ସତ ଆଉ ମିଛ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ କ୍ଷ' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ସତ ଆଉ ମିଛକୁ ନେଇ କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ଜୀବନରେ ସତ ଓ ମିଛ, ଉଭୟର ଆବଶ୍ୟକତା ରହିଛି  । ଭିନ୍ନ ଭିନ୍ନ ପରିସ୍ଥିତିର ପରିସର ମଧ୍ୟରେ ଉଭୟର ମର୍ଯ୍ୟାଦା ଅଛି  । ବୋଇଲେ ଯିଏ ଯାହା ଜାଗାରେ ସୁନ୍ଦର  । 
ଜଣେ ଲୋକ କେବଳ ଯେ ସତ କହୁଛି ଏବଂ ଜଣେ ଲୋକ କେବଳ ଯେ ମିଛ କହୁଛି, ସେମିତି କଦାପି ହେଇପାରେନା  । ସତ ସବୁବେଳେ ଅପ୍ରିୟ, ମିଛ ତ ଅନେକ ସମୟରେ ମିଠା  । ସବୁବେଳେ ଅପ୍ରିୟ ସତ୍ୟ କହୁଥିବା ଲୋକକୁ କେହି ଭଲପାଆନ୍ତି ନାହିଁ  । ସବୁବେଳେ ସତ କହିଲେ ସଂସାରରେ ଜଣେ ଏକଘରକିଆ ହେଇଯିବାଟା ସୁନିିଶ୍ଚିତ  । ସବୁତକ ସତକୁ ପ୍ରକାଶ କରିବା ପାଇଁ ଯଦି ଜଣେ ଚାହିଁବ, ହୁଏତ ଜୀବନରେ ଏମିତି ଏକ ମୁହୂର୍ତ୍ତ ଆସିବ ଯେତେବେଳେ କି ସତ ଉପରେ ମିଛ ଭାରି ପଡିଯିବ  । ତେବେ କିଛିଲୋକ ଅଭ୍ୟାସଗତ ଭାବେ ମିଛ କହନ୍ତି  । ଅଭ୍ୟାସଗତ ଭାବରେ ମିଛ କହୁଥିବା ଲୋକଟି କୋଉଠିି ନା କୋଉଠି ଧରା ପଡିଯାଏ  । ମିଛ ତ ସେ ଯାଏଁ ସୁନ୍ଦର, ଯୋଉ ପର୍ଯ୍ୟନ୍ତ ଧରା ପଡିନାହିଁ  । ମିଛକୁ ମାୟାର ରୂପ ଦେଇ ତିଆରି କରାଯାଇଥିବା ରଙ୍ଗୀନ୍ କାଚଘରଟି ମିଛ ଧରା ନ ପଡିବା ଯାଏଁ ସୁନ୍ଦର ଓ ଚକ୍?ଚକ୍ ଦିଶେ  । ଯେତେବେଳେ ମିଛ ଧରା ପଡିଯାଏ, ସେଇ ମୁହୂର୍ତ୍ତରେ ସେ ରଙ୍ଗୀନ କାଚଘର ଚଡଚାଡ୍ ହେଇ ଭାଙ୍ଗିଯାଏ  ।  ମହାଭାରତ ଯୁଦ୍ଧରେ ସତ କହି ପାଣ୍ଡବ ପକ୍ଷ ଯଦି ହାରି ଯାଇଥାନ୍ତେ ତାହା ହେଲେ ହୁଏତ ଶ୍ରୀକୃଷ୍ଣଙ୍କର ଅବତାର ଗ୍ରହଣର ଉଦେ୍ଦଶ୍ୟ ବିଫଳ ହେଇଯାଇଥାନ୍ତା  । ସେଥିପାଇଁ ଯୁଧିଷ୍ଠିରଙ୍କ ମୁହଁରେ "ନରେ ବା ଗୁଞ୍ଜରେ ଅଶ୍ୱସ୍ତମାହତଃ'' କୁହାଇବାକୁ ପଡିଲା  । ତେଣୁ ଭଗବାନଙ୍କର ବି ଧରାପୃଷ୍ଠକୁ ଅବତରଣ କରିବା କ୍ଷେତ୍ରରେ ମିଛର ସକାରାତ୍ମକ ଭୂମିକା ରହିଛି  । 
ଆଜ୍ଞା, ସତ ଭଳି ମିଛ ମଧ୍ୟ ଜୀବନର ଏକ ଅଙ୍ଗ  । କିନ୍ତୁ ଗୋଟିଏ ସୀମା ଭିତରେ ତାହା ସୁନ୍ଦର  । ସବୁ ସତ ଭଲ ନୁହେଁ, ସବୁ ମିଛ ଖରାପ ନୁହେଁ  । ତଥାପି ସମସ୍ତେ କହନ୍ତି "ମୁଁ କେବେ ମିଛ କହେନି!'' ୟା'ଠୁ ବଳି ମିଛ ସଂସାରରେ ବୋଧ ହୁଏ ଆଉ କିଛି ନାଇଁ ! ସମସ୍ତେ କହନ୍ତି ମୁଁ ମିଛ କହିବାକୁ ଭଲପାଏନି  । ହେଲେ ନିରାଟ ସତଟି ହେଲା, ଏ କ୍ଷେତ୍ରରେ କେହି ସତ କହନ୍ତିନି  ।  ପ୍ରତି କଥାରେ ମିଛ କହିବା କିମ୍ବା ଅଭ୍ୟାସଗତ ଭାବେ ମିଛ କହିିବା ସବୁ ସମୟରେ ଗ୍ରହଣୀୟ ନୁହେଁ  । 
ପଢିଥିବା ହେତୁ ଆପଣଙ୍କ ନିକଟରେ  । ନମସ୍କାର  ।