ଏ ସମ୍ବାଦ ଚହଟିଲା ଏକାନୁ ସେକାନ

ସ୍ୱଭାବ କବି ଗଙ୍ଗାଧର ମେହେର କୀଚକ ବଧ କାବ୍ୟରେ କୀଚକର ପାପ ଦୃଷ୍ଟି ସୈରିନ୍ଧ୍ରୀ ରୂପକ ଦ୍ରୌପଦୀଙ୍କ ଉପରେ ପଡ଼ିଥିବା ଖବର ବିରାଟ ରାଜାଙ୍କ ରାଜବାଟିରେ ସମସ୍ତେ ଜାଣିଲେ, କିନ୍ତୁ; ସମସ୍ତଙ୍କ କାନରେ ଏକଥା କହିସାରିବା ପରେ କାହାକୁ କହିବୁ ନାହିଁ କହି ଏବଂ ଗୋପନୀୟ ବୋଲି କୁହାକୁହି ହେଉଥିଲେ । 
ଏବେ ଆସିବା ରାଜ୍ୟ ଖବରକୁ । ଗତ ୨୭ ତାରିଖ ଦିନ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ପୁରୀରେ ଅନୁଷ୍ଠିତ ହେଉଥିବା ବେଳେ ସମଗ୍ର ବିଶ୍ୱ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବଡ଼ଦାଣ୍ଡରେ ଦେଖିବା ପାଇଁ ଉକ୍ରଣ୍ଠାର ସହ ଚାହିଁ ରହିଥିଲେ । ହେଲେ ଭକ୍ତମାନଙ୍କର ଉକ୍ରଣ୍ଠା ସଂଧ୍ୟା ୭ଟା ୪୫ ଯାଏଁ ସେହି ଉକ୍ରଣ୍ଠାରେ ହିଁ ରହିଗଲା । ତାଳଧ୍ୱଜ ଏବଂ ଦେବଦଳନ ରଥ କିଛି ବାଟ ତ ବଡ଼ଦାଣ୍ଡରେ ଆଗକୁ ଆସିଲେ, କିନ୍ତୁ ନନ୍ଦିଘୋଷ ରଥ ଚକଡ଼ା ଡ଼େଇଁଲେ ନାହିଁ । ଏ ଘଟଣାକୁ ନେଇ ସଙ୍ଗେ ସଙ୍ଗେ ରାଜନୀତି ଆରମ୍ଭ ହୋଇଗଲା । ସପ୍ତମ ଶ୍ରେଣୀର ଓଡ଼ିଆ ପରିକ୍ଷାରେ ପୂର୍ବାପର ସମ୍ପର୍କ ସହ ସରଳାର୍ଥ ଲେଖ ପ୍ରଶ୍ନଟି ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ଭାରି କୁତୁକୁତିଆ ମନେ ହୁଏ । ବଡ଼ଦାଣ୍ଡରେ ତିନିରଥଙ୍କ ଏଭଳି ଅବସ୍ଥା ଦେଖି କିଛି ରାଜନୀତିଆ ଭାରି କୁତୁକୁତିଆ ହୋଇ ପୂର୍ବାପର ସମ୍ପର୍କ ଯୋଡ଼ି ସରଳାର୍ଥ ଗାଇବେ କଣ ସରକାରଙ୍କର ସବିସ୍ତୃତ ଇତିହାସରୁ ଭବିଷ୍ୟତ ପର୍ଯ୍ୟନ୍ତ ଭାସିବାରେ ଲାଗିଲେ । ସମସ୍ତଙ୍କର ରୋଷ ଦୃଷ୍ଟିରୁ ଗୋଟିଏ ରୋଷ ଶ୍ରୀମନ୍ଦିର ପ୍ରଶାସକଙ୍କ ଉପରେ ଏବଂ ଅନ୍ୟଟି ରାଜ୍ୟର ଶାସନମୁଖିଆଙ୍କ ଉପରେ ପଡ଼ିଲା । ଇତିମଧ୍ୟରେ ଭକ୍ତମାନେ ରଥ ଟାଣିବା ପାଇଁ ନିଜର ଆଗ୍ରହକୁ ସମ୍ଭାଳିନପାରି ଠେଲାପେଲା ହୋଇ ପାଖାପାଖି ସାତଶହ ଲୋକ ଆହତ ହେଲେ । କିଛି ଭକ୍ତଙ୍କର ବଡ଼ଦାଣ୍ଡରେ ପ୍ରାଣବାୟୁ ଉଡ଼ି ଯାଇଥିବା କଥା ସତ ହେଉ କି ଗୁଜବ ହେଉ, ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଲା । ଶାସନ ମୁଖିଆ କହିଲେ "କିଛି ଅଘଟଣ ହୋଇନାହିଁ, ସବୁକିଛି ସୁରୁଖୁରୁରେ ଚାଲିଛି ।' ମନ୍ଦିର ପ୍ରଶାସନର ମୁଖିଆ କହିଲେ "ସବୁ ଜଗନ୍ନାଥଙ୍କ ଇଚ୍ଛା ଏବଂ ସୁରୁଖୁରୁରେ ସବୁ ଚାଲିଛି ।' ହେଲେ ବେଙ୍ଗ ପାଟିରେ ଘିଅ ହଜମ ନହେଲା ଭଳି ବିରୋଧି ଦଳିଆଙ୍କ ପେଟରେ ଏକଥାଗୁରା ହଜମ ହେଲାନି । ସୂର୍ଯ୍ୟାସ୍ତର ପାଖାପାଖି ଦେଢ଼ଘଣ୍ଟା ପରେ ନନ୍ଦିଘୋଷ ରଥ ବିଧିରକ୍ଷା ହେବା ଭଳି ଟଣା ହେବା ଘଟଣାକୁ ନେଇ କିଛି ରାଜନୀତିକ ବ୍ୟକ୍ତି ଏବଂ ଅସନ୍ତୁଷ୍ଟ ଭକ୍ତ ତିଳକୁ ତାଳ କରି ବିଭିନ୍ନ ଗଣମାଧ୍ୟମରେ କମ୍ପମାନ କରି ପକାଇଲେ । ଏତିକି ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘୋଷଣା କରିଦେଲେ ଯେ ରବିବାର ସକାଳ ୯ଟା ୩୦ରେ ବଡ଼ଦାଣ୍ଡରେ ତିନିରଥ ପୁଣି ଟଣା ହେବେ । ଏକଥା ଶୁଣିବା ପରେ ଭକ୍ତି ଓ ଭାବ ବିହ୍ୱଳିତ ଜନତା କାଳିଆ ଠାକୁରଙ୍କୁ ରଥ ଉପରେ ଦର୍ଶନ କରି ଆଉ ପୁନର୍ଜନ୍ମ ନପାଇବା ପାଇବା ପାଇଁ ଘରୁ ବାହାରି ଆସିଥିବାରୁ ମାତ୍ର ୧୪ ଘଣ୍ଟା ବ୍ୟବଧାନରେ କାଳିଆ ଠାକୁରଙ୍କୁ ପୁଣିଥରେ ରଥ ଉପରେ ଦର୍ଶନ କରି ରଥ ଟାଣିବାର ସୌଭାଗ୍ୟ ହାତଛଡ଼ା କରିବାକୁ ଚାହିଁଲେ ନାହିଁ । ରଥ ଯଦି ଉପରଓଳି ଟଣା ହେବାକୁ ଥାଆନ୍ତା, ତେବେ ହୁଏତ ବଡ଼ଦାଣ୍ଡରୁ କିଛି ପରିମାଣରେ ଭିଡ଼ କମିଯାଇଥାନ୍ତା । ଅଥଚ ୯ଟା ୩୦ରେ ରଥଟଣା କଥା ଜାଣିବା ପରେ ଭିଡ଼ କମିବ କଣ, ଯେଉଁମାନେ ଘରେ ବସିଥିଲେ ସେମାନେ ବି ଆସି ଭିଡ଼ ଜମାଇ ଦେଲେ । ଫଳରେ ଶରଧାବାଲିରେ ଯାହା ଘଟିଲା ତାହା କହିବା ଅନାବଶ୍ୟକ । 
ଲୋକମାନଙ୍କର ଧାର୍ମିକ ବିଶ୍ୱାସ କେତେ ଦୃଢ଼ ତାହା ଆକଳନ ନକରି ରଥଯାତ୍ରାର କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତ କରିଦେଲେ ପରିଣାମ କଣ ହେବ ତାହା ଅନୁଭବ କରିବା ଉଚିତ୍ । ଏଠାରେ ଅଭିଜ୍ଞତା ବଡ଼କଥା ନୁହେଁ, ଉପସ୍ଥିତ ବୁଦ୍ଧିମତ୍ତା ଏବଂ ପରିସ୍ଥିତିକୁ ଆକଳନ କରିବା ହେଉଛି ବଡ଼କଥା । ଲୋକମାନେ କାଳିଆ ଠାକୁରଙ୍କୁ ଦେଖିବା ପାଇଁ ଆତୁର ହେବା ସ୍ୱାଭାବିକ । ଆକଳନ ଠାରୁ ଅଧିକ ଲୋକ ହେଲେ ବୋଲି କୁହାଯିବାର କୌଣସି ଯଥାର୍ଥତା ନାହିଁ । ସମୁଦାୟ ବଡ଼ଦାଣ୍ଡରୁ ବର୍ଗଫୁଟ୍ ଭାବରେ ମାପି ଦେଲେ ସେତିକି ଜାଗାରେ କେତେ ଲୋକ ଠିଆ ହୋଇ ପାରିବେ ତାହାର ଆକଳନ ନିର୍ଭୁଲ୍ ନହୋଇ କାଳ୍ପନିକ ହୋଇଯାଉଛି । ତଥାପି ହିସାବ ସରକାରୀ ଭାବେ ପ୍ରକାଶ ପାଉଥିବାରୁ ରାଜ୍ୟବାସୀ ମାନିବାକୁ ବାଧ୍ୟ । ଏସବୁ ସତ୍ତ୍ୱେ ମୃତୁ୍ୟ ସଂଖ୍ୟା କିନ୍ତୁ ବିଶ୍ୱାସଯୋଗ୍ୟ ହେଉନାହିଁ । ରଥଯାତ୍ରାକୁ ଦୁର୍ଘଟଣା ଶୂନ୍ୟ କରିବା ପାଇଁ ଦୁଇମାସ ଆଗରୁ ପ୍ରସ୍ତୁତି ବୈଠକ ଚା' ଜଳଖିଆ ଖର୍ଚ୍ଚ ଭଳି ବଡ଼ଦାଣ୍ଡର ଭକ୍ତଙ୍କ ସଂଖ୍ୟା ଭଳି କାଳ୍ପନିକ ନହେଉ ।