ଆମ ଗାଁ ଜନ୍ତାଳ

ବ୍ରାହ୍ମଣୀ ଦେବୀ ଆମ ଗାଁ ମାର୍ଥାପୁର ଶାସନର ଈଷ୍ଟଦେବୀ  । ଶାସନ ପ୍ରତିଷ୍ଠିତ ହେବା ଦିନରୁ ସେ ଯେଉଁ ଗଛମୂଳେ ପୂଜା ପାଉଥିଲେ, ବର୍ତ୍ତମାନ  ମଧ୍ୟ ସେହିଠାରେ ପୂଜା ପାଉଛନ୍ତି  । ଅବଶ୍ୟ କିଛି ବର୍ଷ ତଳେ ତାଙ୍କର ମନ୍ଦିର ନିର୍ମିତ ହୋଇଛି  । ପ୍ରଥମେ ସେ ଗାଁର ଉତ୍ତର ପଶ୍ଚିମକୋଣରେ ଥିଲେ  । ଗାଁ ୧୮୬୮ରେ ରଗଡ଼ାକୁ ଉଠି ଆସିବା ପରେ ଦେବୀ ବର୍ତ୍ତମାନ ଗାଁର ଐଶାନ୍ୟ କୋଣରେ ବିରାଜିତା  । ଶତାବ୍ଦୀ ଶତାବ୍ଦୀ ଧରି ଦେବୀ ବୃକ୍ଷ ମୂଳରେ ପୂଜା ପାଉଥିଲେ  । କେବେ ଗ୍ରାମବାସୀ ତାଙ୍କର ମନ୍ଦିର କଥା ଚିନ୍ତା କରିନାହାନ୍ତି, ଯଦିଓ ଆମ ଗାଁରେ ବହୁଜ୍ଞାନୀ, ଗୁଣୀ ଓ ପଣ୍ଡିତ ଜନ୍ମ ନେଇଥିଲେ  । ଏବେ କିଛି ନବ୍ୟସଭ୍ୟ ଯୁବକ ଗ୍ରାମ ଦାୟିତ୍ୱରେ ରହିବା ପରେ ତାଙ୍କ ମନ୍ଦିର ନିର୍ମାଣ କରାଇଛନ୍ତି  । ମନ୍ଦିର ଥାଉ ଅବା ନଥାଉ ସେ ଦୀର୍ଘକାଳ ଧରି ଗ୍ରାମକୁ ଅନେକ ବିପଦ ଆପଦରୁ  ରକ୍ଷା କରି ଆସିଛନ୍ତି  । ତାଙ୍କ ନିତ୍ୟ ପୂଜା ଦେହୁରୀ କରୁଥିଲେ । ପ୍ରତିବର୍ଷ ମାଘ ସପ୍ତମୀରେ ଦେବୀଙ୍କର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୁଏ  । ବାର୍ଷିକ ଉତ୍ସବରେ ବ୍ରାହ୍ମଣୀ ଦେବୀଙ୍କର ସ୍ୱତନ୍ତ୍ର ମାଜଣା ହୋଇ ଷୋଡ଼ଶୋପଚାର ପୂଜା ହୁଏ ଓ ଗ୍ରାମର ମଙ୍ଗଳ ନିମିତ୍ତ ତାଙ୍କ ପୀଠରେ ହୋମ କରାଯାଏ  । ପୂଜା ଓ ହୋମ ସହିତ ଗ୍ରାମର ସକଳ ଆବାଳ ବୃଦ୍ଧ ବନିତାଙ୍କ ନିମିତ୍ତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଏ  । ଏହାହିଁ ଦେବୀଙ୍କର ଜନ୍ତାଳ ପର୍ବ  । ଜନ୍ତାଳର ଆଭିଧାନିକ ଅର୍ଥ ହେଉଛି ଗ୍ରାମ ଲୋକଙ୍କ ମିଳିତ ଚାନ୍ଦା ଓ ଭେଦାରେ ଦେଉଳରେ ହେବା ଭୋଜି  ।
 ଆମ ଗାଁ ଏକ କୃଷିଭିତ୍ତିକ ଗ୍ରାମ  । ପ୍ରାୟ ସମସ୍ତେ ଚାଷ ଉପରେ ନିର୍ଭରଶୀଳ  । ପୋ÷ଷମାସ ଶେଷ ବେଳକୁ ଧାନ ଆମଦାନି ସରିଯାଇଥାଏ  । ତାପରେ ଜନ୍ତାଳ ନିିମିତ୍ତ ପ୍ରସ୍ତୁତ ଆରମ୍ଭ ହୁଏ  । ଗ୍ରାମସଭା ବସି ସମସ୍ତଙ୍କୁ ଚାନ୍ଦାଭେଦା ଦେବାକୁ କୁହାଯାଏ  । କାହା ଉପରେ ଜୋର ଜବରଦସ୍ତି କରାଯାଏ ନାହିଁ  । ଗାଁର ସମସ୍ତ ଲୋକତ ସମାନ ନୁହଁନ୍ତି  । କିଏ ବଡଚାଷୀ, କିଏ ସାନଚାଷୀ, କିଏ ଚାକିରିଆ, କିଏ ବ୍ୟବସାୟୀ, କିଏ ମୂଲିଆ  । ପ୍ରତ୍ୟେକ ନିଜ ନିଜର ସକ୍ଷ ମୁତାବକ ଚାନ୍ଦା ପଇଠ କରନ୍ତି  । ଚାନ୍ଦା ଆଦାୟ ପରେ ବ୍ରାହ୍ମଣୀ  ଦେବୀଙ୍କ ପୀଠ ଚତୁର୍ଦିଗ ପରିଷ୍କାର ପରିଚ୍ଛନ୍ନ କରାଯାଏ  । ପ୍ରାୟ ପାଞ୍ଚହଜାର ଲୋକଙ୍କ ଭୋଜନର ବ୍ୟବସ୍ଥା ନିମିତ୍ତ ବଡ ବଡ ଚୁଲୀ ବା ଅହିଆ ତିଆରି ହୁଏ  । ଜାଳ ନିମିତ୍ତ କାଠ ସଂଗ୍ରହ ହୁଏ  । ଚାଉଳ, ପରିବା, ଡାଲି, ଘିଅ, ତେଲ, ଚିନି ପ୍ରଭୃତି କ୍ରୟ କରାଯାଏ  । କିଏ ଗ୍ରାମଦେବତୀଙ୍କ ପୂଜା ଦାୟିତ୍ୱରେ ରହିବ, କିଏ ରୋଷେଇ ଦାୟିତ୍ୱରେ ରହିବ  । କିଏ ଭଣ୍ଡାର ରକ୍ଷକ ରହିବ, କିଏ କିଏ ପରିବେଷଣକାରୀ ରହିବେ, କିଏ ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ରହିବ ଆଗରୁ ସ୍ଥିର କରାଯାଇଥାଏ ଯେ ଯାହାର ଦାୟିତ୍ୱ ସୂଚାରୁ ରୂପେ ପାଳନ କରନ୍ତି  । ବ୍ରାହ୍ମଣୀ ଦେବୀଙ୍କ କରୁଣାରୁ କୋ÷ଣସି ବ୍ୟତିକ୍ରମ ଘଟେ ନାହିଁ  ।
ମାଘ ସପ୍ତମୀ ଦିନ ପ୍ରାତଃକାଳରୁ ବ୍ରାହ୍ମଣୀ ଦେବୀଙ୍କର ମାଜଣା ଓ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଯାଏ  । ପ୍ରାୟ ପାଞ୍ଚଜଣ ବ୍ରାହ୍ମଣ ଏହି କାର୍ଯ୍ୟ କରନ୍ତି  । ତାଙ୍କୁ ସାହାଯ୍ୟ କରିବାକୁ ଅର୍ଥାତ ଫୁଲ, ଫୁଲମାଳ, ଧୂପ, ଦୀପ, ଚନ୍ଦନ ଇତ୍ୟାଦି ଯୋଗାଇବାକୁ ବାରିକ ଓ ମାଳିମାନେ ଥାଆନ୍ତି  । ପ୍ରଥମେ ଗୁଆ ଓ ଚନ୍ଦନରେ ମାଆଙ୍କ ଶ୍ରୀଅଙ୍ଗ ମାଜଣା କରାଯାଏ  । ତାପରେ ଆରମ୍ଭ ହୁଏ ଷୋଡଶ ଉପଚାର ପୂଜା  । ମନ୍ତ୍ର ପାଠ ସହିତ ଗୋଟିଏ ଗୋଟିଏ ଉପଚାର ଦେବୀଙ୍କୁ ଅର୍ପଣ କରାଯାଏ  । ଶେଷରେ ନୈବିଦ୍ୟ ପ୍ରଦାନ କରାଯାଇ ମାଆଙ୍କର ମହାଆଳତି ହୁଏ  । ମହାଆଳତି ସମୟରେ ଘଣ୍ଟଘଣ୍ଟା ମୃଦଙ୍ଗ, ଢୋଲ, ବଡକାଠ  ବାଜାରେ ଗଗନ ପବନ ପ୍ରକମ୍ପିତ ହୋଇଯାଏ  । ତାପରେ ପୀଠର ଅସ୍ଥାୟୀ ହୋମକୁଣ୍ଡ କରାଯାଇ ଗ୍ରାମର ମଙ୍ଗଳ ନିମିତ୍ତ ହୋମ କରାଯାଏ  । ପ୍ରଥମେ ଗ୍ରାମର ଦେବଦେବୀ, ନବଗ୍ରହ, ଦଶଦିଗପାଳ ପ୍ରଭୃତିଙ୍କୁ ଆହୁତି ପ୍ରଦାନ ପରେ ବ୍ରାହ୍ମଣୀ ଦେବୀଙ୍କୁ ଆହୁତି ପ୍ରଦାନ କରାଯାଏ  । ହୋମ ଶେଷରେ ଶାନ୍ତି ଓ ବର୍ଦ୍ଧନୀ ଘଟର ଜଳ ଏକତ୍ରିତ କରାଯାଇ ଗ୍ରାମର ଚତୁର୍ଦ୍ଦିଗରେ ସେଚନ କରାଯାଏ  । ଦେହୁରୀ ଓ ଚୋ÷କିଦାର ଏହି ଜଳରୁ କିଛି ନେଇ ଚାଷ ବିଲରେ ସିଞ୍ଚନ କରନ୍ତି  । ଲୋକଙ୍କର  ବିଶ୍ୱାସ କଳସଜଳ ବିଲରେ ପଡିଲେ ଭଲ ଫସଲ ହେବ  । କିଛି ଲୋକ କଳସଜଳ ନେଇ ନିଜ ଛୁଆଙ୍କ ମୁଣ୍ଡରେ ଛିଞ୍ଚନ୍ତି  । 
ସକାଳୁ ସକାଳୁ ଭୋଜିରେ ଆୟୋଜନ ଆରମ୍ଭ ହୁଏ  । ପ୍ରାୟ ପାଞ୍ଚ ହଜାର ଲୋକ ଖାଇବେ  । ଦଶଜଣ ସୂପକାର ଦଶଗୋଟି ବଡଚୁଲୀରେ ରୋଷେଇ କରନ୍ତି  । ବ୍ରାହ୍ମଣୀ ଦେବୀ ପୀଠଟି ଗାଁ ଠାରୁ ଟିକିଏ ଦୂରରେ  । ପ୍ରାୟ ଦୁଇ କିଲୋମିଟର ହେବ  । ଚାରି ପାଞ୍ଚଗୋଟି ଶଗଡରେ ଗାଁରୁ ହଣ୍ଡା ମାଠିଆ ଗରାବାଲ୍ଟି ବୁହା ହୋଇଯାଇଥାଏ  । ଦଶଜଣ ସୂପକାରଙ୍କ ଜିନିଷ ଯୋଗାଇ ଦେବାକୁ ପ୍ରାୟ କୋଡିଏ ଜଣ ଯୋଗାଡିଆ ଥାଆନ୍ତି  । ଦଶଜଣ ପରିବା କାଟନ୍ତି ଓ ଅନ୍ୟ ଦଶଜଣ ଭାରରେ ପାଣି ବୋହି ବଡ ବଡ ଡଙ୍ଗ,ବଡ ବଡ ତାୱା, ବଡ ବଡ ପାତ୍ରରେ ରଖନ୍ତି  । ପୀଠ  ନିକଟରେ କୂଅ ନଥିବାରୁ ଗାଁ କୂଅରୁ ପାଣି ବୁହା ହୁଏ  । ପାଞ୍ଚଜଣ ଲୋକ ପିଆଜ ରସୁଣ କାଟିବା ସହିତ ହେମଦସ୍ତାରେ ମସଲା କୁଟନ୍ତି  । ପ୍ରଥମେ ପାୟସ ବସେ  । ପୂର୍ବରୁ ଗ୍ରାମର ଧନୀ ବ୍ୟକ୍ତିଙ୍କ ଠାରୁ କଳାଜୀରା ଚାଉଳ ତିରିଶି କିଲୋ ସଂଗ୍ରହ ହୋଇଥାଏ  । ପାଞ୍ଚଗୋଟି ହଣ୍ଡାରେ କ୍ଷୀରୀ ବସେ  । ପ୍ରତ୍ୟେକ ହଣ୍ଡାରେ ଛଅ କିଲୋ କଳାଜୀରା ଚାଉଳ, ଦଶ ସେର ମହିଁଷୀ କ୍ଷୀର ଓ ପାଞ୍ଚକିଲୋ ଲେଖାଏଁ ଚିନି ସହ ଆବଶ୍ୟକୀୟ ତେଜପତ୍ର ତଥା କାଜୁ କିସ୍ମିସ୍ ମିଶ୍ରଣ ହୋଇ ପାୟସ ପ୍ରସ୍ତୁତ ହୁଏ  । ଅନ୍ୟ ପାଞ୍ଚଗୋଟି ଚୁଲୀରେ କାନିକା ବସେ  ।  କାନିକା ଦୁଇଥରରେ ଦଶହାଣ୍ଡି ପ୍ରସ୍ତୁତ ହୁଏ  । ପ୍ରତ୍ୟେକ ହଣ୍ଡାରେ ଦଶକିଲୋ ସରୁ ଚାଉଳ, ଏକ କିଲୋ ଲେଖାଏଁ ବୁଟଡାଲି, ଦୁଇ କିଲୋ ଲେଖାଏଁ ଚିନି ଓ ଏକ କିଲୋ ଲେଖାଏଁ ମହିଁଷି ଘିଅ ଦିଆଯାଇ କାନିକା ପ୍ରସ୍ତୁତ ହୁଏ  । କାନିକା ପ୍ରସ୍ତୁତ ହେବା ପରେ ପଟିଆରେ କାନିକାକୁ ଖେଳାଇ ଦିଆଯାଏ  । ପାୟସ ହୋଇ ସାରିବା ପରେ ସେହି ଚୁଲିରେ ଡାଲି ବସେ  । ପ୍ରତ୍ୟେକ ହଣ୍ଡାରେ ଦଶ କିଲୋ ଲେଖାଏଁ ହରଡ଼ଡାଲି ପକାଯାଇ ପାଞ୍ଚହାଣ୍ଡି ଡାଲି ପ୍ରସ୍ତୁତ ହୁଏ  । କାନିକା ହେବା ପରେ ସେହି ପାଞ୍ଚଗୋଟି ଚୁଲିରେ ଘାଣ୍ଟ ତରକାରୀ ପ୍ରସ୍ତୁତ ହୁଏ  । ଘାଣ୍ଟ ତରକାରୀରେ ବିଲାତି ଆଳୁ, ଦେଶୀ ଆଳୁ, ସାରୁ, ବୋଇତାଳୁ, ମିଶାମିଶି ପରିବା ଓ ମଟର ପ୍ରଭୃତି ମିଶାଯାଏ  । ତରକାରୀ ବହଳିଆ ହେବା ନିମିତ୍ତ ପ୍ରତି ତରକାରୀ ହଣ୍ଡାରେ କିଲେ ଲେଖାଏଁ ବେସନ ମିଶାଯାଏ  । ଶେଷରେ ପାଞ୍ଚହାଣ୍ଡି ଓଉ ଖଟା ପ୍ରସ୍ତୁତ ହୁଏ  । ଅନୁ୍ୟନ ୧୫୦ରୁ ୨୦୦ ଓଉ ସଂଗ୍ରହ ହୋଇଥାଏ  । ଓଉ କାଟିବାର କଳା ସମସ୍ତଙ୍କୁ ଜଣାନାହିଁ  । ତେଣୁ ଓଉ କାଟିବାରେ ବହୁ ସମୟ ଯାଏ  । ପ୍ରତ୍ୟେକ ହଣ୍ଡାରେ ଦୁଇ କିଲୋରୁ ଊଦ୍ଧ୍ୱର୍ ଗୁଡ, ଭେରସୁଙ୍ଗା ପତର ପ୍ରଭୃତି ମିଶ୍ରଣ ହୋଇ ଓଉ ଖଟା ପ୍ରସ୍ତୁତ ହୁଏ  । ଆମ ଗାଁ ବ୍ରାହ୍ମଣ ବହୁଳ ଗାଁ ହୋଇଥିବାରୁ ଓଉଖଟାର ଚାହିଦା ଟିକିଏ ଅଧିକ  । ପ୍ରାୟ ଚାରିଟା ବେଳକୁ କାନିକା, ପାୟସ, ଘାଣ୍ଟ ତରକାରୀ, ଡାଲି ଓ ଖଟା ପ୍ରସ୍ତୁତ ହୋଇଯାଏ  । ଏହା ପରେ ବ୍ରାହ୍ମଣୀ ଦେବୀଙ୍କ ନିକଟରେ ଭୋଗ ଲାଗେ  ।
ପ୍ରାୟ ପାଞ୍ଚଟା ବେଳକୁ ଭୋଜି ଆରମ୍ଭ ହୁଏ  । ଥରକେ ପାଞ୍ଚଶହ ଲୋକ ପଂକ୍ତିରେ ବସନ୍ତି ଏବଂ ଦଶଜଣ ଲେଖାଏଁ ପରିବେଷଣକାରୀ ସେମାନଙ୍କୁ ବାଢନ୍ତି  । ଦଶଥର ପଂକ୍ତି ଭୋଜନ ହୁଏ  । ଭୋଜି ସରୁ ସରୁ ରାତି ପ୍ରାୟ ଦଶଟା ବାଜିଯାଏ  । ପୀଠରେ ବିଦୁ୍ୟତ୍ ସଂଯୋଗ ନଥିବାରୁ ପେଟ୍ରୋମାକ୍ସ ଲାଇଟର ବ୍ୟବସ୍ଥା ହୋଇଥାଏ  । ମାଆ ବ୍ରାହ୍ମଣୀ ଦେବୀଙ୍କ କୃପାରୁ ଏଡ଼େ ବଡ ଭୋଜିରେ କେବେ ବିଶୃଙ୍ଖଳା ଘଟିନାହିଁ  । ସମଗ୍ର ଗ୍ରାମବାସୀ ଆବାଳ ବୃଦ୍ଧ ବନିତା ଖାଇବା ପରେ ଯାହା ବଳେ ସେସବୁ ଗରିବ ଲୋକଙ୍କୁ ବଣ୍ଟାଯାଏ  । ଭୋଜି ପରଦିନ ପୀଠରେ ପଡିଥିବା ଖଲିପତ୍ର ଅଳିଆ ଆବର୍ଜନା ଏକତ୍ର କରାଯାଇ ଅଗ୍ନି ସଂଯୋଗ କରାଯାଏ ଏବଂ ପାଣି ପକାଯାଇ ପୀଠର ଚତୁର୍ଦ୍ଦିଗ ପରିଷ୍କାର କରାଯାଏ  । ବର୍ତ୍ତମାନ ଆମ ଗାଁର ବ୍ରାହ୍ମଣଦେବୀ ପୀଠରେ ମାଘ ସପ୍ତମୀରେ ଜନ୍ତାଳ ହେଉଛି, କିନ୍ତୁ ପୂର୍ବ ସୋ÷ରଭ ନାହିଁ  । ପୂର୍ବେ ଦେଶୀ ଘିଅରେ ସବୁ ରୋଷେଇ ହେଉଥିଲା, ବର୍ତ୍ତମାନ ଡାଲଡା ଘିଅ, ରିଫାଇନ ପ୍ରଭୃତି ହେଉଛି  । ତେଣୁ ପ୍ରସ୍ତୁତ ଖାଦ୍ୟରେ ପୂର୍ବ ସୁଆଦ ନାହିଁ  । ସବୁଠାରୁ ବଡ଼କଥା ହେଉଛି, ପୂର୍ବେ ଯେମିତି  ସମସ୍ତ ଗ୍ରାମବାସୀ ଜାତି ବର୍ଣ୍ଣ ନିର୍ବିଶେଷରେ ଏକ ମନ ଏକ ପ୍ରାଣ ହୋଇ ଜନ୍ତାଳ କରୁଥିଲେ ବର୍ତ୍ତମାନ ତାହା ପରିଲକ୍ଷିତ ହେଉନାହିଁ  । ପୂର୍ବେ ଶାସନର ମକଦମଙ୍କ କଥା ସମସ୍ତେ ମାନୁଥିଲେ  । ମକଦମ ମଧ୍ୟ ଯଥାର୍ଥ ନ୍ୟାୟସଙ୍ଗତ କଥା କହୁଥିଲେ ତଥା ପକ୍ଷପାତିତା ରଖୁନଥିଲେ  । ବର୍ତ୍ତମାନ ମକଦ୍ଦମ ନାହାନ୍ତି,  ଗ୍ରାମରେ ସଭାପତି ଅଛନ୍ତି  । ସଭାପତିଙ୍କ କଥା ଅନେକ ମାନୁନାହାନ୍ତି  । କେବଳ ପରମ୍ପରା ରଖିବା ନିମିତ୍ତ ଜନ୍ତାଳ ହେଉଛି  । ଅଥଚ ଏକ ମନ ଏକ ପ୍ରାଣର ସମନ୍ୱୟ ନାହିଁ  । ବର୍ତ୍ତମାନ ହେଉଥିବା ଜନ୍ତାଳରେ ଗ୍ରାମ୍ୟ ଜୀବନର ସାମାଜିକ ପ୍ରତିବଦ୍ଧତା, ପାରମ୍ପରିକ ରକ୍ଷଣଶୀଳତା, ମର୍ଯ୍ୟାଦାବୋଧ, ଉତ୍ତରଶୀଳତା ଓ ଭାବମାଧୁର୍ଯ୍ୟ ପରିଲକ୍ଷିତ ହେଉନାହିଁ  ।
ଆମ ଗାଁ ପ୍ରତିଷ୍ଠା କାଳରୁ ଅର୍ଥାତ୍ ନବମୀ ଶତାବ୍ଦୀରୁ ଜଗତଜନନୀ ବ୍ରାହ୍ମଣୀନଦୀ ଗାଁର ରକ୍ଷୟିତ୍ରୀ ଭାବରେ ପୂଜିତା  । ଇତି ମଧ୍ୟରେ ବାରଶହ ବର୍ଷ ବିତିଯାଇଛି  । ଶ୍ରଦ୍ଧା ଓ ବିଶ୍ୱାସ ସ୍ୱରପିଣୀ ବ୍ରାହ୍ଣଣୀ ଦେବୀ ପୁରୁଷ ପୁରୁଷ ଧରି ଆମ ଗାଁରେ ପୂଜିତା  । ସୃଷ୍ଟିର ପ୍ରାରମ୍ଭ କାଳରୁ ମାନବଜାତି ଅଖିଳ ବିଶ୍ୱର ସୃଷ୍ଟି ସ୍ଥିତି ପ୍ରଳୟକାରିଣୀ ମହାଶକ୍ତିଙ୍କୁ ଆରାଧନା କରିଆସିଛି  । ତଦନୁରୂପ ଆମ ପୂର୍ବ ପୁରୁଷଗଣ ବ୍ରାହ୍ମଣୀଦେବୀଙ୍କୁ ଆରାଧନା କରି ଆସିଛନ୍ତି  ।
ବ୍ରାହ୍ମଣୀ ସା ମହାଦେବୀ ପରାଶକ୍ତି ବରାନନା
ଯୋଗମାୟା ଯୋଗରୂପା ଚତୁର୍ଦିଗ ପ୍ରଦାୟିକା  ।
ସୃଷ୍ଟିଭୂଜା ମହାଶକ୍ତିଃ ମଣିପୁର ନିବାସିନୀ
ଗାୟତ୍ରୀ ବେଦମାତା ଚ ପରଂବ୍ରହ୍ମ ସ୍ୱରୂପିଣୀ  ।
ବ୍ରହ୍ମାନନ୍ଦ ପ୍ରଦାୟିନୀ ବ୍ରାହ୍ମଣୀ ତଟେ ପୂଜିତା
ତ୍ରାହିମାଂ ଜଗତ୍ମାତା ଆଦ୍ୟାଦେବୀ ଭଗବତୀ  ।
ହଂସଯୁକ୍ତ ବିମାନାଗ୍ରେ ଚାକ୍ଷସୂତ୍ର କମଣ୍ଡଳୁଃ
ଆୟତା ବ୍ରହ୍ମଣଃ ଶକ୍ତିଃ ବ୍ରହ୍ମାଣୀ ଚାଭିଧୀୟତେ  ।
ଜଟାମୁକୁଟ ସଂଯୁକ୍ତାଂ ପୀତାମ୍ବରଧରାଂ ବରାମ୍ 
ବ୍ରହ୍ମାଣୀଂ ହ୍ୟେଜ ମାଖ୍ୟାତାଂ ବ୍ରହ୍ମବୃକ୍ଷ ସମାଶ୍ରିତାମ୍  ।
ସପ୍ତମାତୃକାଙ୍କ ମଧ୍ୟରେ ବ୍ରାହ୍ମୀ ହେଉଛନ୍ତି ପ୍ରଥମା  । ବ୍ରହ୍ମାଣୀଙ୍କର ଚତୁର୍ବାହୁ, ଚତୁର୍ମୁଖ ତଥା ସେ ରକ୍ତ ପଦ୍ମାସୀନା  । ସେ ପୀତାମ୍ବର ପରିଧାନ ପୂର୍ବକ ଜଟାମୁକୁଟ ଧାରଣ କରି ହଂସବାହନରେ ଆସି ଏଠାରେ ବ୍ରାହ୍ମଣୀ ତଟରେ ସ୍ୱୀୟ ବେଶ ପରିତ୍ୟାଗ ପୂର୍ବକ ବ୍ରହ୍ମବୃକ୍ଷ ମୂଳରେ ବିରାଜିତା ତଥା ମାର୍ଥାପୁର ଶାସନର ବ୍ରାହ୍ମଣମାନଙ୍କ ରକ୍ଷୟିତ୍ରୀ  । ସଭିଁଙ୍କ ଅଲକ୍ଷ୍ୟରେ ସେ ଚତୁର୍ବାହୁରେ ଶୂଳ, ଅଭୟମୁଦ୍ରା, ଅକ୍ଷମାଳା ଓ ବରଦମୁଦ୍ରା ଧାରଣ କରି ଶତାବ୍ଦୀ ଶତାବ୍ଦୀ ଧରି ମାର୍ଥାପୁର ଶାସନକୁ ସୁରକ୍ଷା ପ୍ରଦାନ କରୁଅଛନ୍ତି   । ତାଙ୍କରି ପୀଠରେ ଶହ ଶହ ବର୍ଷ ଧରି ମାର୍ଥାପୁର ଗ୍ରାମବାସୀ ଏକତ୍ରିତ ହୋଇ ତାଙ୍କର ବିଶେଷ ପୂଜାର୍ଚ୍ଚନା କରିବା ସହିତ ଜନ୍ତାଳ ପର୍ବ ପାଳନ କରି ଆସୁଛନ୍ତି  । ଏହି ଜନ୍ତାଳ ଗ୍ରାମବାସୀଙ୍କ ମଧ୍ୟରେ ସାମାଜିକ ପ୍ରତିବଦ୍ଧତା ସୁଦୃଢ କରିଛି  । ସମାନ ଗୋଟିଏ ଶୃଙ୍ଖଳିତ, ସଂଘବଦ୍ଧ ଓ ନୀତିଗତ ଅନୁଷ୍ଠାନ  । ପ୍ରତ୍ୟେକଟି ବ୍ୟକ୍ତି ଏହାର ବିନ୍ଦୁ ସଦୃଶ  । ସେମାନଙ୍କର କର୍ମ, ଶ୍ରମ, ବିଚାରବୋଧ ଓ ଚେତନାର ଧାରା ସମାଜର ସମଷ୍ଟି ନିମିତ୍ତ ଉଦ୍ଦିଷ୍ଟ  । ଆମ ଗାଁର ଜନ୍ତାଳ ସମାଜର ଏକ ଜାଗ୍ରତ ପ୍ରହରୀ ଭାବରେ ଆମ ସମାଜକୁ ମାର୍ଜିତ, ଶୃଙ୍ଖଳିତ, ଦୃଢୀଭୂତ ତଥା କଲ୍ୟାଣମୁଖୀ କ୍ଷେତ୍ରରେ  ପରିଣତ କରିଆସିଛି  । ସେହି ଚେତନାରେ ଆମ ଗ୍ରାମବାସୀ ମାଘ ମାସ ପ୍ରବେଶ କରୁ କରୁ ବ୍ରାହ୍ମଣୀ ଦେବୀ ପୀଠର ଜନ୍ତାଳ କଥା ମନେ ପକାନ୍ତି ଓ ଏହାକୁ ମହାସମାରୋହରେ ପାଳନ କରିବାକୁ ପ୍ରସ୍ତୁତ ହୁଅନ୍ତି  । ଏହି ଜନ୍ତାଳ ଭିତରେ ଆତ୍ମ ଗୋପନ କରି ରହିଛି ଗ୍ରାମର ଏକତା, ସମନ୍ୱୟ ଓ ଭାଇଚାରା, ଯାହାର କେନ୍ଦ୍ରବିନ୍ଦୁ ଜଗଜ୍ଜନନୀ ବ୍ରାହ୍ମଣୀ ଦେବୀ  ।
ଆନନ୍ଦ ନଗର, କାଠଗଡା
ଢେଙ୍କାନାଳ, ମୋ-୮୮୯୫୨୩୦୭୨୨