ଜଗନ୍ନାଥ ସଂସ୍କୃତିର ଅନନ୍ୟ ପ୍ରବକ୍ତା


କୃଷ୍ଣ ଚନ୍ଦ୍ର ସୁଆର : ଜଗନ୍ନାଥ ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ଯେଉଁ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କର ଉଦ୍ୟମ ଉଚ୍ଚ ପ୍ରଶଂସନୀୟ ଥିଲା ସେମାନଙ୍କ ମଧ୍ୟରେ ବାଗ୍ମୀ ପ୍ରବର ଗୋ÷ରୀ କୁମାର ବ୍ରହ୍ମା ଥିଲେ ଅନ୍ୟତମ  । ଓଡିଆର ଜନମାନସରେ ସେ ଏକ ସ୍ମରଣୀୟ ବ୍ୟକ୍ତିତ୍ୱ  । ପିଲାଟି ଦିନରୁ ଓଡ଼ିଶା ସଂସ୍କୃତି ପ୍ରତି ଥିଲା ତାଙ୍କର ଗଭୀର ଅନୁରାଗ  । ତାଙ୍କର ତଥ୍ୟ ପୂର୍ଣ୍ଣ ଭାଷଣ, ସୁଲଳିତ କଣ୍ଠରେ ଶ୍ଳୋକ ତଥା ଓଡ଼ିଆ କବିତାର ଆବୃତ୍ତି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍୍ଧ କରୁଥିଲା ଘୁମୁସର ଭଞ୍ଜବଂଶର ରାଜକବି ଭାବରେ ତାଙ୍କର ପୂର୍ବପୁରୁଷମାନେ ଅଭିନନ୍ଦିତ ହୋଇଥିଲେ । ସେ ଥିଲେ ଏକାଧାରାରେ ଜଣେ ଲବ୍ଧପ୍ରତିଷ୍ଠିତ ଶିକ୍ଷାବିତ୍ ସାହିତି୍ୟକ, ପ୍ରାବନ୍ଧିକ, ଗ୍ରନ୍ଥ ସମ୍ପାଦକ, ଅନୁବାଦକ ଅନର୍ଗଳ ବକ୍ତା, ପ୍ରାଚୀନ ଓଡ଼ିଆ ସାହିତ୍ୟର ଏକନିଷ୍ଠ ସାଧକ ଓ ଭଞ୍ଜ ସାହିତ୍ୟର ଅଦ୍ୱିତୀୟ ସମାଲୋଚକ ତଥା ଟିକାକାର ଭାବରେ ସୁଖ୍ୟାତ  ।
 ଏହି ପ୍ରତିଭା ସଂପନ୍ନ ବ୍ୟକ୍ତିଙ୍କର ଆବିର୍ଭାବ ହୁଏ ତାଙ୍କର ମାତୁଳାଳୟ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟସ୍ଥ ଷଡଙ୍ଗୀପଲ୍ଲୀ ଶାସନରେ ୧୯୨୦ ମସିହା  ଫେବୃଆରୀ ମାସ ୨୦ ତାରିଖରେ  । ତାଙ୍କ ପିତାଙ୍କ ନାମ ଚନ୍ଦ୍ରଶେଖର ବ୍ରହ୍ମା ଓ ମାତାଙ୍କ ନାମ ସାବିତ୍ରୀ ଦେବୀ  । ତାଙ୍କ ପିତା ଥିଲେ ଜଣେ ଧୂରୀଣ ସଂସ୍କୃତ ପଣ୍ଡିତ  । ସେ ବିନ୍ଧ୍ୟବାସିନୀ ଦେବୀ ମା’ ଗୋ÷ରୀଙ୍କୁ ଆରାଧନା କରି ପୁତ୍ର ଲାଭ କରିଥିବାରୁ ତାଙ୍କ ନାମ ରଖିଥିଲେ ଗୋ÷ରୀ କୁମାର  । ତାଙ୍କର ସ୍ମୃତି ଶକ୍ତି ଅତି ପ୍ରଖର ଥିଲା ଓ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ତେଲୁଗୁ, ବଙ୍ଗଳା ଓ ଇଂରାଜୀ ଭାଷାରେ ପାରଦର୍ଶିତା ଲାଭ କରିଥିଲେ  । 
ସେ ନିଜ ଗ୍ରାମ ନିକଟବର୍ତ୍ତୀ କ୍ଷତ୍ରିୟବରପୁର ଠାରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ  । ତତ୍ପରେ ତାଙ୍କ ପିତାଙ୍କ ନିଯୁକ୍ତି ଟେକିଲିରେ ହେବା ହେତୁ ସେ ସେଠାରେ ଶିକ୍ଷା ଆରମ୍ଭ କରିଥିଲେ  । ଟେକିଲି ସହର ପୂର୍ବରୁ ଗଞ୍ଜାମରେ ଥିବା ସ୍ଥଳେ ଏବେ ଆନ୍ଧ୍ରପ୍ରଦେଶରେ ଅନ୍ତର୍ଭୁକ୍ତ  । ଆସିକା ହାଇସ୍କୁଲରେ ଅଧ୍ୟୟନ କରି ସେ ୧୯୩୬ ମସିହାରେ ମାଟ୍ରିକ ପାଶ କରିଥିଲେ  । ତତ୍ପରେ ପାରଳାଖେମୁଣ୍ଡି କଲେଜରେ ଅଧ୍ୟୟନ କାଳରେ ତାଙ୍କ ପିଉସା ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ଘରେ ପ୍ରଥମେ ରହୁଥିଲେ  । ସେହି ସମୟରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ  ବିନାୟକ ଆଚାର୍ଯ୍ୟ ତାଙ୍କର ସହପାଠୀ ଥିଲେ  । ୧୯୩୬ ମସିହାରୁ ୧୯୪୦ ପର୍ଯ୍ୟନ୍ତ ପାରଳାଖେମୁଣ୍ଡିରେ ଅଧ୍ୟୟନ କରି ସେ କୃତିତ୍ୱର ସହିତ ବିଏ ପାଶ କରିଥିଲେ  । ୧୯୪୧ ମସିହାରେ ସେ ନିଆଁଖୁଣ୍ଟାର ସଂପାଦକ, କବି ଗୋଦାବରୀଶ ମହାପାତ୍ରଙ୍କ ଜ୍ୟେଷ୍ଠ କନ୍ୟାଙ୍କୁ ବିବାହ କରିଥିଲେ  । ତତ୍ପରେ ପରେ ବାଣପୁର ହାଇସ୍କୁଲରେ ପ୍ରଥମେ ଶିକ୍ଷକତା କରିଥିଲେ  । ଶିକ୍ଷକ ଟ୍ରେନିଂ ନେବା ପରେ ଦିଗପହଣ୍ଡି ହାଇସ୍କୁଲରେ ପ୍ରଧାନଶିକ୍ଷକ  ଓ କଟକ ଟ୍ରେନିଂ ସ୍କୁଲରେ ଶିକ୍ଷକତା କରିଥିଲେ  । ୧୯୪୪ ମସିହାରେ ଘରୋଇ ଛାତ୍ର ଭାବରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନରେ ଓଡିଆରେ ଏମ୍.ଏ. ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ  । ତତ୍ପରେ ସେ ୧୯୪୬ ମସିହାରେ କଟକ ଖ୍ରୀଷ୍ଟ କଲେଜରେ ଓଡ଼ିଆ ଅଧ୍ୟାପକ ଭାବେ ଯୋଗ ଦେଇ ୧୯୫୦ ଯାଏ କାର୍ଯ୍ୟ କରିଥିଲେ  । ୧୯୫୦ରେ ରେଭେନ୍ସା କଲେଜରେ ଯୋଗ ଦେଇଥିଲେ  । ପରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ସାହିତ୍ୟ ଏକାଡେମୀର ସଂପାଦକ ଭାବରେ ଏବଂ ପରେ ପରେ ସଙ୍ଗୀତ ନାଟକ ଏକାଡେମୀ ଓ ଲଳିତ କଳା ଏକାଡେମୀର ସଂପାଦକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ  । ଭାରତ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ୧୯୬୮ରେ ସେ ସୋଭିଏତ ରୁଷ ଓ ମଙ୍ଗୋଲିଆ ଯାଇଥିଲେ  । ଏହି ଭ୍ରମଣ କାଳରେ ସେ ରୁଷିଆର ମସ୍କୋ ମହାନଗରୀ, ଲେନିନଗ୍ରାଦ୍, ତାସକେଣ୍ଟ, ସମରକେଣ୍ଟ ଓ ବୁଖାରା ପ୍ରଭୃତିରେ ଭାରତୀୟ ସାହିତ୍ୟ ଓ ସଂସ୍କୃତି ସଂପକୀୟ ଇଂରାଜୀ ଭାଷଣ ପ୍ରଦାନ କରିଥିଲେ  । ଏହା ଉପସ୍ଥିତ ସମସ୍ତ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା  । ଏହାପରେ ସେ  ‘ଚିଫ ଟୁରିଷ୍ଟ ଗାଇଡ’ ଭାବରେ ପର୍ଯ୍ୟଟନ ବିଭାଗରେ ଯୋଗ ଦେଇଥିଲେ ଓ ବହୁ ଉଚ୍ଚ ପଦ ପଦବୀରେ ଥିବା ବ୍ୟକ୍ତିମାନଙ୍କ ସଂପର୍କରେ ଆସିଥିଲେ  । ପରିଶେଷରେ ୧୯୭୮ ମସିହାରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ  ।
ଅବସର  ଗ୍ରହଣ କରିବା ପରେ ସେ ବିଭିନ୍ନ ସାହିତି୍ୟକ ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ହୋଇଥିଲେ  । ବିଶ୍ୱହିନ୍ଦୁ ପରିଷଦର ଓଡ଼ିଶା ରାଜ୍ୟ ସଭାପତି, ବିଶ୍ୱଭାଷା ପ୍ରତିଷ୍ଠାନର ପ୍ରାଦେଶିକ ସଭାପତି, ଓଡ଼ିଶା ପାଲା ଗାୟକ ପରିଷଦର ସଭାପତି ପ୍ରଭୃତି ବିଭିନ୍ନ  ପଦପଦବୀରେ ରହି ସେ ସୂଚାରୁ ରୂପେ ନିଜର ଦାୟିତ୍ୱ ତୁଲାଇଥିଲେ ଏବଂ କିଛି ଦିନ ପାଇଁ ରିଜିଓନାଲ କଲେଜ ଅଫ ମ୍ୟାନେଜମେଣ୍ଟର ପର୍ଯ୍ୟଟନ ବିଭାଗରେ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ  ।  ୧୯୭୯ ମସିହାରେ ସେ ଭୁବନେଶ୍ୱରସ୍ଥ ନିଜ ବାସ ଭବନରେ ବହୁ ପ୍ରାଚୀନ ପୋଥି ଓ ଉପାଦେୟ ଗ୍ରନ୍ଥ ସଂଗ୍ରହ କରି ଏକ ପାଠାଗାର ପ୍ରତିଷ୍ଠା କରିବା ସାଙ୍ଗକୁ ଏକ ସ୍ନାତକୋତ୍ତର ଶିକ୍ଷାଦାନ କେନ୍ଦ୍ର ପ୍ରତିଷ୍ଠା କରି ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନରେ ଓଡ଼ିଆ ଏମ.ଏ. ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରୁଥିଲେ  । ଏତଦ୍ବ୍ୟତୀତ ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ହେବ ସେ ଓଡ଼ିଶାର ସାହିତ୍ୟ, ଧର୍ମ, ସଂସ୍କୃତି ସଂପର୍କରେ ବରାବର ବକ୍ତୃତା ଦେଇ ଆସୁଥିଲେ  । ବହୁ ଆଲୋଚନାତ୍ମକ ପ୍ରବନ୍ଧ ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀରେ ଲେଖିଥିଲେ  । ବଙ୍ଗଳା, ହିନ୍ଦୀ ଏବଂ ଇଂରାଜୀରୁ ଓଡ଼ିଆରେ ଅନୁବାଦ କରିଥିଲେ  । ବିଶେଷ କରି ପ୍ରାଚୀନ ମହାମନା କବିମାନଙ୍କର ରଚନା ଉପରେ ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା ମୋ÷ଳିକ ଦିଗଦର୍ଶନ ପ୍ରତିଭାତ ହୋଇଥାଏ  । ତାଙ୍କ ରଚିତ କୃତିଗୁଡିକ ମଧ୍ୟରେ ଅଳଙ୍କାର ସାହିତ୍ୟର କ୍ରମବିକାଶ, ତପସ୍ୱିନୀ ଓ ମେହେର ସାହିତ୍ୟ, ଭଞ୍ଜଜୀବନୀ, ସଂସ୍କୃତି ଓ ସାହିତ୍ୟ, ଓଡ଼ିଆ ସାହିତ୍ୟରେ ପ୍ରକୃତି କୁସୁମାଞ୍ଜଳି ଆଲୋଚନା, ଭକ୍ତଚରଣ ଓ ମଥୁରା ମଙ୍ଗଳ, ବିଜ୍ଞାନ ଯୁଗର ଈଶ୍ୱର, ରସ କଲ୍ଲୋଳ ସମୀକ୍ଷା, ଗୀତାର ପ୍ରଥମ ଶ୍ଳୋକ, ଜଗନ୍ନାଥ ଦାଶବଜାର ସ୍ତ୍ରୋତମ, ଭଞ୍ଜଙ୍କ ନିର୍ବାଚନ ଇସ୍ତାହାର ଓ ପିଲାଙ୍କ ନିମନ୍ତେ ପାଠ ପ୍ରଭାତ କୁମାର ସାହିତ୍ୟ ଉଲ୍ଲେଖନୀୟ  । ସେ ସଂପାଦନା କରିଥିବା ରଚନାବଳୀ ମଧ୍ୟରେ  ବ୍ରଜରାଜ ଗ୍ରନ୍ଥାବଳୀ, ଅନଙ୍ଗରେଖା, ଇଚ୍ଛାବତୀ, ଗୋପୀନାଥ ବଲ୍ଲଭ ନାଟକ ଓ ଅଭିମନୁ୍ୟ ଗ୍ରନ୍ଥାବଳୀ ପ୍ରଧାନ  ।ସେ ଧର୍ମାନନ୍ଦ କୋସମ୍ବୀଙ୍କର ହିନ୍ଦୀ ଭାଷାରେ ଲିଖିତ ‘ଭଗବାନ ବୁଦ୍ଧ’ ଗ୍ରନ୍ଥ ଅନୁବାଦ କରିଥିଲେ  । ରବୀନ୍ଦ୍ରନାଥ ଠାକୁରଙ୍କର ଅନେକ ପ୍ରବନ୍ଧ ବଙ୍ଗଳା ଓ ଇଂରାଜୀରୁ ଅନୁବାଦ କରି ‘ନିବନ୍ଧମାଳା’ ପ୍ରକାଶ କରିଥିଲେ  । ବାପୁଙ୍କ ଆଶୀର୍ବାଦ ପୁସ୍ତକ ୧୯୬୪ ମସିହାରେ ହିନ୍ଦୀରୁ ଓଡ଼ିଆକୁ ଓ ସଂସ୍କୃତ ଗୋ÷ର-ପଞ୍ଚଶିକାର ଓଡିଆ ଅନୁବାଦ ମଧ୍ୟ କରିଥିଲେ  । ପର୍ଯ୍ୟଟନ ଉପରେ ସେ ସଂସ୍କୃତରେ ଦୁଇଟି ଖଣ୍ଡକାବ୍ୟ ଲେଖିଥିଲେ  । ଏତଦ୍ବତୀତ ପର୍ଯ୍ୟଟନକୁ ନେଇ ସେ ଇଂରାଜୀରେ ‘ଭିଜିଟ ପୁରୀ’, ଜଗନ୍ନାଥପୁରୀ ଦେଖନ୍ତୁ ଓ ଶ୍ରୀକ୍ଷେତ୍ର ଭ୍ରମଣ ରଚନା କରିଥିଲେ  ।
ତାଙ୍କର ବିଦ୍ବତ୍ତା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ଅନୁଷ୍ଠାନ ଦ୍ୱାରା  ପୁରସ୍କୃତ ଓ ବିଭିନ୍ନ ସମ୍ମାନ ସୂଚକ ପଦବୀରେ ଭୂଷିତ ହୋଇଥିଲେ  । ସେ ଥିଲେ ଜଣେ ମିଷ୍ଟଭାଷୀ, ଶାନ୍ତିପ୍ରିୟ ଓ ଉଚ୍ଚାମନା ବ୍ୟକ୍ତି  । ଜୀବନଯାତ୍ରା ପଥରେ ନୀତି ନିୟମ ଶୃଙ୍ଖଳା ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ  । ତାଙ୍କର ଆଚରଣ ରୁଚିପୂର୍ଣ୍ଣ ଥିଲା  । ଏକା ଗାଁ ପାଖ ଯୋଗୁ ତାଙ୍କ ସହ ପରଚିତି ଥିଲା  । ଜଗନ୍ନାଥ ସଂସ୍କୃତି ସଂପର୍କରେ ତାଙ୍କ ଧାରା ବିବରଣୀ ଅତ୍ୟନ୍ତ ଭକ୍ତିଭାବପୂର୍ଣ୍ଣ, ଶିକ୍ଷଣୀୟ ଓ ସମସ୍ତଙ୍କୁ ମୁଗ୍୍ଧ କରୁଥିଲା  । ତାଙ୍କ ସଂପର୍କରେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ଭାଷାତତ୍ତ୍ୱବିତ୍ ଡକ୍ଟର ସୁନୀତି କୁମାର ଚାଟାର୍ଜୀ କହିଥିଲେ- ‘ତୁମେ ଯଦି ବଙ୍ଗଳାରେ  ଜନ୍ମ ଗ୍ରହଣ କରିଥାଆନ୍ତ, ପୃଥିବୀର ବହୁ ପ୍ରାଚ୍ୟ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିଥାଆନ୍ତ  । ବାସ୍ତବିକ ସ୍ୱର୍ଗତ ବ୍ରହ୍ମା ଥିଲେ ଓଡ଼ିଶାର ଗର୍ବ, ଗୋ÷ରବ ଓ ଉକ୍ରଳ ଭାରତୀଙ୍କ  ବରପୁତ୍ର ବରେଣ୍ୟ ଅଧ୍ୟାପକ । ଉକ୍ରଳୀୟ ସଂସ୍କୃତିର ମହାନ ପ୍ରବକ୍ତା ଭାବରେ ସେ ସବୁରି ନିକଟରେ ପରିଚିତ ଥିଲେ  । ଗତ ୨୦୧୧ ମସିହା ସେପ୍ଟେମ୍ବର ମାସ ୨୯ ତାରିଖରେ ତାଙ୍କର ପରଲୋକ ହୋଇଥିଲା  । ସେ ଆଜି ନାହାନ୍ତି ସତ, ହେଲେ ରଖିଦେଇ ଯାଇଛନ୍ତି ଚିରନ୍ତନ ସ୍ମୃତି  । ତାଙ୍କର ଉଦାର ବ୍ୟକ୍ତିତ୍ୱ ଓ ଅନନ୍ୟ ପ୍ରତିଭାର ପଟାନ୍ତର ନାହିଁ  ।
ଏମ୍.ଆଇ.ଜି.ୱାନ ୪୨/୧
ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ
ଭୁବନେଶ୍ୱର-୧୬, ମୋ -୯୧୭୮୯୦୮୭୬୩