ଇସ୍କନର ରଥଯାତ୍ରା


ବର୍ତ୍ତମାନ କିଛିଦିନ ହେଲାଣି ଦେଶର ଭକ୍ତି ଆନେ୍ଦାଳନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ସଙ୍ଗଠନ ଇସ୍କନ୍ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ବିବାଦରେ ଛନ୍ଦି ହୋଇପଡ଼ିଛି । ୧୯୬୬ ମସିହାରେ ନୁ୍ୟୟର୍କ ସହରରେ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ନାମରେ ଜଣେ ବ୍ୟକ୍ତି ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କ୍ରିଷ୍ଣା କନ୍ସିୟସ୍ନେସ୍ ନାମକ ଆର୍ନ୍ତଜାତିକ ସଙ୍ଗଠନ ତିଆରି କରିଲେ । ଏହି ସଂସ୍ଥା ଶ୍ରୀକୃଷ୍ଣ ଆଉ ବଡ଼ଭାଇ ବଳରାମଙ୍କୁ ନେଇ ଏକ ଭକ୍ତି ଆନେ୍ଦାଳନର ରୂପ ନେଇଥିଲା ।
 ପରବର୍ତ୍ତୀ ସମୟରେ ବିଶ୍ୱର ବଡ଼ ବଡ଼ ସହରରେ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ମାଆ ସୁଭଦ୍ରାଙ୍କୁ ନେଇ ମନ୍ଦିର ନିର୍ମାଣରେ ସଂପୃକ୍ତ ହୋଇଗଲା । ଶ୍ରୀଜଗନ୍ନାଥଙ୍କ ବର୍ଷ ପଞ୍ଜିକା ଅନୁସାରେ ଅନୁଷ୍ଠିତ ହେଉଥିବା ସମସ୍ତ ପର୍ବପର୍ବାଣୀ, ରଥଯାତ୍ରା ଆଦିର ଆୟୋଜନ କରିଲା । ଇସ୍କନ୍ର ଅନୁଗାମୀମାନେ ମୁଖ୍ୟତଃ ଅଣଭାରତୀୟମାନଙ୍କର ପରିଚାଳନା ମଣ୍ଡଳୀରେ ଗୁରୁତ୍ୱ ଏବେ ମଧ୍ୟ ରହିଛି । ତେଣୁ ଭାରତୀୟ ସଂସ୍କୃତି ଭାବରେ ଶ୍ରୀଜଗନ୍ନାଥଙ୍କର ବର୍ଷ ପଞ୍ଜିକାକୁ ନେଇ ଅନୁଷ୍ଠିତ ହେଉଥିବା ଯାନିଯାତ୍ରାଗୁଡ଼ିକୁ ପାଳନ କରିବାରେ ଆନ୍ତରିକତା ଥିବା ଭଳି ମନେ ହୁଏ ନାହିଁ । ଇସ୍କନ୍ ମନ୍ଦିରର ପ୍ରସାଦରେ କେକ୍, ବରା, ସିଙ୍ଗଡ଼ା, ଦୋସା, ବାରମଜା ଭଳି ପଦାର୍ଥକୁ ବ୍ୟବହାର କରାଗଲା । ସଙ୍ଖୁଡ଼ି ଭୋଗ ଭାବରେ ଅନ୍ନ ସହିତ ଆଳୁ, ବନ୍ଧାକୋବି, ବିଲାତି ବାଈଗଣ ଭଳି ପରିବା ବ୍ୟବହାର କରାଗଲା । ଏସବୁକୁ ଓଡ଼ିଶାର ଜଗନ୍ନାଥ ସଂସ୍କୃତି ସହଜରେ ଗ୍ରହଣ କରିଲା ନାହିଁ । ତେଣୁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ଇସ୍କନ୍ର ବିଦେଶୀ ଭକ୍ତମାନଙ୍କୁ ପ୍ରବେଶ କରିବା କ୍ଷେତ୍ରରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଲା । ଅଣହିନ୍ଦୁ ଭକ୍ତମାନଙ୍କ ପାଇଁ ଏମିତି ବି ଶ୍ରୀମନ୍ଦିରର ଦ୍ୱାର ବନ୍ଦ । ତେବେ ଘଟଣା ଯାହାବି ହେଉନା କାହିଁକି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ପରିବର୍ତ୍ତୀ ଅନ୍ୟ ସମୟରେ ଇସ୍କନ୍ ସଙ୍ଗଠନ ପକ୍ଷରୁ ଦେଶର ତଥା ଦେଶ ବାହାରର ବିଭିନ୍ନ ସ୍ଥାନରେ ରଥଯାତ୍ରାମାନ ଆୟୋଜନ କରାଗଲା । 
ଏହାର ପ୍ରବଳ ପ୍ରତିରୋଧ କରାଯାଇଥିଲେ ମଧ୍ୟ ଇସ୍କନ୍ ଜଗନ୍ନାଥ ସଂସ୍କୃତି ଏବଂ ନୀତିକାନ୍ତିର ମୌଳିକତାକୁ ଗୁରୁତ୍ୱ ଦେଲା ନାହିଁ । ଏବେ ଏଇ ନିକଟରେ ଇସ୍କନ୍ ପକ୍ଷରୁ ଦିଲ୍ଲୀ ଠାରେ ରଥଯାତ୍ରାର ଆୟୋଜନ କରାଯାଇଛି ଏବଂ ସେଥିରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି । ପୂର୍ବରୁ ଅନେକ ଥର ଇସ୍କନ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ରଥଯାତ୍ରାର ଆୟୋଜନ କରାଯାଉଥିବା ବେଳେ ଶ୍ରୀମନ୍ଦିରର ମୁକ୍ତିମଣ୍ଡପ, ପଣ୍ଡିତ ସଭା, ଗଜପତି ମହାରାଜ, ଏପରିକି ଶଙ୍କରାଚାର୍ଯ୍ୟ ମଧ୍ୟ ଇସ୍କନ୍ର ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ କରି ଆସିଛନ୍ତି ଏବଂ ଅଦିନିଆ ରଥଯାତ୍ରା ଜଗନ୍ନାଥ ସଂସ୍କୃତିର ପରିପନ୍ଥୀ ବୋଲି ମତ ଦେଇ ଏଥିରୁ କ୍ଷାନ୍ତ ହେବା ପାଇଁ ଇସ୍କନ୍କୁ ସତର୍କ କରାଇ ଦେଇଛନ୍ତି । ଅନ୍ୟପକ୍ଷରେ ଇସ୍କନ୍ ଅଦିନିଆ ରଥଯାତ୍ରା ଆୟୋଜନ କରିବାର ଜିଦ୍ରେ ଅଟଳ । ସବୁଠାରୁ ବଡ଼ କଥା ହେଲା ହିନ୍ଦୁତ୍ୱ ଏଜେଣ୍ଡାକୁ ନେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଦିଲ୍ଲୀରେ କ୍ଷମତାରେ ଥିବା ବେଳେ କୋଟି କୋଟି ହିନ୍ଦୁଙ୍କର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କର ଅଦିନିଆ ରଥଯାତ୍ରାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ଏଣେ ଓଡ଼ିଶାରେ ବିଜେପି ଦଳର ବରିଷ୍ଠ ସଦସ୍ୟମାନେ ଇସ୍କନ୍କୁ ସମାଲୋଚନା କରିବା ସହିତ ଅଦିନିଆ ରଥଯାତ୍ରାକୁ ବିଧିସମ୍ମତ ନୁହେଁ ବୋଲି କହିଛନ୍ତି । ଏଭଳି ଏକ ବିବାଦୀୟ ରଥଯାତ୍ରାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସଂଶ୍ଳିଷ୍ଟ ହୋଇଯିବାରୁ ଧର୍ମୀୟ ବାତାବରଣ ଜଟିଳ ହୋଇଯାଉଛି । ଏସବୁ ଦୃଷ୍ଟିରୁ ଏକ ଧର୍ମୀୟ ବାପାରରେ ରାଜନୀତିକ କାର୍ଯ୍ୟକଳାପକୁ ଯେତେଦୂର ସମ୍ଭବ ଦୂରେଇ ରଖାଗଲେ ଭଲ ହେବ । ଆଜି ନବଯୌବନ ଦର୍ଶନ । ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୯ ଦିନ ବ୍ୟାପୀ ଗୁଣ୍ଡିଚା ଯାତ୍ରା ଆୟୋଜନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ରଥଯାତ୍ରା ପୁରୀ ଠାରେ ଆୟୋଜିତ ହେବା ସହିତ ରାଜ୍ୟ ଭିତରେ ଏବଂ ବାହାରେ ହଜାର ହଜାର ସ୍ଥାନରେ ଆୟୋଜିତ ହେଉଛି । ତେଣୁ ଏକଥା କହିବାରେ ତିଳେ ମାତ୍ର ଦ୍ୱିଧା ନାହିଁ ଯେ ଓଡ଼ିଶାର ଜଗନ୍ନାଥ ଭକ୍ତମାନଙ୍କ ଭାବାବେଗକୁ ଆଘାତ କରିବା ଭଳି କାର୍ଯ୍ୟ କରାଯିବା ଦ୍ୱାରା ଜାତୀୟ ସଂହତି ତଥା ସାମାଜିକ ସଂହତି ନଷ୍ଟ ହେବ  ।