବ କି? ତେଣୁ ଈଶ୍ୱରଙ୍କ ଆଶୀର୍ବାଦରୁ ଆମକୁ ଯାହା ମିଳିଛି ସେଥିରେ ଆମେ ତୁଷ୍ଟ ହୋଇ ତାହାକୁ ଉପଭୋଗ କଲେ ଶାନ୍ତି ମିଳିବ । ସନ୍ତୋଷ ହେଉଛି ଏକ ସହଜାତ ପ୍ରବୃତ୍ତି । ଏହା ଆକାଶରୁ ଖସି ପଡ଼େ ନାହିଁ । ଏହି କଳିଯୁଗରେ ଆମେ ଅନ୍ୟକୁ ଅନୁକରଣ କରି ଆମୋଦ ପ୍ରମୋଦ ମଧ୍ୟରେ ଜୀବନ ବିତାଇବା ମଧ୍ୟରେ ମଜ୍ଜି ରହୁଛେ । ଈଶ୍ୱର ଯେଉଁ କାର୍ଯ୍ୟ ନିମନ୍ତେ ଆମକୁ ଏହି ଭବ ସାଗରକୁ ପଠାଇଛନ୍ତି ତାହା ସଂପାଦନ କରିବା ପରେ ଆମକୁ ସନ୍ତୋଷ ପ୍ରାପ୍ତି ନିମନ୍ତେ ଈଶ୍ୱରଙ୍କ ଶରଣାପନ୍ନ ହେବାକୁ ପଡ଼ିବ । ଯେତେ ଶୀଘ୍ର ହେବ ସେତେ ଭଲ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ କାଳଜୟୀ ସ୍ମରଣୀୟ ଧାଡ଼ିଟି ମନେପଡ଼ୁଛି - "ଧନଜନ ଦୁହେଁ ଚିରଶତ୍ରୁ ଭବେ, କିଏ କି ନ ଜାଣେ କାହିଁ? ଧନ ରହିଥାଏ ପୁରି ଯେ ଠାବେ ଲୋ, ଜନ ତ ଆସଇ ନାହିଁ । ଧନ ଯାଏ ମର୍ତ୍ତେ୍ୟ ବୋଲନ୍ତି ସତେ ସେ, ଦିନ ଦୁଇକଥା ସିନା, ଲକ୍ଷ୍ମୀଙ୍କ ନିଗ୍ରହେ କୁବେର କେତେଲୋ, ପିନ୍ଧୁଛନ୍ତି ଚିରା କନା । ଦୁଃଖୀ ପାଇଁ ଦିନେ, କାହାରି ଜଗତେ, ନକାନେ୍ଦ ଅନ୍ତର ତିଳେ, ଯାହାର ଯେତିକ ଧନମାନ ଶିରୀ, ପୂଜା ତାର ମହୀତଳେ ।' ଭାଗବତ ମଧ୍ୟ ଯଥାର୍ଥରେ ଉଲ୍ଲେଖ ହୋଇଛି - "ଧନ, କାର୍ପଣ୍ୟ ସେବା ତଳେ, କିବା ଅସାଧ୍ୟ ମହୀ ତଳେ ।'
କିଶୋର କୁମାର ଜେନା
ମୋ : ୭୩୨୫୯୦୪୯୨୭