ପରମ ଶାନ୍ତି
ଡା.ଉମେଶ ଚନ୍ଦ୍ର ପାତ୍ର : ଶାନ୍ତି ଏକ ଦିବ୍ୟବସ୍ତୁ । ଶାନ୍ତି ହେଉଛି ଆତ୍ମାର ଗୋଟିଏ ବିଭବ । ଲୋଭୀ ଲୋକ ନିକଟରେ ଶାନ୍ତି ରହେନାହିଁ । ଶାନ୍ତି ଅବସ୍ଥାନ କରେ ସେମାନଙ୍କ ନିକଟରେ, ଯେଉଁମାନଙ୍କର ହୃଦୟ ପବିତ୍ର । ଶାନ୍ତି କାମୁକ ମାନଙ୍କୁ ପରିତ୍ୟାଗ କରେ; ସ୍ୱାର୍ଥପର ମାନଙ୍କୁ ଉପେକ୍ଷା କରେ । ଶାନ୍ତି ହେଉଛି ପରମହଂସଙ୍କର ଏକ ଭୂଷଣ । ସଂସାରରେ ପୂର୍ଣ୍ଣ ଶାନ୍ତି, ସଂପୂର୍ଣ୍ଣ ବ୍ୟାଘାତଶୂନ୍ୟ ନିଶ୍ଚିତ ଅବସ୍ଥା ମିଳିପାରିବ ନାହିଁ, କାରଣ ସଂସାର ହେଉଛି ଏକ ଆପେକ୍ଷିକ କ୍ଷେତ୍ର । ଏଠାରେ ପ୍ରତ୍ୟେକ ବିଷୟ ଦେଶ, କାଳ ଓ କାରଣ ଅଧୀନ; ପ୍ରତ୍ୟେକ ବସ୍ତୁ ଭଙ୍ଗୁର । ତା'ହେଲେ ପୂର୍ଣ୍ଣ ଶାନ୍ତି, ପୂର୍ଣ୍ଣ ନିରାପତ୍ତା ମିଳିବ କେଉଁଠି? ତାହା ଆପଣ ପାଇବେ କେବଳ ପରମାତ୍ମାଙ୍କ ଠାରେ । ସେ ହେଉଛନ୍ତି ଶାନ୍ତିର ଆଧାର । ଦେଶ, କାଳ ଓ କାରଣର ଅତୀତ । ଯଥାର୍ଥ ଗଭୀର ଶାନ୍ତି ବାହ୍ୟ ପରିବେଶ ଉପରେ ନିର୍ଭର କରେନାହିଁ । ଅନ୍ତର୍ନିବାସୀ ଆତ୍ମାଙ୍କର ପରମସ୍ଥିରତା ହିଁ ପ୍ରକୃତ ପରମଶାନ୍ତି । ଆପଣ ଯଦି ସେହି ଶାନ୍ତିର ସାଗରରେ ନିବାସ କରିପାରିବେ, ତେବେ ବାହ୍ୟ ଜଗତରେ ଚାଲୁଥିବା ହଟଗୋଳର ପ୍ରଭାବ ଆପଣଙ୍କୁ ସ୍ପର୍ଶ କରିପାରିବ ନାହିଁ । ଶାନ୍ତି ହେଉଛି ବ୍ରହ୍ମାଣ୍ଡର ଶ୍ରେଷ୍ଠତମ ସମ୍ପଦ । ବିକାଶ ନିମନ୍ତେ ଶ।।ନ୍ତି ଏକାନ୍ତ ଆବଶ୍ୟକ; ଶାନ୍ତି ବିନା କୌଣସି ଉନ୍ନତି, କୌଣସି ବିକାଶ ଅସମ୍ଭବ । ରାତ୍ରିର ଶାନ୍ତନିସ୍ତବ୍ଧ ବାତାବରଣରେ ମୃତ୍ତିକା ତଳେ ବୀଜର ଅଙ୍କୁରୋଦଗମ ହୁଏ । ଶାନ୍ତିନିରବ ଗଭୀର ରଜନୀରେ ହିଁ କଳିକା ପ୍ରସ୍ଫୁଟିତ ହୁଏ ପୃଷ୍ଠରେ । ମନୁଷ୍ୟ ସମାଜ ସେହି ଶାନ୍ତିର ଅପେକ୍ଷାରେ ରହିଥାଏ; ମନୁଷ୍ୟ ସଂସ୍କୃତିର ଉନ୍ନତି ଘଟେ ଶାନ୍ତି, ଶ୍ରଦ୍ଧା ଓ ପ୍ରେମର ବାତାବରଣରେ; ପରିପୂର୍ଣ୍ଣତା ପଥରେ ସଭ୍ୟତାର ବିକାଶ ଘଟେ ସେତେବେଳେ, ଯେତେବେଳେ, ଲୋକ ସମାଜରେ ବିରାଜମାନ କରେ ଶାନ୍ତି ଓ ସୌହାର୍ଦ୍ଦ୍ୟ । ଆଧ୍ୟାତ୍ମିକ ବିବର୍ତ୍ତନ ମଧ୍ୟ ସମ୍ଭବ ହୁଏ ଶାନ୍ତି ଓ ସୁସ୍ଥିରଚିତ୍ତତାରେ ।
ଆପଣଙ୍କ ପାଇଁ ଅନ୍ୟ କେହି ଶାନ୍ତି ଆଣି ଦେଇପାରିବେ ନାହିଁ; ଆଣିପାରିବେ କେବଳ ଆପଣ ନିଜେ, କେବଳ ନିଜ ଉପରେ ବିଜୟ ଲାଭ କଲେ ହିଁ, କେବଳ ଇନ୍ଦ୍ରିୟ ଓ ମନ, କାମନା ଓ ଲାଳସା ଉପରେ ବିଜୟ ଲାଭ କଲେ ହିଁ ଆପଣ ଶାନ୍ତି ପାଇପାରିବେ । ଅନ୍ୟ କୌଣସି ଉପାୟରେ ଶାନ୍ତି ପାଇବେ ନାହିଁ । ନିଜ ଅନ୍ତରରେ ଯଦି ଶାନ୍ତି ନାହିଁ, ତେବେ ବାହ୍ୟ ବସ୍ତୁରେ, ବାହ୍ୟ ଜଗତରେ ଶାନ୍ତି ଖୋଜି ବୁଲିବା ବୃଥା ପ୍ରୟାସ ମାତ୍ର । ଗଠନମୂଳକ ଶାନ୍ତି, ସ୍ଥାୟୀ ଶାନ୍ତି କେବଳ ଈଶ୍ୱରୋପାସନାରୁ ଲାଭ କରାଯାଇପାରେ । ଈଶ୍ୱରଙ୍କୁ ପରିତ୍ୟାଗ କରିଦେଲେ, ଶାନ୍ତି ମିଳିବ ନାହିଁ । ଈଶ୍ୱର ହିଁ ଶାନ୍ତି । ସେହି ପରମ ଶାନ୍ତିର ନିଧାନ ଈଶ୍ୱରଙ୍କ ମପାଦରେ ଲାଗିଯାଆନ୍ତୁ । ଆପଣ ଶାନ୍ତି ବିକିରଣ କରିବାକୁ ସମର୍ଥ ହୋଇଯିବେ ।
ମୋ: ୯୪୩୭୦୫୧୯୫୭