ହିଂସା କେବେ ସକାରାତ୍ମକ ଫଳ ଦିଏନି


ରୁଷ-ୟୁକ୍ରେନ୍ ଯୁଦ୍ଧ ୟୁରୋପର ମାତ୍ରା ଟପିଚାଲୁଥିବା ଯୁଦ୍ଧ । ୨୦୨୨ ଫେବୃୟାରୀ ୨୪ରୁ ଯୁଦ୍ଧ ଚାଲିଛି । ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧର ପ୍ରଚାର ରୁଷ-ୟୁକ୍ରେନ୍ ଯୁଦ୍ଧକୁ ପଛରେ ପକେଇଦେଇଛି । ସଂପ୍ରତି ଗାଜା ଯୁଦ୍ଧରେ ଇସ୍ରାଏଲ ସୈନ୍ୟଙ୍କ ଅକଥନୀୟ ହିଂସ୍ରତା ସମସ୍ତ ସୀମା ଟପିଗଲାଣି । ଇସ୍ରାଏଲ ଯୁଦ୍ଧକୁ ଊଦ୍ଧ୍ୱର୍ମୁଖୀକରିଚାଲିଛି । ଆଜି ନହେଲେ ଆଗକୁ ନିମ୍ନମୁଖୀ ହେବାକୁ ବାଧ୍ୟ । ଇସ୍ରାଏଲକୁ ଆମେରିକା, ନାଟୋଦେଶ ଯେତେ ଯୁଦ୍ଧାସ୍ତ୍ର ଯୋଗାଇଲେ ବି ତା’ର ମଧ୍ୟ ସୀମା ଅଛି । ଇସ୍ରାଏଲ ପାଖରୁ ଧୀରେଧୀରେ ଯୁଦ୍ଧାସ୍ତ୍ର ସରିଆସୁଛି । ଏ ଯୁଦ୍ଧରେ ପ୍ରଚୁର ଅର୍ଥ ଖର୍ଚ୍ଚହେଉଛି । ଦିନକୁଦିନ ଇସ୍ରାଏଲର ଅର୍ଥନୀତିର ଅବନତି ଘଟୁଛି । ବିରୋଧୀଦଳ ପ୍ରବଳ ପ୍ରତିବାଦ କରି ଇସ୍ରାଏଲ ରାଷ୍ଟ୍ରପତି ନେତାନ୍ୟାହୁଙ୍କ ଇସ୍ତଫା ଦାବି କରୁଛନ୍ତି । 
ମାସାମାସଧରି ଏ ଜଘନ୍ୟ ଯୁଦ୍ଧ ଚାଲିଥିଲେ ବି ଇସ୍ରାଏଲ ସୈନ୍ୟ ଏ ପର୍ଯ୍ୟନ୍ତ ପଣବନ୍ଦୀମାନେ କେଉଁଠି ଅଛନ୍ତି - ଠାବ କରିପାରିନାହାଁନ୍ତି । ହମାସ୍ମାନେ ସର୍ତ୍ତ ରଖିଛନ୍ତି - ଯୁଦ୍ଧ ପାଂଚଦିନ ବିରତ ରଖିଲେ ୧୪୧ ପଣବନ୍ଦୀରୁ ୭୦ଜଣଙ୍କୁ ଛାଡିବେ । ଆମେରିକା ଓ ଅନ୍ତର୍ଜାତୀୟ ସଂସ୍ଥା ଜାତିସଂଘ ଚାପରେ ଇସ୍ରାଏଲ ଚାରିଘଂଟା ଯୁଦ୍ଧବିରତିରେ ରାଜିହୋଇ ପୁଣି ପଛଘୁଂଚା ଦେଇଛି । ସଂପ୍ରତି ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧରେ ମଧ୍ୟସ୍ଥତା ପାଇଁ କୌଣସି ଦେଶ ନାହିଁ । ପ୍ରାୟ ସବୁଦେଶ ପକ୍ଷଭୁକ୍ତ ହୋଇସାରିଲେଣି । କେବଳ ଇଜିପ୍ଟ୍, କାତାର, ତୁର୍କି ମିଳିତଭାବେ ଚାହିଁଲେ ମଧ୍ୟସ୍ଥତା କରିପାରନ୍ତି । ଏମାନଙ୍କ ମଧ୍ୟସ୍ଥତା ଇସ୍ରାଏଲ-ପାଲେଷ୍ଟାଇନ୍ ମାନିବେ ତ ? ଗାଜା ସଂପ୍ରତି ବହୁଦେଶ ପାଇଁ ଅଭିଶାପ ପାଲଟିଯାଇଛି । 
ବାଇବେଲ୍ରେ ଲେଖାଅଛି - ପାଲେଷ୍ଟାଇନ୍ ଏକ ଧର୍ମପୀଠ । ଯିଶୁ ଖ୍ରୀଷ୍ଟଙ୍କ ଜନ୍ମସ୍ଥାନ ଜେରୁଜୁଲମ୍କୁ ଖ୍ରୀଷ୍ଟିୟାନ୍ମାନେ ଶ୍ରେଷ୍ଠ ଧର୍ମସ୍ଥାନ ବୋଲି ବିବେଚିତ କରନ୍ତି । ମକ୍କା, ମଦିନାକୁ ମୁସ୍ଲିମ୍ମାନେ ଶ୍ରେଷ୍ଠ ଧର୍ମପୀଠ ମାନନ୍ତି । ‘ଜିଉଜ୍’ମାନେ ପାଲେଷ୍ଟାଇନ୍ରେ ରହିଆସୁଛନ୍ତି । ‘ଜିଉଜ୍’ମାନେ ଶିକ୍ଷିତ ଓ ବୁଦ୍ଧିମାନ୍ । ଆରବ ଓ ‘ଜିଉଜ୍’ମାନଙ୍କ ମଧ୍ୟରେ ସବୁବେଳେ ଦ୍ୱନ୍ଦ୍ୱ ଲାଗିରହିଲା । ଭଗବାନ ଅହିଂସା ପାଇଁ ସୁପାରିଶ୍ କରିଛନ୍ତି । ହିଂସା କେବେ ସକାରାତ୍ମକ ଫଳ ଦିଏନି । 
ଏବେ ଇସ୍ରାଏଲ ସୀମାରେ ଟେନ୍ସନ୍ । ଇସ୍ରାଏଲ ସୈନ୍ୟମାନେ ଗାଜାରେ ପଶି ହମାସ୍ମାନଙ୍କୁ ଠାବକରିବାକୁ ଯାଇ ସାଧାରଣ ନାଗରିକ, ମହିଳା, ଶିଶୁମାନଙ୍କୁ ବୋମା ପକାଇ ହତ୍ୟା କରୁଛନ୍ତି । ଗାଜାବାସୀଙ୍କ ଘରଦ୍ୱାର ମାଟିରେ ମିଶାଇଦେଲେଣି । ହସ୍ପିଟାଲରେ ହମାସ୍ ଯୋଦ୍ଧାମାନେ ଲୁଚିରହିଛନ୍ତି ବୋଲି ସନେ୍ଦହକରି ବଡବଡ ହସ୍ପିଟାଲକୁ ଧ୍ୱଂସ କରିବାରେ ଲାଗିଛି । ଯଦିଓ ଜେନେଭା ସମ୍ମିଳନୀରେ ଯୁଦ୍ଧସମୟରେ ମେଡିକାଲ ଫାସିଲିଟି ଉପରେ ଆକ୍ରମଣ ଆନ୍ତର୍ଜାତିକ ଆଇନ୍ ବିରୋଧୀ, ଇସ୍ରାଏଲ କୌଣସି ଆଇନ୍ ମାନୁନି । 
ଗାଜାରେ ମାନବୀୟ ସଂକଟ ସୃଷ୍ଟି ହୋଇଛି । ଇସ୍ରାଏଲ ସୈନ୍ୟଙ୍କ ବର୍ବର ଆକ୍ରମଣ ବଢୁଥିବାରୁ ସମଗ୍ର ବିଶ୍ୱର ବହୁଳାଂଶ ଦେଶ ପ୍ରବଳ ବିରୋଧ କରୁଛନ୍ତି । ଇସ୍ରାଏଲ ସୀମାରେ ଲେବାନନ୍ର ହିଜ୍ବୁଲ୍ଲା ୧୯୮୨ରୁ ମଧ୍ୟପ୍ରାଚ୍ୟରେ ସବୁଠୁ ବଡ ବିଦ୍ରୋହୀସେନା । ଏହି ଚରମପନ୍ଥୀ ସଂଗଠନର ୫୦ହଜାର ଲଢୁଆସୈନ୍ୟ ଅଛନ୍ତି । ୧୩୦ ହଜାର ମିଜାଇଲ୍ ଅଛି । ଇସ୍ଲାମିକ୍ ଜିହାଦ୍ ସଂଗଠନ, ଆଦିବାସୀ ଦୁର୍ଦ୍ଧର୍ଷଲଢୁଆ ‘ହାଇଥି’ ମହାଶକ୍ତିଶାଳୀ । ଏ ସଂଗଠନ କୁଇରାନ୍, ଲେବାନନ୍, ସିରିଆ ସବୁପ୍ରକାର ସାହାଯ୍ୟ ସହଯୋଗ କରୁଛନ୍ତି । ଏ ତିନି ସଂଗଠନ, ହମାସ୍ ଯୋଦ୍ଧାମାନେ ଇସ୍ରାଏଲ ବିରୋଧରେ ଲଢୁଛନ୍ତି - ଲଢିବେ । ଫଳରେ ଯୁଦ୍ଧରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । 
ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧର ଶେଷ ପରିଣିତି କ’ଣ ହେବ ଏବଠୁ କହିହେବନି । ଏହା ‘ଗ୍ରୀକ୍ ଟ୍ରାଜେଡି’ର ରୂପ ନେଇପାରେ । ସମସ୍ୟା ସମାଧାନ ନହେଲେ ତାହା ସବୁଠୁ ଦୁଃଖଦାୟକ - ଯାହା ଖ୍ରୀଷ୍ଟପୂର୍ବ ପଂଚମ ଶତାବ୍ଦୀରେ ଗ୍ରୀସ୍ର ଏଥେନସ୍ରେ ଘଟିଥିଲା । ଗ୍ରୀକ୍ ଟ୍ରାଜେଡିରେ ଦ୍ୱନ୍ଦ୍ୱ ଆରମ୍ଭ ହୋଇଥିଲା - ପ୍ଲାଷ୍ଟିକ୍ କାମ ଓ ଅଣପ୍ଲାଷ୍ଟିକ୍ (ସଂଗୀତ) ମଧ୍ୟରେ ଶେଷପର୍ଯ୍ୟନ୍ତ ତାହା ସମାଧାନ ନହୋଇ ଏକ ମର୍ମନ୍ତୁଦ ବେଦନାଦାୟକ ଘଟଣାରେ ପରିଣତ ହୋଇଥିଲା । ଟ୍ରୟସାମ୍ରାଜ୍ୟର ପତନ ପରେ ଗ୍ରୀକ୍ ସୈନ୍ୟ ପ୍ରତିଶୋଧ-ପରାୟଣ ହୋଇ ନାନା ଅଘଟଣ ଘଟାଇଥିଲେ । ପଚିଶଶହ ବର୍ଷ ପୂର୍ବର ଗ୍ରୀକ୍ ଟ୍ରାଜେଡି ଆଜି ଏକବିଂଶ ଶତାବ୍ଦୀରେ ଇସ୍ରାଏଲ-ପାଲେଷ୍ଟାଇନ୍-ଗାଜା ଯୁଦ୍ଧରେ ଶୁଭୁଥିବା ସେଇ ହିଂସ୍ରହୁଂକାର ।  ଇସ୍ରାଏଲ ସୈନ୍ୟମାନେ ଧରି ନେଇଥିଲେ ହସ୍ପିଟାଲ ତଳେ ସୁଡଙ୍ଗରେ ହମାସ୍ ଯୋଦ୍ଧାମାନେ ଅସ୍ତ୍ରଶସ୍ତ୍ର ରଖିଛନ୍ତି - ସେଠାରେ ପଣବନ୍ଦୀମାନଙ୍କୁ ମଧ୍ୟ ରଖିଛନ୍ତି । ତେଣୁ ସେମାନେ ହସ୍‌ପିଟାଲକୁ ଧ୍ୱଂସକରି ରୋଗୀ, ଆହତମାନଙ୍କୁ ହତ୍ୟା କରିଚାଲିଲେ, କିନ୍ତୁ ହମାସ୍ କିଂବା ପଣବନ୍ଦୀ କାହାକୁ ପାଇଲେ ନାହିଁ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅଭିଯୋଗ ଆସିଲା - ହସ୍ପିଟାଲକୁ ଯୁଦ୍ଧକ୍ଷେତ୍ର ଭାବେ ବ୍ୟବହାର କରିବା ଘୋର ଅନ୍ୟାୟ । ମାନବିକ ଯୁଦ୍ଧବିରତି ପାଇଁ ରାଷ୍ଟ୍ରପୁଂଜର ନିରାପଦ ପରିଷଦରେ ଗାଜାରେ ମୃତୁ୍ୟ ଶୋଭାଯାତ୍ରାକୁ ରୋକିବା ନିମିତ ପ୍ରସ୍ତାବ ଗୃହୀତ ହୋଇଛି । ଏ ପ୍ରସ୍ତାବକୁ ଯୁଦ୍ଧଖୋର ଇସ୍ରାଏଲ ମାନିବାକୁ ପ୍ରସ୍ତୁତ ନୁହେଁ । ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧର ଦୁଃଖଦ ପରିଣାମ ଆଗକୁ ଉଭୟଙ୍କୁ ଭୋଗିବାକୁ ପଡିବ । ଏ ଯୁଦ୍ଧ ହଜାର ହଜାରବର୍ଷ ଧରି ଚାଲିନପାରେ । ଉଭୟପକ୍ଷ ଯେତେ ଧରାଶାୟୀ ହେବେ - ସମାଧାନ ପାଇଁ ପାଗଳ ହୋଇଯିବେ । ଏବେ କାହାକଥା ମାନୁନାହାଁନ୍ତି । ପରେ ଗୋଟିଏ ଛୋଟିଆ ଦେଶ ବି ମଧ୍ୟସ୍ଥତା କରି ଯୁଦ୍ଧ ବନ୍ଦ କରିଦେଇପାରେ । ହତ୍ୟା, ଗଣହତ୍ୟା ସମସ୍ୟାର ସମାଧାନ ନୁହେଁ । ଆରବଦେଶମାନଙ୍କ ମଧ୍ୟରେ ଐକ୍ୟ ପ୍ରତିଷ୍ଠା ହେଲେ ପାଲେଷ୍ଟାଇନ୍ ଜୀବନ ପାଇବ, ସମ୍ମାନ ସହ ବଂଚିପାରିବ । କୋଭିଡ୍-୧୯ ବିପର୍ଯ୍ୟୟରୁ ବିଶ୍ୱ ମୁଣ୍ଡ ଟେକିବାକୁ ଚେଷ୍ଟା କରୁଥିଲାବେଳେ ପୁଣି ବିଶ୍ୱରେ ମାନ୍ଦାବସ୍ଥା ମାଡିଆସିଲାଣି । ବିଶ୍ୱରେ ତୈଳଦର ବଢିଗଲେ ଏହା ଭାରତକୁ ପ୍ରଭାବିତ କରିବ । ଦରଦାମ୍ ଆକାଶଛୁଆଁ ହେବ । ଫଳରେ ସାଧାରଣ ମଣିଷ ଭୀଷଣ କ୍ଷତିଗ୍ରସ୍ତ ହେବେ । ଆମ ଦେଶରୁ ପଶ୍ଚିମ ଏସିଆରେ ୯୦ଲକ୍ଷ ଲୋକ କାମ କରୁଛନ୍ତି । ଏମାନେ ଯୁଦ୍ଧ ସମୟରେ ଭୟଭୀତ ଅବସ୍ଥାରେ ଅଛନ୍ତି । ଆମ ଭାରତକୁ ଯେଉଁମାନେ ଯୁଦ୍ଧାସ୍ତ୍ର ବିକ୍ରି କରୁଥିଲେ - ବର୍ତ୍ତମାନ ସେଥିରେ ଅନିଶ୍ଚୟତା ଦେଖାଦେଇଛି । 
ସମଗ୍ର ବିଶ୍ୱରେ ଚୀନ୍-ଜାପାନ୍-ଆମେରିକା-ଇଂଲଣ୍ଡ-ଫ୍ରାନ୍ସ୍ ନିଜ ନିଜ ବୁଦ୍ଧିରେ ବଳୀଆନ୍ । ଆମେରିକା ଅତି ସିଆଣିଆ ହୋଇ ଜଗତୀକରଣ, ଉଦାରୀକରଣ, ଘରୋଇକରଣ, ବିଶ୍ୱବଜାର ଦ୍ୱାରା ସମଗ୍ର ବିଶ୍ୱକୁ ପଦାନତ କରିବାକୁ ଯାଇ ନିଜେ ଆଣ୍ଠେଇପଡିଛି ନିଜଦ୍ୱାରା ବିଛାଇଥିବା ବାରୁଦଗଦା ସାମ୍ନାରେ । ସଂପ୍ରତି ଇସ୍ରାଏଲ ବିରୋଧରେ ଯିଏ କହିଲା – ସେ ପାଗଳ । ପୂର୍ବରୁ ହିଟଲର୍ ମଧ୍ୟ ବିରୋଧୀଙ୍କୁ ମୃତୁ୍ୟଦଣ୍ଡ ଦେଉଥିଲା । ଏବେ ଚୀନ୍, ରୁଷ, ଉତ୍ତରକୋରିଆ ପ୍ରମୁଖ ଦେଶରେ ମୁଖିଆଙ୍କୁ ବିରୋଧ ଷଡଯନ୍ତ୍ରକରି ମୃତୁ୍ୟଦଣ୍ଡ ଦିଆଯାଉଛି । ସବୁ ଜାଣୁଥିଲେ ବି ମିଡିଆରେ କେହି କହିବାକୁ ସାହାସ କରୁନାହାଁନ୍ତି । ଏ ରୋଗ ମଧ୍ୟ ଭାରତକୁ ଆକ୍ରମଣ କଲାଣି । ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧରେ ଶହେରୁ ଊଦ୍ଧ୍ୱର୍ ସାମ୍ବାଦିକ ମୃତୁ୍ୟବରଣ କଲେଣି । ଯେଉଁ ସାମ୍ବାଦିକ/ସାମ୍ବାଦିକା ସଠିକ୍ ଖବର ପରିବେଷଣ କଲେ – ତାହା ଯଦି ଇସ୍ରାଏଲ ବିପକ୍ଷରେ ଗଲା- ତାଙ୍କୁ କଳେ ବଳେ କୌଶଳେ ହତ୍ୟା କରାଯାଉଛି । ଅଜବ ଏ ଦୁନିଆ । ସତ୍ୟ, ତ୍ରେତୟା, ଦ୍ୱାପର ଯୁଗରେ ଯେଉଁମାନେ ଛଇ ଦେଖାଇ ଥରହର କରୁଥିଲେ - ସେମାନଙ୍କ ଛଇ ଛାଡିଗଲା - ପୁରାଣରୁ ଏସବୁ କଥା ଶୁଣୁଛେ । ଏ ଘୋର କଳିକାଳଯୁଗରେ ଗଲା ତିନିଯୁଗର ଛଇଛଟକବାଲାଙ୍କ ସବୁ ଗୁଣରୁ ହଜାରଗୁଣ ଅଧିକ ଛଟକିଆ ଅଛନ୍ତି । ସେମାନଙ୍କ ଛଟକ ଦେଖିଆସୁଛେ । କିଏ କେତେ କଳଙ୍କିତ କୁଳାଙ୍ଗାରମାନେ ଇତିହାସର ଅଳିଆଗଦାରେ ପଡିଛନ୍ତି - ତା’ର ହିସାବ କେବଳ ଇତିହାସ ରଖିଛି । ଯେଉଁମାନେ ଗର୍ବ ଅହଂକାରରେ ଫାଟିପଡି ଛକେଛକେ ଛଟକ ଦେଖାଇ ଜନସମ୍ମୁଖରେ ଘୃଣାର ପାତ୍ରଭାବେ ପରିଚିତ ହୋଇ ପରପାରିକୁ ଚାଲିଗଲେଣି - ସେମାନଙ୍କୁ ଇତିହାସ କେବେ କ୍ଷମା ଦେଇନି କି ଦେବନାହିଁ ।
ଆମର ଏ ବିଶ୍ୱ ଏବେ ଏକ ବିୟୋଗାତ୍ମକ ବିଶ୍ୱ - ଯାହା ଦିନଦିନ, ମାସମାସ, ମସିହାମସିହା ଧରି ଲଗାତାର ଲହୁଲୁହାଣ, ମଣିଷମରା ଯୁଦ୍ଧ-ମହାଯୁଦ୍ଧର ଜଘନ୍ୟତମ ହିଂସ୍ରହୁଂକାରମୟ ଅବଦାନ - ଏ ମୁମୂର୍ଷୁ ମଣିଷଜାତିକୁ । ଯୋଜନାବଦ୍ଧ ଏ ବର୍ବର ଯୁଦ୍ଧପର୍ବର ଧୂସର ଦସ୍ତାବିଜ୍ ତିଆରି କରିଛି ସେହି ଅତନ୍ଦ୍ର ଅମାନୁଷିକ ଦର୍ଶନ - ଯାହାର ପାପପ୍ରେରଣାରେ କରୋନାର କୃତାନ୍ତକାଳ କବଳିତ କଲା ଆମର ଏ ଫୁଲଫସଲର ଦରଫୁଟା ପୃଥିବୀଗ୍ରହକୁ, ଖେଳନା କଲା ବିଜ୍ଞାନକୁ - ପୃଥିବୀକୁ ଖତମ୍ କରିବାକୁ କସମ୍ ଖାଇଥିବା ଗୋଟାଏ ଖଳନାୟକ ସଜାଇ, ବଟକରା କଲା ମଣିଷର ବୁଦ୍ଧିବିଦ୍ୟାବିତକୁ ମୁନାଫାର ମହାମାରୀ ଚକ୍ରଚାଳନାକାରୀମାନଙ୍କ ପଲାରେ ! ରାଜନୀତି-ଅର୍ଥନୀତି-ସମାଜନୀତିକୁ ପଙ୍ଗୁକରି ବ୍ୟକ୍ତିବାଦର ଏକ ବିତ୍ପାତକାରୀ ବ୍ୟଭିଚାରୀ ବିକୃତବିଳାସୀ ବଣିକତନ୍ତ୍ର ନିଜ ମୁଣାଗୁଡାକରେ ମାଣିକ ଭରିବାପାଇଁ ଆମ ସୁନାକୁ ଭେଣ୍ଡି କଲା ଆଉ ତମାମ୍ ମଣିଷର ମଇଦାନରେ ଖେଳାଇ ଦେଲା ଘୃଣା, ସଂଶୟ, ସଂକଟର ବିକଟ ଜୀବାଣୁପଂଜୁ - ପରସ୍ପର ପ୍ରତି ! ଯୋଜନାବଦ୍ଧ ଏପରି ଅଭାବନୀୟ ଅବିଶ୍ୱାସ ଯୁଦ୍ଧମହାଯୁଦ୍ଧର ଭିତ୍ତିପ୍ରସ୍ତର ସ୍ଥାପକବର୍ଗ ସମ୍ବନ୍ଧରେ ଏହା ଏକ ଚରମ ସତର୍କବାଣୀ!
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩