କୈବଲ୍ୟ

ଭାରତର ବିଭିନ୍ନ ଧର୍ମ ମତବାଦରେ ଦାରୁବ୍ରହ୍ମରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥ ସର୍ବଶ୍ରେଷ୍ଠ ସାର୍ବଜନୀନ ଉପାସ୍ୟ ଉକ୍ରଳ ଦେବତା ଭାବେ ଗୃହୀତ । ସମଗ୍ର ଉକ୍ରଳ ପ୍ରଦେଶର ପରାମାରାଧ୍ୟ ଦେବ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଅନାଦି କାଳରୁ ଦାରୁବ୍ରହ୍ମରୂପୀ ଶ୍ରୀଜଗନ୍ନାଥ ନୀଳାଚଳର ଦିବ୍ୟ ରତ୍ନସିଂହାସନରେ ଅଧିଷ୍ଠିତ ପୂର୍ବକ ନିଜର ଲୀଳାକୁ ପ୍ରକାଶ କରି ଆସୁଥିବା କଥା ସ୍କନ୍ଦ ପୁରାଣୋକ୍ତ ଉକ୍ରଳଖଣ୍ଡର ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ପ୍ରଥମ ଅଧ୍ୟାୟରେ କୁହାଯାଇଛି । 
ହେ ମହାପ୍ରଭୁ! ତୁମେ ହିଁ ସୃଷ୍ଟି, ତୁମେ ହିଁ ସ୍ରଷ୍ଟା । ତୁମଠୁ ଆାରମ୍ଭ ତୁମଠି ଶେଷ । ଅନନ୍ତ ରହସ୍ୟ, ଅନ୍ତହୀନ ବିଶ୍ୱାସ । ଅଗତିର ଗତି ପ୍ରଭୁ, ଦୀନବନ୍ଧୁ ଦଇତାରି । ତୁମେ ଓଡ଼ିଆ ଜାତିର କୁଳ ଦେବତା । ଆମ ସତ୍ତା, ଭାବ, ଭକ୍ତି, ଶକ୍ତି; ଶ୍ରୀଜଗନ୍ନାଥ! ହେ ଦାରୁ ଦେବତା! ସବୁ ତୁମରି ଲୀଳା । ତୁମେ ଇଛା କଲ, ଶବର ଦେବତାରୁ ହେଲ ବିଶ୍ୱନିୟନ୍ତା । ଆଜି ତୁମରି ଇଛାରେ ବିଶ୍ୱ ଦେଖୁଛି ନୂଆ ଶ୍ରୀକ୍ଷେତ୍ର । କାଳିଆ ସାଆନ୍ତ, ତୁମେ ଭକ୍ତର ଭଗବାନ । ରତ୍ନ ସିଂହାସନରେ ତୁମ ଦର୍ଶନ ପାଇଁ ପୁରୀ ଧାଇଁ ଆସେ ଭକ୍ତ । ଦର୍ଶନ କରେ, ମନ ପୁରେନି । ଅଭାବବୋଧକୁ ଧରି ଘରକୁ ଫେରେ । ତେବେ ଘରକୁ ବାହୁଡ଼ିବା ବେଳେ ଶ୍ରଦ୍ଧାଳୁଟି ମହାପ୍ରଭୁଙ୍କ ପରମ ନିର୍ମାଲ୍ୟ କଣିକା ହିଁ ସମସ୍ତଙ୍କ ପାଇଁ ଦିବ୍ୟ ଅମୃତ ପ୍ରସାଦ ଭାବେ ନେଇଥାଏ ।  ନିର୍ମାଲ୍ୟ ହିଁ କୈବଲ୍ୟ  । ଏହା ଅତ୍ୟନ୍ତ ପବିତ୍ର ଓ ବ୍ରହ୍ମ ତୂଲ୍ୟ  । କୈବଲ୍ୟ ହେଉଛି କେବଳ ଭାବ । ଦେହ ଓ ଇନ୍ଦ୍ରିୟ ତ୍ୟାଗ କରି ଆତ୍ମାର କେବଳତ୍ୱ । ପରାମାତ୍ମାଙ୍କ ସହିତ ଜୀବାତ୍ମାର ମିଳନ । ପୂର୍ଣ୍ଣାନନ୍ଦ, ଅଖଣ୍ଡ ଆନନ୍ଦ, ସଂସାର ମୁକ୍ତି, ଦୁଃଖ ନିବୃତ୍ତି ରୂପ ମୋକ୍ଷ । ଶ୍ରୀମନ୍ଦିରର ଶ୍ରୀଜଗନ୍ନାଥଙ୍କ ଅନ୍ନ ଭୋଗ ବା ମହାପ୍ରସାଦ କଳିଯୁଗରେ  ଶ୍ରୀଜଗନ୍ନାଥଙ୍କର କୈବଲ୍ୟ କଣିକା ମୁମୂର୍ଷୁ ଲୋକ ମୁହଁରେ ଦେଇ ପରଲୋକ ପ୍ରାପ୍ତିର ପଥ ସୁଗମ ହୋଇଥାଏ ବୋଲି ଓଡ଼ିଆ ଚିନ୍ତା ଚେତନାରେ ବିଶ୍ୱାସ ରହିଛି । ମୋକ୍ଷକାମୀ ଭକ୍ତଙ୍କ ପାଇଁ ଏହା ଏକ ଅମୂଲ୍ୟ ସଂପଦ  । ଏଥିରେ ସ୍ପର୍ଶ, ଉଚ୍ଚିଷ୍ଟ ଦୋଷ ନଥାଏ, ନଥାଏ ମଧ୍ୟ ବାସି ଅବା ଶୁଷ୍କ ଦୋଷ  । ଏହା ରାସ୍ତାରେ ପଡ଼ିଲେ ମଧ୍ୟ ତାର ଶୁଦ୍ଧତା ନିର୍ମଳତା ନଷ୍ଟ ବିନଷ୍ଟ ହୁଏ ନାହିଁ  । ଶ୍ରୀମନ୍ଦିର ଉପବନର ଦକ୍ଷିଣ ପଶ୍ଚିମ ଭାଗରେ କୈବଲ୍ୟର ଏକ ସ୍ୱତନ୍ତ୍ର ଖଳା ରହିଛି  । ଏଠାରେ ପଞ୍ଚମୁଖୀ ମହାବୀର ଉକ୍ତ ଖଳା ଦାୟିତ୍ୱରେ ଅଛନ୍ତି  । ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର, ନାମ, ଲୀଳା ଓ ସାନ୍ନିଧ୍ୟ ସବୁକିଛି ମୁକ୍ତି ପ୍ରଦାୟକ ହୋଇଥିବାରୁ ଏହା କୈବଲ୍ୟ ପର୍ଯ୍ୟାୟଭୁକ୍ତ  ।                       
                        ଯଶସ୍ୱିନୀ ପଟ୍ଟନାୟକ,କଟକ